ଉନ୍ନାଓରେ ପୁଣି ଏକ ଅଭାବନୀୟ କାଣ୍ଡ, କ୍ଷେତରୁ ୨ ଦଳିତ ନାବାଳିକାଙ୍କ ଶବ ଉଦ୍ଧାର

ଆଉ ଜଣେ ସଙ୍କଟାପନ୍ନ, ବିଷଦେଇ ହତ୍ୟା କରାଯାଇଥିବା ସନ୍ଦେହ

ଉନ୍ନାଓ: ଉତ୍ତରପ୍ରଦେଶର ଉନ୍ନାଓରେ ପୁଣି ଏକ ଅଭାବନୀୟ ଘଟଣା‌ ଘଟିଛି। ୨ ଜଣ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ଏବଂ ସେମାନଙ୍କ ମୃତଦେହ ଏକ ପଡ଼ିଆରୁ ଉଦ୍ଧାର ହୋଇଛି। ସେହିପରି ଅନ୍ୟ ଜଣେ ନାବାଳିକା ମଧ୍ୟ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଏବେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସେ ବଞ୍ଚିବାପାଇଁ ସଂଘର୍ଷ ଜାରି ରଖିଛନ୍ତି। ମିଳିଥିବା ସୂଚନାନୁଯାୟୀ, ସେମାନେ ସମସ୍ତେ ଗତକାଲି ଘାସ ସଂଗ୍ରହ ପାଇଁ ନିକଟସ୍ଥ ଏକ କ୍ଷେତକୁ ଯାଇଥିଲେ। ତେବେ ଅନେକ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ ନଫେରିବାରୁ ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ ଏବଂ ଗ୍ରାମ ନିକଟସ୍ଥ ଏକ ଚାଷ ଜମିରୁ ସେମାନଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ। ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ସେତେବେଳକୁ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିବା ସହ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ଏହି ମାମଲାରେ ଅଜ୍ଞାତ ଲୋକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି।

ଡାକ୍ତରଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ସେମାନଙ୍କୁ ବିଷ ଦିଆଯାଇଛି। ପୁଲିସ ମୃ୍ତକମାନଙ୍କ ପରିବାର ସଦସ୍ୟ ଏବଂ ଗ୍ରାମବାସୀଙ୍କୁ ପଚରାଉଚୁରା ଜାରି ରଖିଛି। ମୃତକମାନଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ମୃତକଙ୍କ ପରିବାର ସଦସ୍ୟ ମଧ୍ୟ ଦାବି କରିଛନ୍ତି ଯେ, ସେମାନଙ୍କୁ ବିଷ ଦେଇ ମାରି ଦିଆଯାଇଛି। କଂଗ୍ରେସ ଏହି ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ ଘେରିଛି। କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ଯୋଗୀ ଆଦିତ୍ୟନାଥଙ୍କୁ ‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ୍‌ କ’ଣ ଏକ ଚେତାବନୀ ଥିଲା’ କି ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର