କଶ୍ମୀରରେ ପୁଣି ଜଣେ ଟ୍ରକ୍‌ ଡ୍ରାଇଭର୍‌ ଏବଂ ହେଲ୍‌ପର୍‌ଙ୍କୁ ଗୁଳି ମାରି ହତ୍ୟା

ଶ୍ରୀନଗର: କଶ୍ମୀରର ଶୋପିଆଁ ଜିଲ୍ଲାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗୁରୁବାର ଦିନ ପୁଣି ଜଣେ ଟ୍ରକ୍‌ ଚାଳକ ଏବଂ ତାଙ୍କ ସହଯୋଗୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ଏହାକୁ ମିଶାଇ ଦୁଇ ସପ୍ତାହ ମଧ୍ୟରେ ଆତଙ୍କବାଦୀମାନେ ରାଜ୍ୟ ବାହାରର ପାଞ୍ଚଜଣ ଲୋକଙ୍କ ହତ୍ୟା କଲେଣି ବୋଲି ପୁଲିସ କହିଛି।

ଏହି ଗୁଳିକାଣ୍ଡରେ ଆହତ ହୋଇଥିବା ଅନ୍ୟ ଜଣେ ଡ୍ରାଇଭର୍‌ଙ୍କୁ ଶ୍ରୀନଗରର ଗୋଟାଏ ଡାକ୍ତରଖାନାକୁ ନିଆଯାଇଛି। ଟ୍ରକ୍‌ ଚାଳକମାନେ ଶେଓ ଆଣିବାକୁ ଯାଇଥିଲେ। ନିହତମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଜସ୍ଥାନ ଅନ୍ତର୍ଗତ ଅଲ୍‌ଓ୍ଵାର୍‌ ନିବାସୀ ଇଲିୟାସ୍‌ ଖାଁ। ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ। ଆହତ ବ୍ୟକ୍ତିଜଣକ ହେଉଛନ୍ତି ପଞ୍ଜାବର ହୋସିୟାର୍‌ପୁର ନିବାସୀ ଜୀବନ ସିଂହ।

ଜଣେ ପୁଲିସ ମୁଖପାତ୍ର କହିଛନ୍ତି: ଆତଙ୍କବାଦୀମାନେ ଶୋପିଆଁରେ ଦୁଇ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି ଏବଂ ଅନ୍ୟ ଜଣଙ୍କୁ ଆହତ କରିଛନ୍ତି। ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଛି।

Image Source: The News Now

ଉପତ୍ୟକାର ଶାନ୍ତିର ବାତାବରଣ ଫେରିଆସୁଥିବାରୁ ଏଥିରେ ବାଧା ସୃଷ୍ଟି କରିବା ଲାଗି ଏଭଳି ଆକ୍ରମଣାତ୍ମକ ଉଦ୍ୟମ କରାଯାଉଛି। ବ୍ଲକ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କାଉନ୍‌ସିଲ୍‌ ନିର୍ବାଚନ ଚାଲିଥିବା ଦିନ ଏଠାରେ ଏଭଳି ଘଟଣା ଘଟିଛି।

ଜମ୍ମୁ ଓ କଶ୍ମୀରର ପୁଲିସ ମହାନିର୍ଦେଶକ ବିଲବାଗ ସିଂହ ଗୁରୁବାର ଦିନ କହିଛନ୍ତି, ହରିୟାଣା, ରାଜସ୍ଥାନ ଏବଂ ପଞ୍ଜାବ ରେଜିଷ୍ଟ୍ରେସନ୍‌ ନମ୍ବର ଥିବା ତିନିଟି ଟ୍ରକ୍‌କୁ ଆତଙ୍କବାଦୀମାନେ ଶୋପିଆଁର ଚିତ୍ତରଗାମ୍‌ ଠାରେ ଅଟକାଇ ଗୁଳି ଚଳାଇଥିଲେ। ସେମାନେ ଦୁଇଟି ଟ୍ରକ୍‌ରେ ନିଆଁ ଲଗାଇ ଦେବାରୁ ସେଗୁଡ଼ିକ ଆଂଶିକ କ୍ଷତିଗ୍ରସ୍ତ ହୋଇଛି।

ଆକ୍ରମଣ ପରେ ନିରାପତ୍ତା ବଳ ଘଟଣାସ୍ଥଳରେ ପହଞ୍ଚି ସେ ଅଞ୍ଚଳକୁ କର୍ଡନ୍‌ କରିଥିଲେ।

ସମ୍ବନ୍ଧିତ ଖବର