ଅରୁଣାଚଳରେ ଚୀନ୍‌ର ଆଉ ଏକ ଗ୍ରାମ

ଭାରତୀୟ ଅଞ୍ଚଳର ୬ କିମି ଭିତରେ ଗ୍ରାମ, ୬୦ ଘର; ଉପଗ୍ରହରୁ ମିଳିଲା ଚିତ୍ର

ନୂଆଦିଲ୍ଲୀ : ‌ଭାରତର ଅଞ୍ଚଳ ଦଖଲ ପାଇଁ ଚୀନ ଏହାର ବିସ୍ତାରବାଦୀ ନୀତିକୁ କଳେବଳେ କାର୍ଯ୍ୟକାରୀ କରୁଛି। ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ଅଞ୍ଚଳରେ ଚୀନ୍‌ ପୁଣି ଏକ ଜନବସତି ସ୍ଥାପନ କରିଛି। ଚୀନ୍‌ ୬୦ଟି କୋଠା ବିଶିଷ୍ଟ ଏକ ନୂଆ‌ ଜନବସତି ସ୍ଥାପନ କରିଥିବା ସାଟେଲାଇଟ୍‌ ଛବିରୁ ସ୍ପଷ୍ଟ ହୋଇଛି। ୨୦୧୯ରେ ଏଠି ଜନବସତି ନଥିଲା। ଚୀନ୍‌ ନିର୍ମାଣ କରିଥିବା ଏହି ନୂଆ ଜନବସତି ୨୦୧୯ରେ ନିର୍ମାଣ କରିଥିବା ଜନବସତି ଠାରୁ ୯୩ କିମି ଦୂରରେ ଅବସ୍ଥିତ। ଉଲ୍ଲେଖଯୋଗ୍ୟ ଯେ ଚୀନ୍‌ ଗତ କିଛି ବର୍ଷ ଧରି ସୀମା ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ବେଆଇନ ଭାବେ ଚୀନ୍‌ ଅକ୍ତିଆର କରିଥିବା କିଛି ଅଞ୍ଚଳରେ ଏଭଳି ନିର୍ମାଣ କାର୍ଯ୍ୟ ଜାରି ରଖିଛି। ନିକଟରେ ଆମେରିକା ପ୍ରତିରକ୍ଷା ବିଭାଗର ଏକ ରିପୋର୍ଟରେ ମଧ୍ୟ ଚୀନ୍‌ର ବେଆଇନ ବସତି ସ୍ଥାପନ ସଂପର୍କରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା ଏବଂ ଚୀନ୍‌ର ଏଭଳି ପଦକ୍ଷେପ କଦାପି ଗ୍ରହଣୀୟ ହେବନାହିଁ ବୋଲି ଭାରତ କହିଥିଲା।

ଚୀନ୍‌ ଯେଉଁ ଦ୍ବିତୀୟ ଜନବସତି ସ୍ଥାପନ କରିଛି ତାହା ଏଲ୍‌ଏସି (ପ୍ରକୃତ ନିୟନ୍ତ୍ରଣ ରେଖା) ଏବଂ ଅନ୍ତର୍ଜାତୀୟ ସୀମା ମଧ୍ୟରେ ଭାରତର ପ୍ରାୟ ୬ କିମି ଭିତରେ ଅବସ୍ଥିତ। ଭାରତ ଲଗାତାର ଭାବେ ଏହାକୁ ନିଜ ପରିସର ବୋଲି ଦର୍ଶାଇଛି। ତେବେ ଭାରତୀୟ ସେନା ଏନେଇ କିଛି ସ୍ପଷ୍ଟ ବିବୃତି ରଖିନାହିଁ। ମାସ୍କର ଟେକନୋଲୋଜି ଏବଂ ପ୍ଲାନେଟ୍‌ ଲ୍ୟାବ୍‌ର ଫଟୋରେ ଏହି ନୂଆ ଜନବସତି ଦେଖିବାକୁ ମିଳିଛି। ଅରୁଣାଚଳ ଶି‌-ୟୋମି ଜିଲ୍ଲାର ଏହି ଫଟୋରୁ ଦେଖିବାକୁ ମିଳିଛି ଯେ ଏହି ବେଆଇନ ବସତିର ଛାତ ଉପରୁ ଚୀନ୍‌ ପତାକା ଉଡ଼ୁଛି। ଚୀନ୍‌ ଏହାକୁ ନିଜ ଅଞ୍ଚଳ ଦାବି କରି ନିଜର ଜାତୀୟ ପତାକା ଉଡ଼ାଇଛି। ଚୀନ୍‌ର ଏହି ନୂଆ ଜନବସତି ଅଂଚଳର ବାସ୍ତବ ସ୍ଥିତି ଭାରତ ମ୍ୟାପ୍‌ରେ ଦେଖିବାକୁ ମିଳିଛି । ତେବେ ଏହା ଭାରତୀୟ ଅଞ୍ଚଳରେ ଥିବା ସ୍ପଷ୍ଟ ହୋଇଛି। ଏହି ଅଞ୍ଚଳଟି ଚୀନ୍‌ ସୀମାର ଅତି ନିକଟରେ ଅବସ୍ଥିତ । ଅନ୍ୟପକ୍ଷେ ଭାରତର ଘଞ୍ଚ ଜଙ୍ଗଲ ଏହାକୁ ଭାରତୀୟ ପରିସରରୁ ଏକପ୍ରକାର ବିଚ୍ଛିନ୍ନ କରିଥିବାରୁ ଚୀନ୍‌ ସେନା ଏହାର ସୁଯୋଗ ନେଇ ଗ୍ରାମ ନିର୍ମାଣ କରିଛି।

ଚୀନ୍‌ ସହ ଭାରତର ଦୀର୍ଘକାଳୀନ ସୀମା‌ ବିବାଦର ସମାଧାନ ହୋଇପାରୁ ନଥିବା ବେଳେ ଚୀନ୍‌ ଲଗାତାର ଭାରତୀୟ ସୀମା ନିକଟ‌ରେ ଏହାର ନିର୍ମାଣ କାର୍ଯ୍ୟ ଜାରି ରଖିଛି। ସୀମା ନିକଟରେ ଗ୍ରାମ ନିର୍ମାଣ କରିବାକୁ ଚୀନ୍‌ ଏହାର ନୂଆ‌ ରଣନୀତିରେ ପରିଣତ କରିଦେଇଛି।

ସମ୍ବନ୍ଧିତ ଖବର