ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟା ପରେ ଚୀନର ସୋସିଆଲ ମିଡିଆରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଚୀନ ମାଇକ୍ରୋ ବ୍ଲଗିଂ ସାଇଟ୍ ଓ୍ବେବୋରେ ଅନେକ ଲୋକ ଆବେଙ୍କ ମତ୍ୟୁରେ ଆନନ୍ଦ ବ୍ୟକ୍ତ କରୁଥିବା ଦେଖାଯାଇଛି । ଏପରିକି କିଛି ଲୋକ ହତ୍ୟାକାରୀକୁ ଜଣେ ହିରୋ ବୋଲି କହିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠେ ଆବେଙ୍କ ମୃତ୍ୟୁରେ ସମଗ୍ର ବିଶ୍ବ ଦୁଃଖି ଥିବାବେଳେ ଚୀନର ଲୋକମାନେ ଖୁସି କାହିଁକି ? ଏହି ହତ୍ୟା ପଛରେ ଚୀନର ହାତ ରହିଛି କି ?
ଚୀନ ଓ ଜାପାନ ମଧ୍ୟରେ ଶତ୍ରୁତା ବେଶ ପୁରୁଣା । ପୂର୍ବରୁ ୧୯୩୧ରେ ସଂଘଠିତ ଚୀନ-ଜାପାନ ଯୁଦ୍ଧରେ ଜାପାନଠାରୁ ଚୀନ ପରାଜୟ ବରଣ କରିଥିଲା । ଏହି ବିଜୟ ପରେ ଜାପାନୀମାନେ ଚୀନ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲେ । ତେବେ ୨ୟ ବିଶ୍ବଯୁଦ୍ଧରେ ପରମାଣୁ ବୋମା ଆକ୍ରମଣ ସହିବା ପରେ ଜାପାନ ନିଜର ସାମରିକ ବାହିନୀକୁ ସଂକୁଚିତ କରିଦେଇଥିଲା ଓ ଏକ ଶାନ୍ତିକାମୀ ନୀତି ଗ୍ରହଣ କରିଥିଲା । ତେବେ ଏକ ବିଂଶ ଶତାବ୍ବୀରେ ଚୀନର ଶକ୍ତି ବଢିବା ପରେ ଚୀନ ଓ ଜାପାନ ମଧ୍ୟରେ ସୀମା ବିବାଦ ଆରମ୍ଭ ହୋଇଯାଇଥିଲା । ଜାପାନର ଏକ ଦ୍ବୀପକୁ ଚୀନ ନିଜର ବୋଲି ଦାବି କରୁଛି । ବଢିଚାଲିଥିବା ଚୀନ ବିପଦର ମୁକାବିଲା ପାଇଁ ସିଞ୍ଜୋ ଆବେ ହିଁ ଜାପାନର ସାମରିକ ବାହିନୀକୁ ପୁଣି ଶକ୍ତିଶାଳୀ କରିବା ଆରମ୍ଭ କରିଥିଲେ । ଆବେଙ୍କ ନେତୃତ୍ବରେ ଜାପାନ ନିଜର ଶାନ୍ତିକାମୀ ନୀତିକୁ ଛାଡ଼ି ପୁଣି ଏକ ସାମରିକ ଶକ୍ତି ହେବାକୁ ପଦକ୍ଷେପ ନେଇଥିଲା । ପୁଣି ଚୀନ ବିରୋଧରେ ସୃଷ୍ଟି ହୋଇଥିବା କ୍ବାଡ୍ ମେଣ୍ଟ ( ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ)ର ପରିକଳ୍ପନା ଆବେ ହିଁ କରିଥିଲେ । ଏଣୁ ଚୀନ ଆବେଙ୍କୁ ଏକ ଶତ୍ରୁ ଭାବେ ବିବେଚନା କରିଥାଏ।
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ସେ ଜାପାନର ନରା ସହରରେ ଭାଷଣ ଦେଉଥିବା ବେଳେ ଶିଞ୍ଜୋ ଆବେଙ୍କୁ ଆକ୍ରମଣକାରୀ ତାଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ତାଙ୍କୁ ବଞ୍ଚାଇବାକୁ ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ସେ ଆଖି ବୁଜିଦେଇଥିଲେ | ସୂଚନା ମୁତାବକ ଆଜି ‘ୟାମାତୋ ସାଇଡାଇଜି ଷ୍ଟେସନ୍’ ସମ୍ମୁଖରେ ଆବେ ଏକ ନିର୍ବାଚନୀ ପ୍ରଚାର ଅଭିଯାନରେ ଭାଷଣ ଦେଉଥିବା ବେଳେ ସ୍ଥାନୀୟ ସମୟ ପୂର୍ବାହ୍ନ ୧୧.୩୦ ବେଳେ ଆକ୍ରମଣର ଶିକାର ହୋଇଥିଲେ। ତେବେ ଏହି ଘଟଣା ପରେ ନରା ସହରନିବାସୀ ୪୧ ବର୍ଷିୟ ସେସୁୟା ୟାମାଗାମିଙ୍କୁ ଗିରଫ କରାଯାଇଛି |