ସିଏଏ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଜାରି : ଜଳୁଛି ୟୁପି; ପୁଲିସ ଗୁଳିରେ ୬ ମୃତ

ବିଭିନ୍ନ ସହରରେ ରକ୍ତାକ୍ତ ସଂଘର୍ଷ; ପୋଡ଼ାଜଳା

ବିଭିନ୍ନ ସହରରେ ରକ୍ତାକ୍ତ ସଂଘର୍ଷ; ପୋଡ଼ାଜଳା
୧୨ ବିକ୍ଷୋଭକାରୀ ଓ ୫୦ ପୁଲିସ ଆହତ
ସପ୍ତାହ ଭିତରେ ପୁଲିସ ଗୁଳିରେ ୧୪ ମୃତ
ୟୁପିରେ ଆଜି ସବୁ ସ୍କୁଲ୍‌, କଲେଜ ବନ୍ଦ ରହିବ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ଆଜି ମଧ୍ୟ ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ, କାନପୁର ଏବଂ ବେଙ୍ଗାଲୁରୁ ଆଦି ସହରରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ତେବେ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ବ୍ୟାପକ ପୋଡ଼ାଜଳା ହୋଇଥିବାବେଳେ ପୁଲିସ ସହିତ ବିକ୍ଷୋଭକାରୀଙ୍କ ରକ୍ତାକ୍ତ ସଂଘର୍ଷ ଘଟିଛି। ଆଉ ପୁଲିସ ଗୁଳିରେ ଆଜି ୬ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବେଶ୍ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ସେହିପରି ବିକ୍ଷୋଭକାରୀଙ୍କ ଢେଲାମାଡ଼ରେ ୫୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହାକୁ ମିଶାଇ ସିଏଏ ବିରୋଧୀ ଆନ୍ଦୋଳନରେ ସପ୍ତାହକ ମଧ୍ୟରେ ପୁଲିସ ଗୁଳିରେ ୧୪ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି। ହିଂସା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ଶନିବାର ଉତ୍ତର ପ୍ରଦେଶର ସମସ୍ତ ସ୍କୁଲ୍‌ କଲେଜ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି।

ଆଜି ଉତ୍ତରପ୍ରଦେଶର କା‌ନପୁର, ବୁଲନ୍ଦସହର, ବିଜନୋର, ସମ୍ଭଲ ଏବଂ ଫିରୋଜବାଦରେ ହଜାର ହଜାର ବିକ୍ଷୋଭକାରୀ ପୋଡ଼ାଜଳା ଆରମ୍ଭ କରିବାରୁ ସ୍ଥିତି ଅଣାୟତ୍ତ ହୋଇ ଉଠିଥିଲା। ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇଥିଲା। ପୁଲିସ ଗୁଳିରେ କାନପୁରରେ ଜଣେ, ବିଜ୍‌ନୋରରେ ୨ ଜଣ, ସମ୍ଭଲରେ ଜଣେ ଏବଂ ଫରୋଜାବାଦରେ ଜଣେ ବିକ୍ଷୋଭକାରୀ ନିହତ ହୋଇଥିଲେ। ‌ ଫିରୋଜାବାଦ ଜିଲ୍ଲାରେ ଲୋକେ ୧୦ଟି ଗାଡ଼ିରେ ନିଆଁ ଲଗାଇ ଦେବାପରେ ପୁଲିସ ପ୍ରବଳ ଲାଠିମାଡ଼ କରିଥିଲା। ତେବେ ଆନ୍ଦୋଳନକାରୀଙ୍କ ସଂଘବଦ୍ଧ ଆକ୍ରମଣ ଜାରି ରହିବାରୁ ସେଠାରେ ପୁଲିସ ଗୁଳି ଚଳାଇଥିଲା ଏବଂ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଥିଲା। ବିଜ୍‌ନୋରର ନହଟୋର୍‌ରେ ପୁଲିସ ଉପରେ ଅଚାନକ ବିକ୍ଷୋଭକାରୀମାନେ ଆକ୍ରମଣ କରିବାରୁ ୮ ପୁଲିସ କର୍ମୀ ଆହତ ହୋଇଥିଲେ। ସେଠାରେ ପୁଲିସ ଗୁଳିରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ। ମିରଟ୍‌ ଜିଲ୍ଲାରେ ଉପଦ୍ରବକାରୀମାନେ ଏକ ପୁଲିସ ଫାଣ୍ଡି ଜାଳି ଦେବା ସହ ଫାଣ୍ଡି ବାହାରେ ଥିବା ୨୦ରୁ ଅଧିକ ଯାନବାହନରେ ନିଆଁ ଲଗାଇ ଦେଇଥିଲେ। ସମ୍ଭଲ୍‌ରେ ମଧ୍ୟ ଥାନା ଏବଂ ସରକାରୀ ଅଫିସ୍‌ ପୋଡ଼ିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ହିଂସାକୁ ରୋକିବା ପାଇଁ ପୁଲିସ ଚଳାଇଥିବା ଗୁଳିରେ ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିଲା।

ତେବେ ୟୁପିର ବିଭିନ୍ନ ସହରରେ ବିକ୍ଷୋଭକାରୀ ଯୋଜନାବଦ୍ଧ ଭାବେ ହିଂସା ଘଟାଉଥିବାରୁ ଏହା ବିରୋଧରେ ଜନସାଧାରଣ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି।

ଦିଲ୍ଲୀରେ ଆଜି ମଧ୍ୟ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାରୁ ୨୦ଟି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଛି। ଜାମା ମସ୍‌ଜିଦ୍‌ରେ ଆଜି ପ୍ରାର୍ଥନା ପରେ ସିଏଏକୁ ବିରୋଧ କରି ମୁସ୍‌ଲିମ ସଂପ୍ରଦାୟ ପକ୍ଷରୁ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଦରିୟାଗଂଜ ଅଂଚଳରେ ହିଂସାତ୍ମକ ବିକ୍ଷୋଭ ଯୋଗୁଁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ମଣ୍ଡି ହାଉସ୍‌ରୁ ଆଇଟିଓ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରଖାଯାଇଛି। ଦରିୟାଗଂଜରେ ଯୋଜନାବଦ୍ଧ ହିଂସା ଦେଖିବାକୁ ମିଳିଥିଲା ଏବଂ ଅନେକ ଗାଡ଼ିରେ ନିଆଁ ଲଗାଇ ଦିଆଯାଇଥିଲା। ସେଠାରେ ପୁଲିସ ଉପରେ ମଧ୍ୟ ପ୍ରବଳ ପଥର ମାଡ଼ ହୋଇଥିଲା। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ପାଣି ମାଡ଼ କରିଥିଲା। ଦିଲ୍ଲୀର ସୀମାପୁରିରେ ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ଅତିରିକ୍ତ ଡିସିପି ରୋହିତ ରାଜବୀର ସିଂହ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର