ତରବରିଆ ଗିରଫଦାରୀ ନେଇ ପ୍ରଧାନ ବିଚାରପତିଙ୍କ ଉଦ୍‌ବେଗ

ବକେୟା ୫ କୋଟି ମାମଲା ନେଇ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଚିନ୍ତା

ନୂଆଦିଲ୍ଲୀ: ଦେଶରେ ବ୍ୟାପକ ଭାବେ ତରବରିଆ ଗିରଫଦାରୀ ହେଉଥିବା ଏବଂ ଅଭିଯୁକ୍ତଙ୍କୁ ଜାମିନ ମିଳିବାରେ ବିଳମ୍ବ ହେଉଥିବା ନେଇ ପ୍ରଧାନ ବିଚାରପତି ଏନ୍‌ଭି ରମଣା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଜି ଜୟପୁରରେ ସର୍ବଭାରତୀୟ ଆଇନ ସେନା ପ୍ରାଧିକରଣ ବୈଠକରେ ପ୍ରଧାନ ବିଚାରପତି ରମଣା କହିଛନ୍ତି, ପରିସ୍ଥିତି ଏଭଳି ହୋଇଯାଇଛି ଯେ ଆମ ଅପରାଧିକ ନ୍ୟାୟ ବ୍ୟବସ୍ଥା ହିଁ ଦଣ୍ଡ ପ୍ରକ୍ରିୟା ପାଲଟି ଯାଇଛି। ଏହା ସହିତ ବିଚାରାଧୀନ କଏଦୀଙ୍କୁ ଦୀର୍ଘ ଦିନ ଧରି ଜେଲ୍‌ରେ ରଖିବା ପ୍ରସଙ୍ଗରେ ମଧ୍ୟ ତତ୍କାଳ ଧ୍ୟାନ ଦେବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ପୂର୍ବରୁ ସରକାର ଓ ବିରୋଧୀଙ୍କ ମଧ୍ୟରେ ପରସ୍ପର ପ୍ରତି ସମ୍ମାନ ରହୁଥିଲା। ଦୁର୍ଭାଗ୍ୟକୁ ଏବେ ତାହା ଦେଖିବାକୁ ମିଳୁନାହିଁ ଏବଂ ରାଜନୈତିକ ବିରୋଧକୁ ଶତ୍ରୁତା ଭାବେ ଦେଖାଯାଉଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଏହି ଅବସରରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଥିଲେ ଯେ ଦେଶରେ ପ୍ରାୟ ୫ କୋଟିରୁ ଅଧିକ ବକେୟା ମାମଲା ପଡ଼ି ରହିଛି। ଏତେଗୁଡ଼ିଏ ମାମଲାର ବିଚାର ହୋଇପାରୁନଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଧାନ ବିଚାରପତିଙ୍କ ସହ ବୈଠକରେ ଏକାଠି ଯୋଗ ଦେବା ଅବସରରେ ରିଜିଜୁ କହିଛନ୍ତି, ନ୍ୟାୟପାଳିକା ଏବଂ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ଦ୍ବାରା ଦେଶରେ ପଡ଼ି ରହିଥିବା ମାମଲାଗୁଡ଼ିକର ଶୀଘ୍ର ବିଚାର ହୋଇପାରିବ । ରିଜିଜୁଙ୍କ କଥାର ଉତ୍ତର ରଖି ରମଣା କହିିଥିଲେ, ଆଇନ ମନ୍ତ୍ରୀ ଦେଇଥିବା ଟିପ୍ପଣୀର ଜବାବ ରଖିବା ତାଙ୍କ ଦାୟିତ୍ବ। ଆମେ ବିଚାରପତିମାନେ ବିଦେଶକୁ ଗଲେ ମଧ୍ୟ ସମାନ ପ୍ରଶ୍ନ ସାମ୍ନା କରୁଛୁ। ମାମଲା ପଡ଼ି ରହିବାର କାରଣ ସମସ୍ତେ ଜାଣିଛନ୍ତି। ମୁଁ ଏ ବିଷୟରେ ଅଧିକ ବର୍ଣ୍ଣନା କରିବାକୁ ଚାହୁନି। ନ୍ୟାୟପାଳିକାରେ ଥିବା ଖାଲି ସ୍ଥାନ ପୂରଣ ନହେବା ଯୋଗୁଁ ଏବଂ ନ୍ୟାୟାପାଳିକା ଭିତ୍ତିଭୂମି ବିକାଶ ନହେବା ଯୋଗୁଁ ମାମଲା ପଡ଼ି ରହୁଛି ବୋଲି ପ୍ରଧାନ ବିଚାରପତି କହିଥିଲେ। ଦେଶରେ ସଂପ୍ରତି ୬.୧୦ ଲକ୍ଷ କଏଦୀଙ୍କ ମଧ୍ୟରୁ ୮୦ ପ୍ରତିଶତ ବିଚାରାଧୀନ କଏଦୀ ବୋଲି ପ୍ରଧାନ ବିଚାରପତି ଏହି ଅବସରରେ ତଥ୍ୟ ରଖିଥିଲେ।

ବିଚାରପତିଙ୍କ ବିରୋଧରେ ମନ୍ତବ୍ୟକୁ ଗେହଲଟଙ୍କ ନାପସନ୍ଦ
ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଜୟପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ଆଇନ ସେନା ପ୍ରାଧିକରଣ ବୈଠକରେ କହିଥିଲେ ଯେ ଏବେ ବିଚାରପତିମାନଙ୍କୁ ଟାର୍ଗେଟ୍‌ କରାଯାଉଛି। ନୂପୁର ଶର୍ମାଙ୍କ ପ୍ରଫେଟ୍ ମନ୍ତବ୍ୟକୁ ନେଇ ସୁପ୍ରିମ୍‌କୋର୍ଟର ଦୁଇଜଣ ବିଚାରପତି ନୂପୁରଙ୍କୁ ଭର୍ତ୍ସନା କରିବା ସହ କ୍ଷମା ମାଗିବାକୁ କହିଥିବାରୁ ତାହାକୁ ନେଇ ବିଚାରପତିଦ୍ବୟଙ୍କୁ ଟାର୍ଗେଟ୍ କରାଯିବା ନିନ୍ଦନୀୟ ବୋଲି ସେ କହିଛନ୍ତି। ଆମର କର୍ତ୍ତବ୍ୟ ହେଉଛି ଆମେ ନ୍ୟାୟପାଳିକାକୁ ସମ୍ମାନ ଦେବା। କିନ୍ତୁ ପୂର୍ବତନ ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ବିଚାରପତିଙ୍କ ସମେତ ୧୧୬ ଜଣ ଲୋକଙ୍କୁ (ବିଚାରପତିଦ୍ବୟଙ୍କ ବିରୋଧରେ) ଛିଡ଼ା କରାଇ ଦିଆଗଲା। ଗେହଲଟ ପୁଣି କହିଲେ ଯେ ପୂର୍ବତନ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ ଏବେ ରାଜ୍ୟସଭା ଏମ୍‌ପି। ଅବସର ପରେ ଏପରି ପଦପ୍ରାପ୍ତିର ସମ୍ଭାବନା ବା ପ୍ର‌ଲୋଭନ ରହିଲେ ଏହା ବିଚାରପତିମାନଙ୍କ କାର୍ଯ୍ୟଧାରାକୁ ପ୍ରଭାବିତ କରିପାରେ। ଏହି ଅବସରରେ ଗେହଲଟ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର