ନୂଆଦିଲ୍ଲୀ: ଆମେରିକାର ପ୍ରମୁଖ ଖବରକାଗଜ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲର ପ୍ରଥମ ପୃଷ୍ଠାରେ ମୋଦୀ ସରକାର ବିରୋଧୀ ବିଜ୍ଞାପନ ପ୍ରକାଶ ପାଇଛି। ଉକ୍ତ ବିଜ୍ଞାପନଟି ପୂରା ପ୍ରଥମ ପୃଷ୍ଠା ମଣ୍ଡନ କରିଛି। ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଭାରତ ସରକାରଙ୍କ ୧୧ ଜଣ ବରିଷ୍ଠ ଅଧିକାରୀଙ୍କୁ ‘ମୋଦିସ୍‌ ମେଜିଟ୍‌ସ୍କାଏ ୧୧’ ବୋଲି ଉଲ୍ଲେଖ କରାଯାଇଛି। ବିଜ୍ଞାପନର ତଳଆଡ଼କୁ ଏକ କ୍ୟୁଆର୍‌ କୋଡ୍‌ ରହିଛି। ତାହାକୁ ସ୍କାନ କରିଲେ ସେ ଆମେରିକାଭିତ୍ତିକ ଥିଙ୍କ ଟ୍ୟାଙ୍କ୍‌ ‘ଫ୍ରଣ୍ଟିୟର୍ସ ଅଫ୍ ଫ୍ରିଡମ୍‌’ର ୱେବସାଇଟ୍ ଖୋଲୁଛି। ବିଜ୍ଞାପନରେ ସୀତାରମଣଙ୍କ ସହିତ ଆଣ୍ଟ୍ରିକ୍ସ ଅଧ୍ୟକ୍ଷ ରାକେଶ ଶଶିଭୂଷଣ, ସଲିସିଟର ଜେନେରାଲ ତୁଷାର ମେହଟ୍ଟା, ଅତିରିକ୍ତ ସଲିସିଟର ଜେନେରାଲ ଏନ ଭେଙ୍କଟରମଣ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା ଓ ଭି ରାମସୁବ୍ରମଣ୍ୟନ, ସିବିଆଇ ଡିଏସ୍‌ପି ଆଶିଷ ପାରେଖ, ଇଡି ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ର, ଡେପୁଟି ଡାଇରେକ୍ଟର ଏ ସାଦିକ ମହମଦ ନାଇଜନାର, ଆସିଷ୍ଟାଣ୍ଟ ଡାଇରେକ୍ଟର ଆର ରାଜେଶ ଏବଂ ସ୍ବତନ୍ତ୍ର ବିଚାରପତି ଚନ୍ଦ୍ରଶେଖରଙ୍କ ନାମ ରହିଛି। ଏମାନେ ଭାରତକୁ ନିବେଶ ଲାଗି ବିପଦପୂର୍ଣ୍ଣ ସ୍ଥାନରେ ପରିଣତ କରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ ଆମେରିକାରେ କଟକଣା ଲଗାଇବାକୁ ଏଥିରେ ଦାବି କରାଯାଇଛି।

Advertisment

ୱାଲ ଷ୍ଟିଟ ଜର୍ଣ୍ଣାଲରେ ଏଭଳି ବିଜ୍ଞାପନକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଏହା ଭାରତର ସାର୍ବଭୌମତ୍ବ ଉପରେ ଆକ୍ରମଣ ବୋଲି ଭାରତ କହିଛି। ସୀତାରମଣଙ୍କ ୱାସିଂଟନ ଗସ୍ତର ଆରମ୍ଭରୁ ଅର୍ଥାତ୍‌ ଅକ୍ଟୋବର ୧୩ରେ ଏହି ବିଜ୍ଞାପନ ପ୍ରକାଶ ପାଇଛି। ଦେବାସର ସହପ୍ରତିଷ୍ଠାତା ତଥା ଆମେରିକୀୟ ନାଗରିକ ରାମଚନ୍ଦ୍ର ବିଶ୍ବନାଥନ୍ ଉକ୍ତ ୧୧ ଜଣ ଭାରତୀୟଙ୍କ ବିରୋଧରେ ‘ମ୍ୟାଗ୍‌ନିଟ୍‌ସ୍କାଇ ଆକ୍ଟ’ ଲାଗୁ କରିବାକୁ ଆମେରିକା ସିନେଟରେ ଆବେଦନ କରିଛନ୍ତି। ଉକ୍ତ ୧୧ ଜଣ ବ୍ୟକ୍ତି ତାଙ୍କ କମ୍ପାନି ଦେବାସ ବିରୋଧରେ ତଥା ତାଙ୍କ ବିରୋଧରେ ତ୍ରୁଟିପୂର୍ଣ୍ଣ ତଦନ୍ତ ଓ ବିଚାରଣା କରି ତାଙ୍କୁ ଅପରାଧୀ ସଜାଇଛନ୍ତି ଏବଂ ତାଙ୍କର ସ୍ବାଧୀନତା ଓ ସୁରକ୍ଷା ଛଡ଼ାଇ ନେଇଛନ୍ତି ବୋଲି ଫ୍ରଣ୍ଟିୟର୍ସ ଅଫ୍ ଫ୍ରିଡମ୍ ନାମକ ଏନ୍‌ଜିଓ ମାଧ୍ୟମରେ ସେ ଅଭିଯୋଗ କରିଛନ୍ତି। ଭାରତର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହା କେବଳ ମୋଦୀ ସରକାର ବିରୋଧରେ ନୁହେଁ, ଭାରତ ଓ ଏହାର ପ୍ରଶାସନ ବିରୋଧରେ ଆକ୍ରମଣ। ନ୍ୟାୟପାଳିକାକୁ ନୀଚ ଦେଖାଇବା ପାଇଁ ଏଥିରେ ଚେଷ୍ଟା କରାଯାଇଛି। ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ଧୋକାବାଜମାନଙ୍କ ଦ୍ବାରା ଆମେରିକୀୟ ମିଡ଼ିଆକୁ ଅସ୍ତ୍ର କରିବାକୁ ପ୍ରଶ୍ରୟ ଦେବା ଲଜ୍ଜାଜନକ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଉପଦେଷ୍ଟା କାଞ୍ଚନ ଗୁପ୍ତା କହିଛନ୍ତି। ଗୁପ୍ତା କହିଛନ୍ତି ଯେ ବିଶ୍ବନାଥନ ହେଉଛନ୍ତି ଜଣେ ପଳାତକ ଅର୍ଥନୈତିକ ଅପରାଧୀ, ଯେ କି ଏହି ଭାରତ-ବିରୋଧୀ ବିଜ୍ଞାପନ ପ୍ରଦାନ କରିଛନ୍ତି।
୨୦୦୫ ମସିହାରେ ବାଙ୍ଗାଲୋର-ଭିତ୍ତିକ ଦେବାସ ମଲ୍ଟିମିଡ଼ିଆ ଓ ଇସ୍ରୋର ବାଣିଜ୍ୟିକ ଶାଖା ଆଣ୍ଟ୍ରିକ୍ସ କର୍ପୋରେସନ ମଧ୍ୟରେ ସାଟେଲାଇଟର ବ୍ୟବହାରକୁ ନେଇ ହୋଇଥିବା ଚୁକ୍ତିକୁ ବାତିଲ କରାଯିବାରୁ ଦୁଇ କମ୍ପାନି ମଧ୍ୟରେ ବିବାଦ ସର୍ବୋଚ୍ଚ ଅଦାଲତ ପର୍ଯ୍ୟନ୍ତ ଯାଇଥିଲା।