ଆଣ୍ଟାର୍କଟିକାରେ ରେକର୍ଡ ୧୮.୩ ଡିଗ୍ରୀ ତାପମାତ୍ରା

ରିପୋର୍ଟ ସତ ବୋଲି କହିଲା ଜାତିସଂଘ

ଆଣ୍ଟାର୍କଟିକା : ଚଳିତବର୍ଷ ଫେବ୍ରୁଆରି ୬ ତାରିଖରେ ଆଣ୍ଟାର୍କଟିକାରେ ନୂତନ ସର୍ବାଧିକ ତାପମାତ୍ରା ୧୮.୩ ଡିଗ୍ରୀ ସେଲ୍‌ସିୟସ୍ (୬୪.୯ ଡିଗ୍ରୀ ଫାରେନ୍‌ହିଟ୍‌) ରେକର୍ଡ କରାଯାଇଥିଲା। ଜାତିସଂଘର ବିଶ୍ବ ପାଣିପାଗ ସଂଗଠନ (ୟୁଏନ୍‌ଡବ୍ଲୁଏମ୍‌ଓ) ଏହି ରିପୋର୍ଟକୁ ସତ୍ୟ ବୋଲି କହିଛି। ଏହାଦ୍ବାରା ଆଣ୍ଟାର୍କଟିକା ବର୍ତ୍ତମାନ ବିଶ୍ବର ଦ୍ରୁତତମ ବୃଦ୍ଧିଶୀଳ ତାପମାତ୍ରା ବିଶିଷ୍ଟ ଅଞ୍ଚଳଭାବେ ପରିଗଣିତ ହୋଇଛି ଏବଂ ଗତ ୫୦ ବର୍ଷ ଭିତରେ ଏହାର ତାପମାତ୍ରା ୩ ଡିଗ୍ରୀ ବୃଦ୍ଧି ପାଇଛି ବୋଲି ଗୁରୁବାର ଡବ୍ଲୁଏମ୍‌ଓର ମହାସଚିବ ପେଟ୍ଟେରି ଟାଲସ କହିଛନ୍ତି।

ଉକ୍ତ ଜାତିସଂଘ ସଂସ୍ଥାର କହିବା ଅନୁସାରେ ହାଇପ୍ରେସର ସିଷ୍ଟମ୍ ଯୋଗୁ ‘ଫନ୍ କଣ୍ଡିସନ’ ସୃଷ୍ଟି ହୋଇଥିବାରୁ ବା ଅନ୍ୟ ଭାଷାରେ କହିଲେ ଆଲ୍‌ପ୍‌ସ ପର୍ବତମାଳାରୁ ଶୁଷ୍କ ଉଷ୍ମ ବାୟୁ ପ୍ରବାହିତ ହେବା ଯୋଗୁ ମେରୁ ଅଞ୍ଚଳର ତାପମାତ୍ରା ବୃଦ୍ଧି ପାଉଛି। ଏହା ଫଳରେ ଉଭୟ ଏସ୍ପେରାଞ୍ଜା ଷ୍ଟେସନ ଏବଂ ସିମୋର ଦ୍ବୀପାଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇଛି। ଡବ୍ଲୁଏମ୍‌ଓ ଅନୁସାରେ ଆଣ୍ଟାର୍କଟିକା ମହାଦେଶରେ ପୂର୍ବରୁ ସର୍ବୋଚ୍ଚ ତାପମାତ୍ରା ଥିଲା ୧୭.୫ ଡିଗ୍ରୀ ସେଲ୍‌ସିୟସ୍, ଯାହା ମାର୍ଚ୍ଚ ୨୪, ୨୦୧୫ରେ ଏସ୍ପେରାଞ୍ଜା ରିସର୍ଚ୍ଚ ଷ୍ଟେସନରେ ରେକର୍ଡ କରାଯାଇଥିଲା। ୧୮.୩ ଡିଗ୍ରୀ ସେଲ୍‌ସିୟସ୍‌ର ଏହି ନୂଆ ତାପମାତ୍ରା ବି ଆର୍ଜେଣ୍ଟିନାସ୍ଥିତ ଉକ୍ତ ଷ୍ଟେସନରେ ରେକର୍ଡ କରାଯାଇଛି ବୋଲି ଜାତିସଂଘ ସଂସ୍ଥା ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର