କର୍ଣ୍ଣାଟକରେ ନିଷିଦ୍ଧ ହେବ ବଳପୂର୍ବକ ଧର୍ମାନ୍ତରୀକରଣ, ବିଲ୍ ବିଧାନସଭାରେ ଗୃହୀତ

ବେଙ୍ଗାଲୁରୁ : କଂଗ୍ରେସ ବିଧାୟକଙ୍କ ତୀବ୍ର ବିରୋଧ ମଧ୍ୟରେ ଧର୍ମାନ୍ତରୀକରଣ ନିରୋଧ ବିଲ୍ କର୍ଣ୍ଣାଟକ ବିଧାନସଭାରେ ଗୃହୀତ ହୋଇଛି । ଗତ ସପ୍ତାହରେ ଏହି ବିଲଟି କର୍ଣ୍ଣାଟକ ବିଧାନ ପରିଷଦରେ ଗୃହୀତ ହୋଇଥିଲା । ବୁଧବାର ଏହା ବିଧାନସଭାରେ ଗୃହୀତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯିବ । ଏହା ପରେ ଏହି ବିଲ ଆଇନରେ ପରିଣତ ହେବ ।

ପୂର୍ବରୁ ଧର୍ମାନ୍ତରୀକରଣ ନିରୋଧ ପାଇଁ ବିଜେପି ସରକାର ଏକ ଅଧ୍ୟାଦେଶ ଜାରି କରିଥିଲେ । ଚଳିତ ବର୍ଷ ଆରମ୍ଭରେ କର୍ଣ୍ଣାଟକ ବିଧାନ ପରିଷଦରେ ବିଜେପିର ସଂଖ୍ୟା ଗରିଷ୍ଠତା ପରେ ଏହି ବିଲ ଗୃହୀତ ହେବା ସମ୍ଭବ ହୋଇପାରିଥିଲା ।

ଗତ ୧୫ ତାରିଖରେ ଆଇନ ମନ୍ତ୍ରୀ ମଧୁସ୍ବାମୀ ଏହାକୁ ବିଧାନସଭାରେ ଆଗତ କରିଥିଲେ । ଏହି ବିଲକୁ ଆଗତ କରି ସେ କହିଥିଲେ ଯେ, ଆମେ ଆମ ଧର୍ମକୁ ରକ୍ଷା କରୁଛୁ । ବଳପୂର୍ବକ ଧର୍ମାନ୍ତରୀକରଣ ବିରୋଧରେ ଏହି ବିଲ୍ ଅଣାଯାଇଛି । ଏହା କାହାର ସ୍ବାଧୀନତାକୁ କ୍ଷୁର୍ଣ୍ଣ କରୁନାହିଁ ।

ଏହି ବିଲ୍ ଆଇନରେ ପରିଣତ ହେଲେ ଏହା କାହାର ଧର୍ମଗ୍ରହଣର ସ୍ବାଧୀନତାକୁ କ୍ଷୁର୍ଣ୍ଣ କରିବ ନାହିଁ । କେବଳ ବଳପୂର୍ବକ ଧର୍ମାନ୍ତରୀକରଣକୁ ବନ୍ଦ କରିବାରେ ସହାୟକ ହେବ ବୋଲି ରାଜ୍ୟ ସରକାର କହିଛନ୍ତି ।

ତେବେ ରାଜ୍ୟର ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକମାନେ ଏହାକୁ ବିରୋଧ କରିଆସୁଛନ୍ତି । କିଛି ମାସ ତଳେ ବାଙ୍ଗାଲୁରୁର ଆର୍କବିଶପ୍ ପିଟର ମାକାଡୋ କହିଥିଲେ ଯେ, ଏହି ଆଇନର ଦ୍ବାହି ଦେଇ ଅସାମାଜିକ ଗୋଷ୍ଠୀ ରାଜ୍ୟରେ ସାଂପ୍ରଦାୟିକ ସଦ୍ଭାବ ବିଗାଡ଼ିବାର ସମ୍ଭାବନା ରହିଛି । ଏହା ଧର୍ମଗ୍ରହଣ କରିବାର ସାମ୍ବିଧାନିକ ଅଧିକାର ହନନ କରୁଛି ।

 

ସମ୍ବନ୍ଧିତ ଖବର