କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ପ୍ରଶ୍ନର ଉତ୍ତର: କୋଭିଡରେ କୌଣସି ପିଭିଟିଜିଙ୍କ ମୃତ୍ୟୁ ହୋଇନାହିଁ

ନୂଆଦିଲ୍ଲୀ : ଓଡ଼ିଶାରେ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ର କୌଣସି ସଦସ୍ୟଙ୍କ କରୋନାରେ ମୃତ୍ୟୁ ହୋଇନାହିଁ। ଓଡ଼ିଶାରେ ପିଭିଟିଜି ଗୋଷ୍ଠୀରୁ ସମୁଦାୟ ୩୧୪ଟି କରୋନା ସଂକ୍ରମଣ ମାମଲା ଆସିଥିଲା। ୩୧୪ଟି ମାମଲାରେ ସମସ୍ତ ସଂକ୍ରମିତ ଆରୋଗ୍ୟ ଲାଭକରିଛନ୍ତି। ହୋମ୍‌ ଆଇସୋଲେସନ୍‌, ହସ୍ପିଟାଲ୍‌ ଓ ସଂଗରୋଧ କେନ୍ଦ୍ରରେ କୌଣସି କୋଭିଡ ସକ୍ରିୟ ମାମଲା ନାହିଁ। ଆଜି ଲୋକସଭାରେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଓଡ଼ିଶାରେ ପିଭିଟିଜି ଗୋଷ୍ଠୀରେ କରୋନାର ସ୍ଥିତି ସଂପର୍କୀତ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ।

ଶ୍ରୀ ଟୁଡୁ ତାଙ୍କ ଉତ୍ତରରେ ଉଲ୍ଲେଖ କରି କହିଥିଲେ, ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଆଦିବାସୀ ଇଲାକାରେ ପିଭିଟିଜି ଗୋଷ୍ଠୀରେ ଯେ ଭଳି କରୋନା ପ୍ରବେଶ କରିବ ନାହିଁ ସେ ନେଇ ଅନେକ ପଦକ୍ଷେପ ନିଆଯାଇଥିବାର ସୂଚିତ କରାଯାଇଛି। ‘ଆକ୍ସନ ଅନ୍‌ କଣ୍ଟେନମେଣ୍ଟ୍‌ ଆଣ୍ଡ୍‌ ପ୍ରିଭେଣ୍ଟିଭ୍‌ ମେଜର୍‌’ ଅନ୍ତର୍ଗତ ୧୬୭୯ ପିଭିଟିଜି ଗାଁ’ରେ ୬୪ ହଜାର ୨୨୪ ପରିବାରଙ୍କ ‘ଡୋର୍‌ ଟୁ ଡୋର୍‌’ ସର୍ଭେ କରାଯାଇଛି। ସ୍ବତନ୍ତ୍ର ଟିକାକରଣ କ୍ୟାମ୍ପର ଆୟୋଜନ କରାଯାଇ ୨୩ ହଜାର ୯୬୮ ପିଭିଟିଜିଙ୍କ ଟିକାକରଣ କରାଯାଇଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ ପ୍ରଦତ୍ତ ତଥ୍ୟ ଆଧାରରେ ସୂଚନା ଦେଇଛନ୍ତି। ଏତଦ୍‌ ବ୍ୟତୀତ ପିଭିଟିଜି ଗୋଷ୍ଠୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ଅବଗତ କରାଯାଇଛି। ‘ଆକସନ୍‌ ଅନ୍‌ କ୍ଲିନିକାଲ୍‌ ମ୍ୟାନେଜମେଣ୍ଟ୍‌’ ଅନ୍ତର୍ଗତ ପିଭିଟିଜି ଏରିଆରେ ସମର୍ପିତ ଡାକ୍ଟର ଓ ନର୍ସମାନଙ୍କ ଟିମ୍‌ ଗଠନ କରାଯାଇ ଚିକିତ୍ସାକୁ ସୁନିଶ୍ଚିତ କରାଯିବା ପଦକ୍ଷେପ ନିଆଯାଉଛି । କମ୍ୟୁନିଟି ଏନ୍‌ଗେଜମେଣ୍ଟ୍‌ ଓ ସାମାଜିକ ସଚେତନତା, ମାନବିକ ଅଧିକାରକୁ ସୁରକ୍ଷିତ ରଖିବା ତଥା ବିଭିନ୍ନ ଆଡଭାଇଜରିଗୁଡିକର କ୍ରିୟାନ୍ବୟନର ତଦାରଖ ଭଳି ପଦକ୍ଷେପ ନିଆଯାଉଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତ‌ାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର