ନୂଆଦିଲ୍ଲୀ: ଆଣ୍ଟାର୍କଟିକାରେ ଏକ ଗ୍ଲେସିୟର (ହିମଶୈଳ) ଅଛି ଯାହାର ନାଁ ଥ୍ବେଟିସ୍ ଗ୍ଲେସିୟର ଏବଂ ଏହା ଅନେକ ସମୟରେ ‘ଡୁମ୍‌ସଡେ ଗ୍ଲେସିୟର’ ଭାବେ ଜଣାଶୁଣା। ଏହି ବିରାଟ ହିମଶୈଳ ଏବେ ତରଳି କ୍ଷୟ ପାଉଥିବା ନୂତନ ଅନୁଧ୍ୟାନରୁ ଜଣାପଡ଼ିଛି। ଏହାକୁ ନେଇ ପରିବେଶବିତ୍‌ମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଭାରତର ଗୁଜରାଟ ରାଜ୍ୟର ଆକାରବିଶିଷ୍ଟ ଏହି ହିମଶୈଳ ଯଦି ଏପରିଭାବେ ତରଳି କ୍ଷୟପାଇ ଚାଲେ ତେବେ ବିଶ୍ବ ସମୁଦ୍ରସ୍ତରରେ ପ୍ରଳୟ ସୃଷ୍ଟିକାରୀ ଉତ୍ଥାନ ଘଟିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Advertisment

ପୃଷ୍ଠଦେଶର ଅଧ କିଲୋମିଟର ତଳେ ସମୁଦ୍ରର ଉଷ୍ମଜଳ ହିମଶୈଳକୁ ତଳୁ ତରଳାଉଛି ଏବଂ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଏହାକୁ ଉପରୁ ତରଳାଉଛି। ଫଳରେ ଉକ୍ତ ୧୨୦ କିଲୋମିଟର ଚଉଡ଼ା ହିମଶୈଳରେ ବର୍ଷକୁ ୪୩ ମିଟର ଦୀର୍ଘ ଉପତ୍ୟକା ସୃଷ୍ଟି ହେଉଛି ବୋଲି ବ୍ରିଟିସ ଆଣ୍ଟାର୍କଟିକ୍ ସର୍ଭେର ଗବେଷକମାନେ କହିଛନ୍ତି। ସେମାନଙ୍କ ଏହି ଗବେଷଣାର ତଥ୍ୟ ନେଚର ପତ୍ରିକାରେ ପ୍ରକାଶ ପାଇଛି। ହିମଶୈଳ ତରଳିବା ଯୋଗୁ ପ୍ରତିବର୍ଷ ଶହଶହ କୋଟି ଟନ ବରଫ ଜଳ ହୋଇ ସମୁଦ୍ର ପାଣିରେ ମିଶୁଛି। ଫଳରେ ସମୁଦ୍ର ସ୍ତର ବର୍ଷକୁ ୪ ପ୍ରତିଶତ ଲେଖାଏ ବୃଦ୍ଧି ପାଉଛି। ୧୯୯୦ ଦଶକ ଶେଷଭାଗରୁ ହିମଶୈଳଟି ୧୪ କିଲୋମିଟର ହ୍ରାସ ପାଇସାରିଲାଣି। ଏହା ସମୁଦ୍ରକୁ ଲାଗିଥିବାରୁ ଅଧିକ ପରିମାଣରେ ସମୁଦ୍ରର ଉଷ୍ମଜଳ ସଂସ୍ପର୍ଶରେ ଆସୁଛି।

publive-image

ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଯଦି ସମ୍ପୂର୍ଣ୍ଣ ଭାବେ ଡୁମ୍‌ସଡେ ହିମଶୈଳ ତରଳିଯାଏ ତେବେ ସମୁଦ୍ରର ଜଳସ୍ତର ୨ ଫୁଟରୁ ଅଧିକ (୭୦ ସେଣ୍ଟିମିଟର) ବୃଦ୍ଧି ପାଇବ। ଫଳରେ ପୃଥିବୀର ଉପକୂଳବର୍ତ୍ତୀ ନଗରୀଗୁଡ଼ିକ ସମୁଦ୍ରରେ ବିଲୀନ ହୋଇଯିବ। ପୁନଶ୍ଚ ଡୁମ୍‌ସଡେ ହିମଶୈଳ ପଶ୍ଚିମ ଆଣ୍ଟାର୍କଟିକାର ଅବଶିଷ୍ଟ ବରଫକୁ ମଧ୍ୟ ସମୁଦ୍ରଠାରୁ ଏକ ବନ୍ଧ ପରି ସୁରକ୍ଷା ଦେଇଥାଏ। ଯଦି ଏହି ହିମଶୈଳ ଲୋପ ପାଇଯାଏ ତେବେ ଅବଶିଷ୍ଟ ବରଫ ବି ସୁରକ୍ଷା ପାଇପାରିବ ନାହିଁ। ସେଗୁଡ଼ିକ ବି ତରଳିବାକୁ ଆରମ୍ଭ କରିବ। ତା’ପରେ ବିଶ୍ବ ସମୁଦ୍ରର ଜଳସ୍ତର ୧୦ ଫୁଟ ଯାଏ ବୃଦ୍ଧି ପାଇବ। ଫଳରେ ଭୂମଣ୍ଡଳରେ ପ୍ରଳୟ ସୃଷ୍ଟି ହେବ। ଏଣୁ ବିଶ୍ବତାପନକୁ ରୋକିବା ପାଇଁ ବିଶ୍ବସମୁଦାୟ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।