ପାକିସ୍ତାନ ଅଧିକୃତ କାଶ୍ମୀରରେ ତେଜୁଛି ଆଜାଦୀ ଆନ୍ଦୋଳନ, ପାକିସ୍ତାନ କବଳରୁ ମୁକ୍ତ ହେବା ପାଇଁ ଆହ୍ଵାନ

ନୂଆଦିଲ୍ଲୀ : ପାକିସ୍ତାନରେ ଏବେ ଜଳ ଚିନ୍ତା ବଢିଯାଇଛି । ଏଥିପାଇଁ ଭାରତରୁ ବାହାରି ପାକିସ୍ତାନ ଯାଇଥିବା ଝେଲମ ନଦୀରେ ପାକିସ୍ତାନ ଏକ ନଦୀବନ୍ଧ ନିର୍ମାଣ କରୁଛି । ଏହି ନଦୀବନ୍ଧ ପାଇଁ ପାକିସ୍ତାନ ସରକାରଙ୍କ ପାଖରେ ସମ୍ବଳ ନଥିବାରୁ ଲୋକମାନଙ୍କଠାରୁ ଚାନ୍ଦା ସଂଗ୍ରହ କରି ନିର୍ମାଣ କରାଯିବାକୁ  ଉଦ୍ୟମ କରାଯାଉଛି । ତେବେ ଏହି ପ୍ରକଳ୍ପ ଆଗରେ ଏକ ବଡ଼ ପ୍ରତିବନ୍ଧକ ଦେଖାଦେଇଛି ।  ପାକ-ଅଧିକୃତ କାଶ୍ମୀରର ଲୋକମାନେ ଏହି ପ୍ରକଳ୍ପକୁ ପ୍ରବଳ ବିରୋଧ କରୁଛନ୍ତି । କାଶ୍ମୀରର ପ୍ରାକୃତିକ ସମ୍ବଳକୁ ପାକିସ୍ତାନ ନିଜର ଲାଭ ପାଇଁ ଉପଯୋଗ କରୁଛି, ମାତ୍ର ସ୍ଥାନୀୟ ଲୋକମାନେ ଭୋକ ଓପାସରେ ସଢୁଛନ୍ତି । ଏହି ନଦୀବନ୍ଧ ହେବାଫଳରେ ପାକ ଅଧିକୃତ କାଶ୍ମୀରରେ ଜଳ ସଂକଟ ଦେଖାଦେବ । ଏଣୁ ଏହି ପ୍ରକଳ୍ପ ବିରୋଧରେ ନିକଟରେ  ପାକ-ଅଧିକୃତ କାଶ୍ମୀରର ରାଜଧାନୀ ମୁଜାଫରାବାଦରେ  ଏକ ବଡ଼ ଧରଣର ଆନ୍ଦୋଳନ ହୋଇଥିଲା । ଏଥିରେ ଲୋକମାନେ ପାକବିରୋଧୀ ସ୍ଲୋଗାନ ଦେଇଥିଲେ । ଏପରିକି ପାକିସ୍ତାନ କବଳରୁ ମୁକ୍ତ ହେବା ପାଇଁ ସ୍ଲୋଗାନ ଦିଆଯାଇଥିଲା । ଏହି କାଶ୍ମୀର ଯେପରି ପାକ କବଳରୁ ମୁକ୍ତ ହେବ ସେ ଦିଗରେ ଅନ୍ତର୍ଜାତୀୟ ସମୁଦାୟର ସମର୍ଥନ ଲୋଡାଯାଇଛି ବୋଲି ୟୁନାଇଟେଡ କାଶ୍ମୀର ପିପୁଲ୍ସ ପାର୍ଟି ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର