ଅମୃତପାଲକୁ ଆଶ୍ରୟ ଦେଇଥିବା ଆଉ ଜଣେ ମହିଳା ଗିରଫ

ଚଣ୍ଡିଗଡ଼ : ଉଗ୍ରବାଦ ପ୍ରଚାରକ ତଥା ୱାରିସ ପଞ୍ଜାବ ଦେ ର ମୁଖ୍ୟ ଅମୃତପାଲ ସିଂହ ଏବଂ ତା’ର ସହଯୋଗୀ ପପଲପ୍ରୀତ ସିଂହଙ୍କୁ ଘରେ ଆଶ୍ରୟ ଦେଇଥିବା ଅଭିଯୋଗରେ ପଟିଆଲାର ଜଣେ ମହିଳାଙ୍କୁ ପଞ୍ଜାବ ପୁଲିସ ରବିବାର ଗିରଫ କରିଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅମୃତପାଲ ଓ ପପଲପ୍ରୀତ ପଟିଆଲାର ହରଗୋବିନ୍ଦ ନଗରର ବଲବୀର କୌର ନାମ୍ନୀ ଜଣେ ମହିଳାଙ୍କ ଘରେ ମାର୍ଚ୍ଚ ୧୯ ତାରିଖରେ ୫ରୁ ୬ ଘଣ୍ଟା ପାଇଁ ଆଶ୍ରୟ ନେଇଥିଲେ। ତା’ପରେ ସେମାନେ ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାର ଶାହାବାଦକୁ ପଳାଇଥିଲେ। ଚଳିତମାସ ୧୮ ତାରିଖରୁ ଅମୃତପାଲକୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଥିଲେ ବି ତା’ର ପତ୍ତା ପାଉନାହିଁ। ଜଳନ୍ଧର ଜିଲ୍ଲାରେ ପୁଲିସ ତାକୁ ପିଛା କରିଥିଲା। କିନ୍ତୁ ସେ ଖସି ପଳାଇଥିଲା।

ଅମୃତପାଲ ଓ ପପଲପ୍ରୀତକୁ ଆଶ୍ରୟ ଦେବା ଅଭିଯୋଗରେ ଗିରଫ ହେବାରେ ବଲବୀର ହେଉଛନ୍ତି ଦ୍ବିତୀୟ ମହିଳା। ତାଙ୍କ ପୂର୍ବରୁ ଶାହାବାଦସ୍ଥିତ ଘରେ ଆଶ୍ରୟ ଦେଇଥିବା ଅଭିଯୋଗରେ ବଲଜୀତ କୌର ନାମ୍ନୀ ଜଣେ ମହିଳା ଗିରଫ ହୋଇଥିଲେ। ଶନିବାର ଖନ୍ନାଠାରେ ଅମୃତପାଲର ସହଯୋଗୀ ତେଜିନ୍ଦର ସିଂହ ଗିଲ ଓରଫ ଗୋର୍ଖା ବାବାକୁ ଆଶ୍ରୟ ଦେବା ଅଭିଯୋଗରେ ପୁଲିସ ବଲୱନ୍ତ ସିଂହ ନାମକ ବ୍ୟକ୍ତିକୁ ଗିରଫ କରିଛି। ଅମୃତପାଲର ବ୍ୟକ୍ତିଗତ ସୁରକ୍ଷା ଦାୟିତ୍ବରେ ଥିବା ଗିଲ୍‌ ଗତ ବୁଧବାର ଗିରଫ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଆସିଛି।

ସମ୍ବନ୍ଧିତ ଖବର