ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଏବଂ ବହୁ ବିବାଦୀୟ ଚଳଚ୍ଚିତ୍ର ‘ପଦ୍ମାବତ୍‌’ ରିଲିଜ୍‌ ହେବା ପାଇଁ ଆଉ ମାତ୍ର ଅଳ୍ପ କେଇ ଘଣ୍ଟା ବାକି ରହି ଯାଇଥିବା ବେଳେ ଏହାକୁ ବିରୋଧ କରି ଆଜି ଦେଶର ଏକାଧିକ ରାଜ୍ୟରେ ହିଂସା ସୃଷ୍ଟି ହେବା ସହ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଛି।

Advertisment

ବିରୋଧ ପ୍ରଦର୍ଶନକାରୀମାନେ ବିଭିନ୍ନ ରାଜ୍ୟରେ ର‍୍ୟାଲି ବାହାର କରିବା ସହ, ରାସ୍ତା ଅବରୋଧ, ଜଳାପୋଡ଼ା, ଗାଡ଼ିମଟର ଭଙ୍ଗାଭଙ୍ଗି କରିଥିବା ଜାଣିବାକୁ ମିଲିଛି। ଅନ୍ୟ ପକ୍ଷରେ ଏହି ଚଳଚ୍ଚିତ୍ରକୁ ମୂଳରୁ ତୀବ୍ର ବିରୋଧ କରି ଆସୁଥିବା ରାଜ୍‌ପୁତ୍‌ କର୍ଣ୍ଣୀ ସେନା ପକ୍ଷରୁ ଆସନ୍ତା କାଲି ଚଳଚ୍ଚିତ୍ରର ରିଲିଜ୍‌କୁ ବିରୋଧ କରି ‘ଜନତା କର୍ଫ୍ୟୁ’ ଡାକରା ଦିଆଯାଇଛି। ଏହି ରିପୋର୍ଟ ଲେଖା ଯିବା ବେଳକୁ ପରିସ୍ଥିତି କ୍ରମେ ନିୟନ୍ତ୍ରଣକୁ ଆସିବା ପରିବର୍ତ୍ତେ ଅଧିକ ଉଗ୍ର ହେଉଥିବା ଖବର ମିଳିଛି।

ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ଖବର ମୁତାବିକ୍‌, ଅହମ୍ମଦାବାଦରେ ‘ପଦ୍ମାବତ୍‌’ର ରିଲିଜ୍‌କୁ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ବିରୋଧ ପ୍ରଦର୍ଶନକାରୀମାନେ ସହରର ବ୍ୟାପକ ଅଞ୍ଚଳରେ ଭଙ୍ଗାରୁଜା କରିବା ସହ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଦୋକାନ ଓ ୨୦୦ରୁ ଊର୍ଦ୍ଧ୍ୱ ଦୁଇଚକିଆ ଓ ଚାରିଚକିଆ ଯାନରେ ନିଆଁ ଲଗାଇଦେବା ସହ ନିଆଁ ଜାଳି ରାସ୍ତା ଅବରୋଧ କରିଛନ୍ତି। ପୋଲିସ୍‌ ୪୮ ଜଣ ବିରୋଧ ପ୍ରଦର୍ଶନକାରୀଙ୍କୁ ଗିରଫ କରିଛି। ଆଜିର ଏ ପ୍ରକାର ସ୍ଥିତିକୁ ଦେଖି ଗୁଜୁରାଟର ସିନେମା ହଲ୍‌ ମାଲିକମାନେ ଆସନ୍ତା କାଲି ରାଜ୍ୟରେ ‘ପଦ୍ମାବତ୍‌’ର ରିଲିଜ୍‌ ନ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

publive-image lokmatnews.in

ସେହିପରି ମୁମ୍ବାଇରେ ମଧ୍ୟ ରାଜ୍‌ପୁତ୍‌ କର୍ଣ୍ଣୀ ସେନାର କର୍ମୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଯଦି କାଲି ‘ପଦ୍ମାବତ୍‌’ ରିଲିଜ୍‌ ହୁଏ ତେବେ ୧୯୦୦ ମହିଳା ସମୂହ ଆତ୍ମାହୂତି ଦେବେ ବୋଲି ଘୋଷଣା କରି ବିରୋଧ କରୁଥିବା ବେଳେ ଏଠାରେ ପୋଲିସ୍‌ ୩୫ ଜଣଙ୍କୁ ଗିରଫ କରିଛି।

ସେହିପରି ଗୁରୁଗ୍ରାମ୍‌ରେ ବିରୋଧ ପ୍ରଦର୍ଶନକାରୀମାନେ ଗୋଟିଏ ଯାତ୍ରୀବାହୀ ବସ୍‌ରେ ନିଆଁ ଲଗାଇ ଦେଇଥିବା ବେଳେ ଅନେକ ଗାଡ଼ିମଟରକୁ ଟେକାପଥର ଫିଙ୍ଗି ଭାଙ୍ଗି ଦେଇଛନ୍ତି। ଦିଲ୍ଲୀ- ଜୟପୁର ଜାତୀୟ ରାଜପଥକୁ ବିରୋଧ ପ୍ରଦର୍ଶନକାରୀମାନେ ଅବରୋଧ କରିବା ଫଳରେ ଏହି ରାସ୍ତାରେ ଯାନବାହନ ଚଳାଚଳ ଘୋର ବାଧାପ୍ରାପ୍ତ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ପୁଲିସ୍‌ ଆଜି ସନ୍ଧ୍ୟା ୬ଟା ପରଠାରୁ ଗୁରୁଗ୍ରାମର ସମସ୍ତ ମଦ ଦୋକାନ ସମସ୍ତ କ୍ଲବ୍‌ ଓ ବାର୍‌କୁ ବନ୍ଦ କରିଦେଇଛି। ଅନ୍ୟପଟେ ମିରଟରେ ବିରୋଧ ପ୍ରଦର୍ଶନକାରୀମାନେ ଗୋଟିଏ ସପିଂମଲ୍‌ରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

publive-image www.navodayatimes.in

ମଧ୍ୟପ୍ରଦେଶର ଇନ୍ଦୋର ଠାରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ବିରୋଧ ପ୍ରଦର୍ଶନକାରୀ ଆଗ୍ରା ଓ ମୁମ୍ବାଇକୁ ସଂଯୋଗ କରୁଥିବା ୩ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିବା ସହ ଏହି ବାଟଦେଇ ଯା ଆସ କରୁଥିବା ଶତାଧିକ ଗାଡ଼ିକୁ ବାଡ଼େଇ ଭାଙ୍ଗି ଦେଇଛନ୍ତି। ରାସ୍ତା ଉପରେ ସେମାନେ ନିଆଁ ଜାଳିବା ସହ କାଚ ଭାଙ୍ଗି ପକାଇଛନ୍ତି। ବିବାଦୀୟ ଚଳଚ୍ଚିତ୍ର ‘ପଦ୍ମାବତ୍‌’ର ନିର୍ଦ୍ଦେଶକ ସଂଜୟ ଲୀଲା ବଂଶାଲୀଙ୍କର କୁଶ ପୁତ୍ତଳିକାକୁ ମଧ୍ୟ ବିରୋଧ ପ୍ରଦର୍ଶନକାରୀମାନେ ଇନ୍ଦୋର ଠାରେ ନିଆଁ ଲଗାଇ ଦେଇଛନ୍ତି। ମୁଖ୍ୟ ବିରୋଧ ପ୍ରଦର୍ଶନକାରୀ କର୍ଣ୍ଣୀ ସେନାର ନେତା ଲୋକେନ୍ଦ୍ର ସିଂହ କଲ୍‌ଭୀ କହିଛନ୍ତି ଯେ ଆସନ୍ତାକାଲି ଦେଶର ଯେଉଁସବୁ ସିନେମା ହଲ୍‌ରେ ‘ପଦ୍ମାବତ୍‌’ ରିଲିଜ୍‌ ହେବ ଆମେ ସେସବୁ ସିନେମା ହଲ୍‌ରେ ‘ଜନତା କର୍ଫ୍ୟୁ’ ଘୋଷଣା କରିବୁ। ଜାମ୍ମୁରେ ମଧ୍ୟ ବିରୋଧ ପ୍ରଦର୍ଶନକାରୀମାନେ ଗୋଟିଏ ସିନେମା ହଲ୍‌ରେ ଭଙ୍ଗାରୁଜା କରିଥିବା ଖବର ମିଳିଛି। ରାଜସ୍ଥାନର କୌଣସି ହଲ୍‌ରେ ଆସନ୍ତା କାଲି ଏହି ଚଳଚ୍ଚିତ୍ର ରିଲିଜ୍‌ ହେଉ ନଥିବା ବେଳେ ସେଠାରେ ମଧ୍ୟ ଆଜି ବିରୋଧ ପ୍ରଦର୍ଶନ କରାଯାଇଛି।