ୱାସିଂଟନ/ଟରୋଣ୍ଟୋ: ବାଂଲାଦେଶରେ ବିଦ୍ରୋହ, ଅରାଜକତା ଓ ରାଜନୈତିକ ପଟ୍ଟ ପରିବର୍ତ୍ତନ ମଧ୍ୟରେ ହିନ୍ଦୁ , ବୌଦ୍ଧ, ଖ୍ରିଷ୍ଟିଆନ୍‌ ଆଦି ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ଇସଲାମୀୟ ମୌଳବାଦୀଙ୍କ ଧାର୍ମିକ ହିଂସାକୁ ନେଇ ସମଗ୍ର ବିଶ୍ବର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଉଛି। ଗତକାଲି ଆମେରିକାର ରାଷ୍ଟ୍ରପତି ଭବନ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ କାର୍ଯ୍ୟକ୍ରମରେ ଆକ୍ରମଣକୁ ନିନ୍ଦା କରାଯିବା ସହ ହିନ୍ଦୁଙ୍କ ସୁରକ୍ଷା ନେଇ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି। କାନାଡ଼ାର ଟରୋଣ୍ଟୋରେ ମଧ୍ୟ ଅନୁରୂପ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Advertisment

ଆମେରିକା ରାଷ୍ଟ୍ରପତି ଭବନ ସମ୍ମୁଖରେ ହୋଇଥିବା ବିକ୍ଷୋଭରେ ବିକ୍ଷୋଭକାରୀମାନେ ଆମେରିକୀୟ ଓ ବାଂଲାଦେଶୀ ଜାତୀୟ ପତାକା ସହ ବାଂଲାଦେଶୀ ହିନ୍ଦୁଙ୍କ ସୁରକ୍ଷା ଦାବି ନେଇ ସ୍ଲୋଗାନ ଦେଇଥିଲେ। ବାଂଲାଦେଶୀ ସଂଖ୍ୟାଲଘୁଙ୍କ ରକ୍ଷା କରିବା ଓ ସୁରକ୍ଷା ଦେବାକୁ ଦାବି କରିଥିଲେ। ଏହି ରାଲିରେ ୱାସିଂଟନ୍‌, ମେରିଲ୍ୟାଣ୍ଡ, ଭିର୍ଜିନିଆ, ନ୍ୟୁୟର୍କର ବାସିନ୍ଦା ଯୋଗ ଦେଇଥିଲେ। ଆନ୍ଦୋଳନରେ ଯୋଗ ଦେଇଥିବା ବାଂଲାଦେଶୀ ହିନ୍ଦୁ ଶୁଭୋ ରୟ ନିଜର ପ୍ରତିକ୍ରିୟାରେ କହିଛନ୍ତି, ସେମାନେ ଏକ ସ୍ଥାୟୀ ସମାଧାନ ଚାହାନ୍ତି। ଯଦ୍ବାରା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟମାନେ ସମ୍ମାନର ସହ ବାଂଲାଦେଶରେ ବସବାସ କରିପାରିବେ। ସେ କହିଛନ୍ତି ସେମାନେ ଅଖଣ୍ଡ ଭାରତର ଅଂଶବିଶେଷ। ସେମାନେ ପାକିସ୍ତାନର ଅଂଶ ନୁହନ୍ତି। ସେମାନଙ୍କୁ ବାଧ୍ୟବାଧକତାରେ ଭାରତ ଠାରୁ ଦୂରେଇ ଦିଆଯାଇଛି।

ଟରୋଣ୍ଟୋର ନାଥନ୍‌ ଫିଲିପ୍‌ସ ସ୍କ୍ବାୟର ଠାରେ ଶନିବାର ଅପରାହ୍‌ଣରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ମଧ୍ୟ ବିପୁଳ ସଂଖ୍ୟାରେ କାନାଡ଼ାରେ ବସବାସ କରୁଥିବା ବାଂଲାଦେଶୀ, ହିନ୍ଦୁ, ବୌଦ୍ଧ, ଖ୍ରିଷ୍ଟିୟାନ ସମ୍ପ୍ରଦାୟର ‌ବ୍ୟକ୍ତିମାନେ ଯୋଗ ଦେଇଥିଲେ। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ଧାର୍ମିକ ହିଂସାକୁ ବନ୍ଦ କରିବାକୁ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ବରେ ପରିଚାଳିତ ଅନ୍ତରୀଣ ସରକାର ଓ ଆନ୍ତର୍ଜାତିକ ସମୂହଙ୍କ ତୁରନ୍ତ ହସ୍ତକ୍ଷେପ ଅନୁରୋଧ କରିଥିଲେ। ଏହାସହ କାନାଡ଼ା ସରକାର ବାଂଲାଦେଶୀ ସଂଖ୍ୟାଲଘୁଙ୍କ ଆକ୍ରମଣର ନିନ୍ଦା କରିବା ସହ ତୁରନ୍ତ ବାଂଲାଦେଶ ସରକର ଉପରେ ଚାପ ପ୍ରୟୋଗ କରିବାକୁ ଦାବି କରାଯାଇଛି।