ପୂର୍ବରୁ ହତ୍ୟାର ଶିକାର ହୋଇଥିବା ଅନ୍ୟ ବିଶ୍ବ ନେତା

ନୂଆଦିଲ୍ଲୀ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ଆଜି ଗୁଳି କରି ହତ୍ୟା କରାଯାଇଛି। ଆବେଙ୍କ ହତ୍ୟା ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ତେବେ କେବଳ ଆବେ ନୁହନ୍ତି ପୂର୍ବରୁ ମଧ୍ୟ ବିଶ୍ବରେ ଆହୁରି ଅନେକ ନେତା ହତ୍ୟାର ଶିକାର ହୋଇଛନ୍ତି। ହତ୍ୟାର ଶିକାର ହୋଇଥିବା ଅନ୍ୟ ନେତାମାନେ ହେଲେ-

ମହାତ୍ମା ଗାନ୍ଧୀ: ୧୯୪୮ ଜାନୁଆରି ୩୦ରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ହତ୍ୟ‌ା କରାଯାଇଥିଲା। ଗାନ୍ଧୀ ଏକ ପ୍ରାର୍ଥନା‌ ସଭାକୁ ଯାଉଥିବା ବେଳେ ତାଙ୍କୁ ଗୁଳି କରାଯାଇଥିଲା। ଦେଶ ବିଭାଜନ ପାଇଁ ଗାନ୍ଧୀଙ୍କୁ ଦାୟୀ କରିଥିବା ନାଥୁରାମ ଗଡ଼ସେ ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗଡ଼ସେଙ୍କ ମତରେ ଗାନ୍ଧୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ କି ଦେଶ ଦୁର୍ବଳ ହେବାପାଇଁ ଦାୟୀ।

ଇନ୍ଦିରା ଗାନ୍ଧି: ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ୧୯୮୪, ଅକ୍ଟୋବର ୩୧ରେ ଗୁଳି କରି ହତ୍ୟା କରାଯାଇଥିଲା। ଅପରେସନ ବ୍ଲୁ ଷ୍ଟାର୍‌ ପରେ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କ ନିଜ ସୁରକ୍ଷାକର୍ମୀ ଗୁଳିକରି ହତ୍ୟା କରିଥିଲେ।

ରାଜୀବ ଗାନ୍ଧି: ଭାରତର ସପ୍ତମ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ତାଙ୍କ ମା’ ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ଦାୟିତ୍ବରେ ରହିଥିଲେ। ୧୯୯୧ ମେ’ ୨୧ରେ ରାଜୀବ ଗାନ୍ଧିଙ୍କୁ ଏକ ଆତ୍ମଘାତୀ ବିସ୍ଫୋରଣ ଦ୍ବାରା ହତ୍ୟା କରାଯାଇଥିଲା। ଆତ୍ମଘାତୀ ବିସ୍ଫୋରଣରେ ରାଜୀବ ଗାନ୍ଧି ଏବଂ ଅନ୍ୟ ୧୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଥେନମୋଝି ରାଜରତ୍ନମ ଓରଫ୍‌ ଧନୁ ଏହି ବିସ୍ଫୋରଣ ଘଟାଇଥିଲା।

ବେନାଜିର ଭୁଟ୍ଟୋ: ୨୦୦୭ ଡିସେମ୍ବରରେ ରାୱଲପିଣ୍ଡିରେ ଏକ ନିର୍ବାଚନ ରୢାଲି ସମୟରେ ପାକିସ୍ତାନୀ ନେତା ବେନାଜିର ଭୁଟ୍ଟୋଙ୍କର ଆତ୍ମଘାତୀ ବି‌ସ୍ଫୋରଣରେ ମୃତ୍ୟୁ ହୋଇଥିଲା। ଭୁଟ୍ଟୋଙ୍କ ହତ୍ୟା ପରେ ତାଙ୍କ ଦଳ ତଥା ପାକିସ୍ତାନ ପିପୁଲ୍ସ ପାର୍ଟିକୁ ବିପୁଳ ଜନ ସମର୍ଥନ ମିଳିଥିଲା

ଜନ୍‌ ‌ଏଫ୍‌ କେନେଡି: ଆମେରିକାର ପ୍ରମୁଖ ନେତା ଜନ ଏଫ୍‌ କେନେଡିଙ୍କୁ ୧୯୬୩ରେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ମୋଟରକେଡ୍‌ ଟେକ୍ସାସର ଡଲାସ ଦେଇ ଯାଉଥିବା ବେଳେ ତାଙ୍କ ଉପରକୁ ୨ ରାଉଣ୍ଡ୍‌ ଗୁଳି ମାଡ଼ ହୋଇଥିଲା। ସମସ୍ତେ ବିଶ୍ବାସ କରନ୍ତି ଯେ କେନେଡିଙ୍କ ହତ୍ୟା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିଲା । କିନ୍ତୁ ଏହାର କିଛି ପ୍ରମାଣ ନାହିଁ।

ମାର୍ଟିନ ଲୁଥର କିଙ୍ଗ୍‌: ମହାନ ଆମେରିକୀୟ ନାଗରିକ ଅଧିକାର ନେତା ମାର୍ଟିନ ଲୁଥର କିଙ୍ଗ୍‌ ୧୯୬୮ରେ ହତ୍ୟାର ଶିକାର ହୋଇଥିଲେ। ମାର୍ଟିନ ଲୁଥର କିଙ୍ଗ୍‌ଙ୍କୁ ଜେମ୍ସ ଅର୍ଲ‌୍ ରେ’ ହତ୍ୟା କରିଥିଲା।

କ୍ବାସେମ ସୁଲେମାନୀ: ଇରାନ୍‌ର ସର୍ବୋଚ୍ଚ ସାମରିକ କମାଣ୍ଡର କ୍ବାସିମ ସୁଲେମାନୀଙ୍କର ଆମେରିକାର ଡ୍ରୋନ୍‌ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ୨୦୨୦ ଜାନୁଆରି ୩ରେ ସୁଲେମାନୀଙ୍କୁ ହତ୍ୟା କରାଯାଇଥିଲା।

ଆବ୍ରାହମ ଲିଙ୍କନ୍‌: ଆମେରିକାର ସବୁଠୁ ଲୋକପ୍ରିୟ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ୍‌ ୧୮୬୫ ଏପ୍ରିଲ ୧୪ରେ ଆମେରିକାର ଫୋର୍ଡସ ଥିଏଟରରେ ବସିଥିବାବେଳେ ତାଙ୍କୁ ମୁଣ୍ଡକୁ ଗୁଳି କରି ହତ୍ୟା କରାଯାଇଥିଲା। ସେହିପରି ଲିବିୟାର ଏମ୍‌. ଗଦ୍ଦାଫି ଏବଂ ଆମେରିକାର ମାଲକମ୍‌ ଏକ୍ସଙ୍କୁ ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର