ନୂଆଦିଲ୍ଲୀ, : ଦିଲ୍ଲୀର ଜେଏନ୍ୟୁ (ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ) ପରିସରରେ ବ୍ରାହ୍ମଣ ଏବଂ ବଣିଆ ସମ୍ପ୍ରଦାୟ ବିରୋଧରେ ସ୍ଲୋଗାନ ଦିଆଯାଇଛି। ଜେଏନ୍ୟୁ ପରିସରରେ ବିଭିନ୍ନ କାନ୍ଥରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ ଲେଖାଯାଇଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସ୍କୁଲ ଅଫ୍ ଇଣ୍ଟରନେସନାଲ ଷ୍ଟଡିଜ୍ ବିଲ୍ଡିଂର କାନ୍ଥରେ ଏହି ସ୍ଲୋଗାନ ଲେଖାଯିବା ସହ କାନ୍ଥ ଭଙ୍ଗାରୁଜା ହୋଇଛି ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।
ଜେଏନ୍ୟୁ ପରିସର କାନ୍ଥରେ ଲେଖାଯାଇଥିବା ସ୍ଲୋଗାନର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ବ୍ରାହ୍ମଣ ଏବଂ ବଣିଆ ସମ୍ପ୍ରଦାୟକୁ ଜେଏନ୍ୟୁ ଛାଡ଼ିବାକୁ କୁହାଯାଇଛି। ‘ଆମେ ଏଠାକୁ ପ୍ରତିଶୋଧ ନେବାକୁ ଆସିଛୁ’ ବୋଲି ଲେଖାଯାଇଛି। ଜେଏନ୍ୟୁ କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଜେଏନ୍ୟୁ ପରିସରରେ ଏଭଳି କାର୍ଯ୍ୟକୁ ଆଦୌ ବରଦାସ୍ତ କରାଯିବନି ବୋଲି ପ୍ରଶାସନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ବିବୃତି ଅନୁଯାୟୀ ସ୍କୁଲ୍ ଅଫ ଇଣ୍ଟରନେସନାଲ ଷ୍ଟଡିଜ୍ ଆଣ୍ଡ ଗ୍ରିଭାନ୍ସେସ୍ କମିଟିର ଡିନ୍ଙ୍କୁ ଉକ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।