ନୂଆଦିଲ୍ଲୀ: କୃଷି ବିଲ୍ ଉପରେ ଆଜି ରାଜ୍ୟସଭାରେ ବିସ୍ଫୋରକ ବିତର୍କ ଏବଂ ହାଇଡ୍ରାମା ଦେଖିବାକୁ ମିଳିଛି। କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରାଜ୍ୟସଭାରେ ଏହି ବିଲ୍କୁ ଆଗତ କରିଥିଲେ। ବିଲ୍କୁ ସେ ଐତିହାସିକ କହିବା ସହ ଏହା କୃଷକଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିବ ବୋଲି କହିଥିଲେ। କିନ୍ତୁ ବିରୋଧୀଦଳର ସଦସ୍ୟମାନେ ବିଲ୍କୁ ତୀବ୍ର ବିରୋଧ କରିଛନ୍ତି। ସରକାର ଏକ ଡେଥ୍ ୱାରେଣ୍ଟ୍ରେ ସ୍ବାକ୍ଷର କରିଛନ୍ତି ଏବଂ କୃଷକ ଓ କୃଷିକ୍ଷେତ୍ରକୁ ନଷ୍ଟ କରିଦେବାକୁ ଉଦ୍ୟମ ଚଳାଇଛନ୍ତି। ସମୀକ୍ଷା ପାଇଁ ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିିଭିନ୍ନ ବିରୋଧୀ ଦଳ ଦାବି କରିଛନ୍ତି।
ଏମ୍ଏସ୍ପି (ସର୍ବନିମ୍ନ ସହାୟକ ମୂଲ୍ୟ) ପ୍ରସଙ୍ଗରେ କଂଗ୍ରେସ ଆଜି ସରକାରଙ୍କୁ ଘେରିଛି। ସରକାରଙ୍କ ଦ୍ବାରା ଆଗତ କରାଯାଇଥିବା କୃଷି ବିଲ୍କୁ କଂଗ୍ରେସ ‘କଳା ଆଇନ’ କହିଛି। କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସିଂହ ସୂର୍ଯ୍ୟେୱାଲା କହିଛନ୍ତି, ଏମ୍ଏସପିକୁ ଆଇନଗତ ସ୍ବୀକୃତି ଦେବାରୁ ସରକାର କାହିଁକି ନିଜକୁ ଦୂରେଇ ନେଉଛନ୍ତି। ମଣ୍ଡି ବାହାରେ ଏମ୍ଏସ୍ପିର ଗ୍ୟାରେଣ୍ଟି କିଏ ନେବ ବୋଲି ସୁର୍ଯ୍ୟେୱାଲା ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ନେତା ପ୍ରତାପ ସିଂହ ବଜ୍ୱା କହିଛନ୍ତି, ଆମେ କୃଷକଙ୍କ ଡେଥ୍ ୱାରେଣ୍ଟ୍ରେ ସ୍ବାକ୍ଷର କରିବୁନି। ଏନ୍ଡିଏର ମେଣ୍ଟ ସହଯୋଗୀ ଶିରୋମଣି ଅକାଳୀ ଦଳ କହିଛି, ବିଲ୍ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ସରକାରଙ୍କ ସହ କୌଣସି ପ୍ରକାର କଥାବାର୍ତ୍ତା ହେବନି। ତୃଣମୂଳ କଂଗ୍ରେସ, ଡିଏମ୍କେ ଏବଂ ସିପିଏମ୍ ପକ୍ଷରୁ ଏହି ବିଲ୍ର ସମୀକ୍ଷା କରିବା ପାଇଁ ଏହାକୁ ସିଲେକ୍ଟ କମିଟି ପଠାଇବାକୁ ଦାବି କରିଛନ୍ତି।
ଶିବସେନା ନେତା ସଂଜୟ ରାଉତ ଏହି ବିଲ୍ ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ସ୍ବତନ୍ତ୍ର ଅଧିବେଶନ କରିବାକୁ ଦାବି କରିଥିଲେ। ରାଉତ କହିଛନ୍ତି, ସରକାର ନିଶ୍ଚିତ କରାନ୍ତୁ ଯେ, କୃଷକଙ୍କ ରୋଜଗାର ବଢ଼ିବ ଏବଂ କୌଣସି କୃଷକ ଆଉ ଆତ୍ମହତ୍ୟା କରିବେନି। ଏଆଇଏଡିଏମ୍କେ, ଟିଆରଏସ୍ ଏବଂ ଆପ୍ ମଧ୍ୟ ଏହି ବିଲ୍କୁ ବିରୋଧ କରିଥିଲେ। ଏଆଇଏଡିଏମ୍କେ କହିଛି ଏହି ବିଲ୍ କର୍ପୋରେଟ୍ ସଂସ୍ଥାକୁ ସୁହାଇବ। ବିଲ୍ କୃଷକଙ୍କ ପାଇଁ ବଡ଼ ଅନ୍ୟାୟ ହେବ ବୋଲି ଟିଆରଏସ୍ ପକ୍ଷରୁ କୁହାଯାଇଛି। ୱାଇଏସ୍ଆରସିପିର ଜଗନ ମୋହନ ରେଡ୍ଡି ବିଲ୍କୁ ସମର୍ଥନ କରିଛନ୍ତି। ରାଜ୍ୟସଭା ସାଂସଦ ବିଜୟସାଇ ରେଡ୍ଡି କଂଗ୍ରେସକୁ ସମାଲୋଚନା କରି କହିଛନ୍ତି, ଏହି ବିଲ୍କୁ ବିରୋଧ କରିବାର କୌଣସି କାରଣ ନାହିଁ। କଂଗ୍ରେସ ଏହାର ଲୋକସଭା ନିର୍ବାଚନୀ ଇସ୍ତାହାରରେ ଯାହା କହିଥିଲା ଏଥିରେ ଠିକ୍ ସମାନ କଥା ଅଛି। ତେବେ କଂଗ୍ରେସ ଏବେ ଏହାକୁ କାହିଁକି ବିରୋଧ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଜେଡିୟୁ ବିଲ୍କୁ ସମର୍ଥନ କରିଛି।
ତେବେ ବିରୋଧୀଙ୍କ ଅଭିଯୋଗର କଡ଼ା ଜବାବ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଦେଇଛନ୍ତି। ସେ କହିଛନ୍ତି, ୨ଟି କୃଷି ବିଲ୍ କୃଷକଙ୍କୁ ସେମାନଙ୍କ ଉତ୍ପାଦ ବିକିବାରେ ଅଧିକ ସ୍ବାଧୀନତା ଦେବ । ରାଜ୍ୟସଭାରେ ବିରୋଧୀଙ୍କ ହଙ୍ଗାମା ପାଇଁ ସେ ପ୍ରବଳ ବର୍ଷିଛନ୍ତି ଏବଂ ଏଭଳି ବ୍ୟବହାର ଗଣତନ୍ତ୍ର ଉପରେ ଏକ ଆକ୍ରମଣ ବୋଲି ସେ କହିଛନ୍ତି।