ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ବାରବୁଲା  କୁକୁରମାନଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି କୁକୁର ଆକ୍ରମଣରେ କାକାଦେବର ନବୀନ ନଗର ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ଶିକ୍ଷୟିତ୍ରୀଙ୍କ ନାମ ଅର୍ଣ୍ଣପୁର୍ଣ୍ଣା ସିଂହ ଓ ବୟସ ୫୨ବର୍ଷ ବୋଲି ଜଣାପଡ଼ିଛି। 

Advertisment

ସୂଚନାଯୋଗ୍ୟ, ଅର୍ଣ୍ଣପୁର୍ଣ୍ଣା ସିଂହ କାନପୁରର କାକାଦେବରେ ଯୋଗ ଶିକ୍ଷୟିତ୍ରୀ ଥିଲେ। ଘଟଣା ଦିନ ଅର୍ଣ୍ଣପୁର୍ଣ୍ଣା ସ୍କୁଟି ଯୋଗେ ରାତି ୧୦ଟା ସମୟରେ ଘରକୁ ଫେରୁଥିଲେ। ଏହି ସମୟରେ ନବୀନ ନଗର ଅଞ୍ଚଳରେ କୁକୁରଦଳ ଅର୍ଣ୍ଣପୁର୍ଣ୍ଣା ସିଂହଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅର୍ଣ୍ଣପୁର୍ଣ୍ଣା ଭାରସାମ୍ୟ ରକ୍ଷା କରି ପାରି ନଥିଲେ। ଫଳରେ ସେ ସ୍କୁଟି ସହିତ ରାସ୍ତାରେ ଯାଇ କଚାଡ଼ି ହୋଇ ପଡ଼ି ଯାଇଥିଲେ। ଏହି ସମୟରେ ସେ ହେଲମେଟ ବି ପିନ୍ଧି ନଥିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟଲୋକେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଅର୍ଣ୍ଣପୁର୍ଣ୍ଣାଙ୍କ ସ୍ବାମୀ ସ୍ତ୍ରୀଙ୍କ ମୃତ୍ୟୁକୁ ନେଇ କହିଛନ୍ତି, ‘ଅର୍ଣ୍ଣପୁର୍ଣ୍ଣା ଏମିତି ଆମ ସମସ୍ତଙ୍କୁ ଛାଡ଼ି ଚାଲିଯିବ ଏକଥା କେହି ଚିନ୍ତା ବି କରି ପାରି ନଥିଲେ। ଅର୍ଣ୍ଣପୁର୍ଣ୍ଣାର ଇଚ୍ଛା ଥିଲା ପ୍ରୟାଗରାଜରେ କୁମ୍ଭମେଳା ଦେଖିବା ପାଇଁ କିନ୍ତୁ ତାର ଏ ଇଚ୍ଛା ଅଧାରେ ରହିଗଲା। ଅର୍ଣ୍ଣପୁର୍ଣ୍ଣାର ଅସ୍ତି ନେଇ ମୁଁ ପ୍ରୟାଗରାଜରେ ମହାକୁମ୍ଭମେଳାରେ ବିସର୍ଜନ କରିବି।’