ଦେଶବିରୋଧୀ ତତ୍ତ୍ବ ଶାନ୍ତି ନଷ୍ଟ କରୁଛନ୍ତି: ଡୋଭାଲ

ପିଏଫ୍‌ଆଇକୁ ନିଷିଦ୍ଧ ପାଇଁ ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ: ଧର୍ମ ବା ଆଦର୍ଶଗତ ଚିନ୍ତାଧାରା ଭିତ୍ତିରେ ଯେକୌଣସି ବ୍ୟକ୍ତି ବା ସଂଗଠନ ଦେଶରେ ସଦ୍‌ଭାବ ନଷ୍ଟ କରିବା ସହ ଅରାଜକତା ଖେଳେଇବାକୁ ଚେଷ୍ଟା କଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ କହିଛନ୍ତି। ନୂଆଦିଲ୍ଲୀଠାରେ ଅଖିଳ ଭାରତୀୟ ସୁଫି ସଜ୍ଜଦାନାସିନ ପରିଷଦ ପକ୍ଷରୁ ଆୟୋଜିତ ସର୍ବଧର୍ମ ସମ୍ମିଳନୀରେ ଡୋଭାଲ କହିଲେ ଯେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ) ପରି ସଂଗଠନକୁ ନିଷିଦ୍ଧ କରାଯିବା ଉଚିତ।

ଶାନ୍ତି ଓ ଏକତା ନିମନ୍ତେ ବାଟ ବାହାର କରିବା ଲାଗି ଆୟୋଜିତ ଉକ୍ତ ସମ୍ମିଳନୀରେ ଡୋଭାଲ କହିଲେ ଯେ କେତେକ ଦେଶବିରୋଧୀ ତତ୍ତ୍ବ ଦେଶରେ ଏପରି ପରିବେଶ ସୃଷ୍ଟି କରୁଛନ୍ତି ଯାହା ଭାରତର ପ୍ରଗତିକୁ ବାଧା ପହଞ୍ଚାଉଛି। ସେମାନେ ଧର୍ମ ଓ ଆଦର୍ଶ ନାମରେ ଦେଶରେ ବିବାଦ ଓ ଅରାଜକତା ସୃଷ୍ଟି କରୁଛନ୍ତି। ଏହା ସମଗ୍ର ଦେଶକୁ ପ୍ରଭାବିତ କରିବା ସହ ପଡ଼ୋଶୀ ଦେଶଗୁଡ଼ିକ ଉପରେ ବି ପ୍ରଭାବ ପକାଉଛି। ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ପ୍ରଫେଟ୍ ମନ୍ତବ୍ୟ ଉପରେ ଦେଶରେ ହିଂସାକାଣ୍ଡ ସୃଷ୍ଟି ହେବାର ଦୁଇମାସ ପରେ ଡୋଭାଲ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଲେ ଯେ ବିବିଧତା ଭିତରେ ଏକତା ପାଇଁ ଭାରତ ପ୍ରଶଂସିତ ହେଉଥିବା ବେଳେ କେତେକ ଖଳବୁଦ୍ଧି ଓ ସମାଜବିରୋଧୀ ଲୋକ ଏପରି ସବୁ କାମ କରି ବିଦେଶରେ ଦେଶର ଭାବମୂର୍ତ୍ତିକୁ କଳଙ୍କିତ କରୁଛନ୍ତି।

ଏହି ସମ୍ମିଳନୀରେ ଏକ ଆଠସୂତ୍ରୀ ସଂକଳ୍ପନାମା (ରିଜଲ୍ୟୁସନ) ଗୃହୀତ ହୋଇଥିଲା। ସେଥିରୁ ଗୋଟିଏ ହେଉଛି ମୁସଲିମ୍ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ)କୁ ନିଷିଦ୍ଧ କରିବା ପାଇଁ ଆ‌ହ୍ବାନ। ପ୍ରସ୍ତାବରେ କୁହାଯାଇଛି ଯେ ପିଏଫ୍‌ଆଇ ବା ଅନୁରୂପ ଯେକୌଣସି ସଂଗଠନ ଦେଶବିରୋଧୀ କାର୍ଯ୍ୟରେ ଜଡ଼ିତ ହେବେ, ଲୋକଙ୍କ ଭିତରେ ପାରସ୍ପରିକ ସଦ୍‌ଭାବ ନଷ୍ଟ କରିବେ ସେଗୁଡ଼ିକୁ ନିଷିଦ୍ଧ କରାଯିବା ସହ ସେଗୁଡ଼ିକ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏଥି ସହ ଯେକୌଣସି ବ୍ୟକ୍ତି ବା ସଂଗଠନ ଘୃଣା ସୃଷ୍ଟି ବା ପ୍ରସାର କରିବ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଏହି ସଂକଳ୍ପନାମାରେ କୁହାଯାଇଛି।

ସମ୍ବନ୍ଧିତ ଖବର