କାବୁଲ୍‌ରେ ପାକିସ୍ତାନ ବିରୋଧୀ ଆନ୍ଦୋଳନ: ତାଲିବାନର ଫାଙ୍କା ଗୁଳି ଚାଳନା, ଅନେକ ସାମ୍ବାଦିକ ଗିରଫ

କାବୁଲ: କାବୁଲରେ ଆଜି ପାକିସ୍ତାନ ବିରୋଧରେ ଜୋରଦାର ଆନ୍ଦୋଳନ ହୋଇଛି। ମହିଳାଙ୍କ ସମେତ ଶତାଧିକ ସଂଖ୍ୟାରେ ଆଫଗାନ ନାଗରିକ କାବୁଲ ରାଜରାସ୍ତାରେ ପାକିସ୍ତାନ ବିରୋଧରେ ଆନ୍ଦୋଳନ ଓ ପଦଯାତ୍ରା କରିଛନ୍ତି। ସେମା‌ନେ ପାକିସ୍ତାନ ଏବଂ ଆଇଏସ୍‌ଆଇ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ‘ପାକିସ୍ତାନର ମୃତ୍ୟୁ’, ‘ଆଇଏସ୍‌ଆଇର ମୃତ୍ୟୁ’ ସ୍ଲୋଗାନ ଦେଇ ଆନ୍ଦୋଳନକାରୀମାନେ ଆଜି କାବୁଲ୍‌ ସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ବ୍ୟାପକ ଆନ୍ଦୋଳନ କରିଥିଲେ। ପଂଜଶୀରରେ ପାକିସ୍ତାନ ଜେଟ୍‌ ଆକ୍ରମଣ କରିଛି ବୋଲି ସେମାନେ ଦାବି କରିଛନ୍ତି ଏବଂ ପାକିସ୍ତାନର ଏଭଳି କାର୍ଯ୍ୟକୁ ବିରୋଧ କରି ସେମାନେ ପାକିସ୍ତାନ ବିରୋଧରେ ଆନ୍ଦୋଳନ କରିଛନ୍ତି। କାବୁଲକୁ ପାକିସ୍ତାନ ଆଇଏସ୍‌ଆଇ ମୁଖ୍ୟଙ୍କ ଗସ୍ତ ଏବଂ ମୁଲ୍ଲା ବରାଦରଙ୍କ ସହ ସାକ୍ଷାତକୁ ମଧ୍ୟ ସେମାନେ କଡ଼ା ବିରୋଧ କରିଛନ୍ତି। ଆନ୍ଦୋଳନ ଉଗ୍ର ରୂପ ନେବାରୁ ତାଲିବାନ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ଫାଙ୍କା ଗୁଳି ଚାଳନା କରିଛନ୍ତି।

କାବୁଲ ସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ଆନ୍ଦୋଳନକାରୀ ରୁଣ୍ଡ ହୋଇ ସେମାନଙ୍କୁ ଆଫଗାନିସ୍ତାନ ଛାଡ଼ିବାପାଇଁ କହିଥିଲେ। ଆଫଗାନିସ୍ତାନରେ ପାକିସ୍ତାନୀ କଣ୍ଢେଇ ସରକାର ସେମାନେ ଚାହାନ୍ତିନି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପଂଜଶୀରରେ ବିଦ୍ରୋହୀ ନେତା ଅହମଦ ମସୁଦ ଏକ ଅଡିଓ ବାର୍ତ୍ତା ଜାରି କରି ଆଫଗାନ ନାଗରିକଙ୍କୁ ତାଲିବାନ ବିରୋଧରେ ଏକଜୁଟ ହେବାପାଇଁ ଆହ୍ବାନ ଦେବାପରେ ଆଜି ଏହି ଆନ୍ଦୋଳନ ହୋଇଛି। ରିପୋର୍ଟ ଅନୁଯାୟୀ ବ୍ଲାଖ ଏବଂ ଦୈକୁଣ୍ଡି ପ୍ରଦେଶରେ ମଧ୍ୟ ଲୋକମାନେ ଗତକାଲି ରାତିରେ ରାସ୍ତାକୁ ଓହ୍ଲାଇ ପାକ୍‌ ବିରୋଧୀ ସ୍ଲୋଗାନ ଦେଇଛନ୍ତି। ପଂଜଶୀରରେ ପାକିସ୍ତାନର ବିମାନ ଆକ୍ରମଣକୁ ଇରାନ୍‌ ମଧ୍ୟ କଡ଼ା ସମାଲୋଚନା କରିଛି। ପାକିସ୍ତାନ ଡ୍ରୋନ୍‌ ଦ୍ବାରା ପଂଜଶୀରରେ ସ୍ମାର୍ଟ ବୋମା ବର୍ଷା ‌ହୋଇଛି। ପଂଜଶୀରରେ ଆକ୍ରମଣ ପାଇଁ ତାଲିବାନ ପାକିସ୍ତାନର ସହଯୋଗ ନେଇଛି। ଏହା ଜାଣିବାପ‌ରେ ଶତାଧିକ ଆଫଗାନ ନାଗରିକ ପାକିସ୍ତାନ ବିରୋଧରେ ଆନ୍ଦୋଳନ କରିଛନ୍ତି।

ଆନ୍ଦୋଳନ ସମୟରେ ଖବର ସଂଗ୍ରହ କରୁଥିବା କିଛି ସାମ୍ବାଦିକ ଏବଂ ଫଟୋ ସାମ୍ବାଦିକ ଗିରଫ ହୋଇଛନ୍ତି। ଟୋଲୋ ନ୍ୟୁଜ୍‌ ମୁଖ୍ୟ ଲୋଟଫୁଲ୍ଲା ନାଜାଫିଜାଦା କହିଛନ୍ତି, ତାଙ୍କ ସହକର୍ମୀ ୱାହିଦ ଅହମଦି କାବୁଲରେ ଆନ୍ଦୋଳନର ଭିଡିଓ ରେକର୍ଡ କରୁଥିବାରୁ ତାଲିବାନମାନେ ତାଙ୍କୁ ଗିରଫ କରିଛନ୍ତି। ଆହୁରି ଅନେକ ସାମ୍ବାଦିକ ମଧ୍ୟ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣଙ୍କୁ ପରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର