ସେନା ବିରୋଧୀ ଟ୍ବିଟ୍‌: ରିଚା ଚଢ଼ାଙ୍କୁ ଘେରିଲେ ସେଲିବ୍ରିଟି

ନୂଆଦିଲ୍ଲୀ : ସରକାର ନିର୍ଦ୍ଦେଶ ଦେଲେ ପାକିସ୍ତାନ ଠାରୁ ପାକ୍‌ ଅଧୀକୃତ କାଶ୍ମୀର ଛଡ଼ାଇ ଆଣିବାକୁ ପ୍ରସ୍ତୁତ ବୋଲି ଭାରତୀୟ ସେନାର ଉତ୍ତର କମାଣ୍ଡ୍‌ର କମାଣ୍ଡିଂ ଇନ ଚିଫ୍‌ ଉପେନ୍ଦ୍ର ଦ୍ବିବେଦୀ ଦେଇଥିବା ମନ୍ତବ୍ୟ ଉପରେ ଅଭିନେତ୍ରୀ ରିଚା ଚଢ଼ା କରିଥିବା ବ୍ୟଙ୍ଗ ଟ୍ବିଟ୍‌କୁ ନେଇ ବଡ଼ ବିବାଦ ହୋଇଛି। ରିଚା ତାଙ୍କ ଟ୍ବିଟ୍‌ରେ ‘ଗଲୱାନ ସେଜ୍‌ ହାଏ’ ବା ଗଲୱାନ କହୁଛି ହାଏ ‌ବୋଲି ଲେଖିଥିଲେ। ତାଙ୍କ ଟ୍ବିଟକୁ ସାମାଜିକ ଗଣମାଧ୍ୟମରେ ଲୋକମାନେ ପ୍ରବଳ ମାତ୍ରାରେ ନିନ୍ଦା କରିଥିଲେ। ଅନେକ ତାଙ୍କୁ ଦେଶଦ୍ରୋହୀ କହିବା ସହିତ ସେନାକୁ ଅପମାନ କରିଥିବା ଅଭିଯୋଗ ଆଣିଛନ୍ତି। ବଲିଉଡ୍‌ର ଅନେକ ଅଭିନେତା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅକ୍ଷୟ କୁମାର, ବିବେକ ଅଗ୍ନିହୋତ୍ରୀ, ଅନୁପମ ଖେର ଆଦି ରହିଛନ୍ତି।

ସେନା ପ୍ରତି ଆମେ କେବେବି ଅକୃତଜ୍ଞ ହେବା ଉଚିତ ନୁହେଁ: ଅକ୍ଷୟ କୁମାର
ଦେଶ ବିଷୟରେ ଖରାପ କହୁଥିବା ବ୍ୟକ୍ତି ଭୀରୁ: ଅନୁପମ ଖେର

ରିଚାଙ୍କ ଟ୍ବିଟ ସଂପର୍କରେ ଅକ୍ଷୟ କୁମାର ଲେଖିଛନ୍ତି ଏହା ଦେଖି ଦୁଃଖ ଲାଗୁଛି। ଆମେ ଆମ ସେନା ପ୍ରତି କେବେବି ଅକୃତଜ୍ଞ ହେବା ଉଚିତ ନୁହେଁ। ସେମାନେ ଅଛନ୍ତି ବୋଲି ଆଜି ଆମେ ରହିଛେ ବୋଲି ଅକ୍ଷୟ କୁମାର କହିଛନ୍ତି। ତେବେ ଅକ୍ଷୟଙ୍କ ଟ୍ବିଟକୁ କେତେକ ସମାଲୋଚନା କରିଥିବାବେଳେ ତାଙ୍କର ପ୍ରଶଂସକମାନେ ତାଙ୍କୁ ସମର୍ଥନ କରିଛନ୍ତି। ଆନନ୍ଦ ରଙ୍ଗନାଥନ କହିଛନ୍ତି, ଅକ୍ଷୟ କୁମାରଙ୍କ ପାଖରେ ଭାରତୀୟ ନାଗରିକତା ନାହିଁ। ସେ କାହିଁକି ଭାରତୀୟ ପ୍ରସଙ୍ଗରେ ମତ ରଖୁଛନ୍ତି? ଅକ୍ଷୟ କୁମାରଙ୍କୁ ବିରୋଧ କରି ଆଉ ଜଣେ ଲେଖିଛନ୍ତି, ଗତ ୧୦ ବର୍ଷ ହେଲା ଭାରତୀୟ ପାସପୋର୍ଟ ନେଇ ବାହାନା କରୁଛ। ଫ୍ଲପ ସିନେମା ପାଇଁ ଭାରତୀୟ ପ୍ରଶଂସକମାନେ ତୁମକୁ ୫୦ କୋଟି ଟଙ୍କା ଚାର୍ଜ କରିବାକୁ ‌ଅନୁମତି ଦେଇଛନ୍ତି। କିଛି ଲୋକ ଅକ୍ଷୟ କୁମାରଙ୍କୁ କାନାଡ଼ା କୁମାର କହି ସମାଲୋଚନା କରିଥିବାବେଳେ ତାଙ୍କ ସମର୍ଥନରେ ମଧ୍ୟ ପ୍ରବଳ ସ୍ବର ଉଠିଛି। ଜଣେ ପ୍ରଶଂସକ ଲେଖିଛନ୍ତି ଭାରତୀୟ ପାସପୋର୍ଟ ରଖିଥିବା ରିଚା ଚଢ଼ା ଓ ତୁମମାନଙ୍କ ତୁଳନାରେ ଭାରତରେ କାନାଡ଼ାର ନାଗରିକ ଅଧିକ ଦେଶଭକ୍ତ ଏବଂ ଭାରତୀୟ ସେନା ପ୍ରତି ଅଧିକ ଭଲପାଇବା ରହିଛି।

ରିଚା ଚଢ଼ାଙ୍କ ଟ୍ବିଟ ଉପରେ ଅନ୍ୟତମ ଅଭିନେତା ଅନୁପମ ଖେର ମଧ୍ୟ ମତ ରଖିଛନ୍ତି। ଏହା ଲଜ୍ଜାଜନକ ବୋଲି କହିଛନ୍ତି। ଦେଶ ବିଷୟରେ ଖରାପ କହିବା ଭୀରୁମାନଙ୍କ କାମ ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରିଚା ତାଙ୍କ ଟ୍ବିଟକୁ ଗତକାଲି ଡିଲିଟ କରିଦେବା ସହିତ କ୍ଷମା ମାଗିଛନ୍ତି। ରିଚା କହିଛନ୍ତି, ସେନାକୁ ଅପମାନିତ କରିବାକୁ ଚାହେନି କିମ୍ବା ମୋର ସେଭଳି କୌଣସି ଉଦ୍ଦେଶ୍ୟ ନ ନଥିଲା। ମୋର ତିନିଟି ଶବ୍ଦକୁ ନେଇ ବିବାଦ ଦେଖାଦେଇଛି। ଏହା କାହାକୁ ଖରାପ ଲାଗିଥିଲେ ମୁଁ ତାଙ୍କୁ କ୍ଷମା ମାଗୁଛି। ମୋର ଅଜା ସେନାରେ ଥିଲେ। ସେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବିରେ କାର୍ଯ୍ୟ କରିଛନ୍ତି। ଚୀନ ସହିତ ହୋଇଥିବା ଯୁଦ୍ଧରେ ତାଙ୍କ ଗୋଡ଼ରେ ଗୁଳି ଲାଗିଥିଲା। ମୋର ମାମୁ ମଧ୍ୟ ପାରାଟ୍ରୁପର। ଏଥିପାଇଁ ଏପ୍ରକାର ଭାବନା ମୋ ନିକଟରେ ରହିଛି। ସେନାରେ ଜଣେ ଯବାନ ସହିଦ ହେଲେ ପୁରା ପରିବାର କଷ୍ଟ ଭୋଗିଥାଏ। ଏହା ମୋ ପାଇଁ ଏକ ଭାବନାତ୍ମକ ପ୍ରସଙ୍ଗ ବୋଲି ରିଚା କହିଛନ୍ତି। କିନ୍ତୁ ରିଚାଙ୍କୁ ପାକିସ୍ତାନରେ ପ୍ରବଳ ସମର୍ଥନ ମିଳିଛି। ସେମାନେ ରିଚାଙ୍କୁ ପୀଡ଼ିତା ବୋଲି କହିଛନ୍ତି। ତେବେ ରିଚାଙ୍କ ସମର୍ଥନରେ ପାକିସ୍ତାନୀଙ୍କ ବୟାନ ତାଙ୍କ ଅଡ଼ୁଆ ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର