କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ: ଦୁଇ ଭାଇଙ୍କ ଉପରେ ଗୁଳିବର୍ଷା, ଜଣେ ମୃତ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ ଆତଙ୍କ ଖେଳାଇ ଦେଇଛି। କାଶ୍ମୀରର ସୋପିଆନ ଜିଲ୍ଲାରେ ଆଜି ଜଣେ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଛନ୍ତି। ମୃତ କାଶ୍ମୀର ପଣ୍ଡିତ ହେଉଛନ୍ତି ୪୫ ବର୍ଷୀୟ ସୁନୀଲ କୁମାର ଭଟ୍ଟ। ତାଙ୍କ ଭାଇ ପିଣ୍ଟୁ କୁମାର ଭଟ୍ଟ ମଧ୍ୟ ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏକ ଫଳ ବଗିଚାରେ ଆଜି ଏହି ଗୁଳିକାଣ୍ଡ ହୋଇଛି। ସମ୍ପୃକ୍ତ ଅଞ୍ଚଳକୁ ଏବେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ କରାଯାଉଛି। ହତ୍ୟାକାଣ୍ଡକୁ ବିରୋଧ କରି ଆଜି ପୁଞ୍ଚ ଜିଲ୍ଲାରେ ବିଜେପି ଆନ୍ଦୋଳନ କରିଛି। ବଡ଼ଗାମର ଏକ ସରକାରୀ ଅଫିସରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯିବାର ୩ ମାସ ପରେ ଆଜିର ଏହି ଘଟଣା ଘଟିଛି। ଗତ ଗୋଟିଏ ସପ୍ତାହ ଧରି କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିଛି।

ନୌହଟାରେ ରବିବାର ଦିନ ଆତଙ୍କବାଦୀ ଆକ୍ରମଣରେ ‌ଜଣେ ଯବାନ ସହିଦ ହୋଇଥିଲେ ଏବଂ ବାନ୍ଦିପୁରାରେ ଗତ ସପ୍ତାହରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା‌। ଆଜିର ଟାର୍ଗେଟ୍‌ କିଲିଂ ମାମଲାରେ ପୁଲିସ ୬ ଜଣଙ୍କୁ ଅଟକ ରଖି ଜେରା ଚଳାଇଛି। କାଶ୍ମୀର ପଣ୍ଡିତଙ୍କୁ ହତ୍ୟାରେ ୩ ଜଣ ଆତଙ୍କବାଦୀ ସଂପୃକ୍ତ ଥିବା ଜଣାପଡ଼ିଛି। ସେମାନେ ପ୍ରଥମେ ସେମାନେ କାଶ୍ମୀର ପଣ୍ଡିତଙ୍କୁ ତାଙ୍କ ପରିଚୟ ପଚାରିଥିଲେ ଏବଂ ପରିଚୟ ଜାଣିବା ପରେ ଗୁଳିମାଡ଼ ଆରମ୍ଭ କରିଦେଇଥିଲେ। ଗତ ୮ ମାସ ମଧ୍ୟରେ କାଶ୍ମୀରରେ ୨୮ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ରଣନୀତି ବଦଳାଇ ଏବେ କେବଳ ନିରୀହ ଲୋକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଆଜିର ଟାର୍ଗେଟ୍‌ କିଲିଂ ପାଇଁ ଆତଙ୍କବାଦୀ ସଂଗଠନ କେଏଫ୍‌ଏଫ୍‌ (କାଶ୍ମୀର ଫ୍ରିଡମ୍‌ ଫାଇଟର୍ସ) ନିଜକୁ ଦାୟୀ କରିଛି। କେଏଫ୍‌ଏଫ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସୁନୀଲ ଭଟ୍ଟ ତ୍ରୀରଙ୍ଗା ଯାତ୍ରାରେ ସାମିଲ ହୋଇଥିବାରୁ ତାଙ୍କୁ ହତ୍ୟା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ’ରେ ରାହୁଲ ଭଟ୍ଟ ନାମକ ଜଣେ ସରକାରୀ କର୍ମଚାରୀଙ୍କୁ ବଡ଼ଗାମ ଜିଲ୍ଲାରେ ଏକ ତହସିଲ ଅଫିସରେ ଗୁଳି କରି ହତ୍ୟା କରାଯାଇଥିଲା। ସେ ମଧ୍ୟ ଜଣେ କାଶ୍ମୀର ପଣ୍ଡିତ ଥିଲେ। ଏହି ହତ୍ୟାକୁ ନେଇ ବଡ଼ ଧରଣର ପ୍ରତିବାଦ ହୋଇଥିବା ବେଳେ ସୁରକ୍ଷା ବାହିନୀର ଅପରେସନରେ ୨୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ। ତେବେ ଆଜି ପୁଣି ଏକ ଟାର୍ଗେଟ୍‌ କିଲିଂ ଆତଙ୍କ ଖେଳାଇଦେଇଛି।

ସମ୍ବନ୍ଧିତ ଖବର