ବସ୍ତିି ଅଞ୍ଚଳକୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦୃଷ୍ଟି ଆଢ଼ୁଆଳରେ ରଖିବା ପାଇଁ ଗୁଜୁରାଟ ସରକାର ନିର୍ମାଣ କଲେ କଂକ୍ରିଟ ପ୍ରାଚୀର

ଅହମ୍ମଦାବାଦ/ ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସସ୍ତ୍ରୀକ ଫେବ୍ରୁଆରି ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବା ବେଳେ ତାଙ୍କୁ ଗୁଜୁରାଟର ଅହମ୍ମଦାବାଦରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କାରଣ, ରାଷ୍ଟ୍ରପତି ଟ୍ରମ୍ପ ପ୍ରାୟ ପୂରା ଗୋଟିଏ ଦିନ ଗୁଜୁରାଟର ଅହମ୍ମଦାବାଦରେ ବିତାଇବେ।

ଏହି ଅବସରରେ ଅହମ୍ମଦାରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନେଇ ଅନେକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି। ଯାହା ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦରେ ଏକତ୍ର ରୋଡ ସୋ’ କରିବାର କାର୍ଯ୍ୟକ୍ରମ ବି ରହିଛି। ତେବେ, ଅହମ୍ମଦାବାଦ ଠାରେ ଆୟୋଜିତ ହେବାକୁ ଥିବା ଏହି ରୋଡ୍‌ ସୋ’ କାଳରେ ଏକ ପ୍ରତିବନ୍ଧକ ରୂପେ ଉଭା ହୋଇଛି ବସ୍ତି। କାଳେ, ବସ୍ତି ଅଞ୍ଚଳ ଉପରେ ନଜର ପଡ଼ିଲେ ରାଷ୍ଟ୍ରପତି ଟ୍ରମ୍ପଙ୍କ ମନରେ ଭାରତକୁ ନେଇ ନକରାତ୍ମକ ଭାବନା ସୃଷ୍ଟି ହେବ ସେଇ ଆଶଙ୍କାରେ ଏବେ ସଂପୃକ୍ତ ବସ୍ତି ଅଞ୍ଚଳଟିକୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦୃଷ୍ଟି ଆଢ଼ୁଆଳରେ ରଖିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

NewsHunt

ଏହି ଉଦ୍ଦେଶ୍ୟରେ ଗୁଜୁରାଟ ସରକାରଙ୍କ ପକ୍ଷରୁ ୪୦୦ ମିଟର ଲମ୍ବ ଓ ୭ ଫୁଟ ଉଚ୍ଚତା ବିଶିଷ୍ଟ ଏକ କଂକ୍ରିଟ ପ୍ରାଚୀରର ନିର୍ମାଣ ଯୁଦ୍ଧକାଳୀନ ଭିତ୍ତିିରେ ଚାଲିଛି। ଏହି କାର୍ଯ୍ୟ ପାଇଁ ଏକାଧିକ କଂଟ୍ରାକ୍ଟରଙ୍କ ସମେତ ୧୫୦ ରାଜମିସ୍ତ୍ରୀଙ୍କୁ ମୁତୟନ କରାଯାଇଛି। ଦିନରାତି କାର୍ଯ୍ୟ କରି ଯଥାଶୀଘ୍ର ଏହି ପ୍ରାଚୀର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ କଂଟ୍ରାକ୍ଟରମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ତେବେ, ଏଘଟଣା ଜଣା ପଡ଼ିବା ପରେ ଗୁଜୁରାଟ ସରକାର ନିଜ ତରଫରୁ ସଫେଇ ରଖି କହିଛନ୍ତି ଯେ ଟ୍ରମ୍ପଙ୍କ ଦୃଷ୍ଟିରୁ ବସ୍ତିକୁ ଲୁଚାଇବାକୁ ନୁହେଁ; ବରଂ ଟ୍ରମ୍ପଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପ୍ରାଚୀରର ନିର୍ମାଣ କରାଯାଉଛି।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦରେ ରୋଡ୍‌ ସୋ’ କରିବା ସହ ଟ୍ରମ୍ପ ଗାନ୍ଧୀଜୀଙ୍କ ସାବରମତି ଆଶ୍ରମକୁ ପରିଦର୍ଶନ କରିବେ। ଏହି ଅବସରରେ ‘କେମ୍‌ ଛ୍ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମ ସହ ଅହମ୍ମଦାବାଦରେ ନବ ନିର୍ମିତ ସର୍ଦ୍ଦାର ପଟେଲ ଷ୍ଟାଡ଼ିୟମ୍‌କୁ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର