୫ ରାଜ୍ୟରେ ପଥରମାଡ଼ ଓ ପୋଡ଼ାଜଳା
ବିଭିନ୍ନ ସହରରେ ପୁଲିସ କର୍ମୀ ଆହତ, କର୍ଫ୍ୟୁ ଜାରି
ହାଓଡ଼ାରେ ବିଜେପି ଅଫିସ୍ ଜାଳିଦେଲେ
ନୂଆଦିଲ୍ଲୀ : ପ୍ରଫେଟ୍ ମହମ୍ମଦଙ୍କ ସଂପର୍କରେ ବିବାଦୀୟ ବୟାନକୁ ବିରୋଧ କରି ମୁସ୍ଲିମ ସଂପ୍ରଦାୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଶୁକ୍ରବାର ଦିନ ବିଭିନ୍ନ ସହରରେ ପ୍ରଫେଟଙ୍କ ବିରୋଧରେ ଟିପ୍ପଣୀକୁ ବିରୋଧ କରି ହିଂସାତ୍ମକ ଆନ୍ଦୋଳନ ହୋଇଛି। ୫ ରାଜ୍ୟ ଦିଲ୍ଲୀ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ ପଶ୍ଚିମବଙ୍ଗରେ ବିଭିନ୍ନ ମସ୍ଜିଦ୍ରେ ଶୁକ୍ରବାର ପ୍ରାର୍ଥନା ପରେ ଅଚାନକ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଉପଦ୍ରବକାରୀମାନେ ପଥର ମାଡ଼ ସହିତ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ଆରମ୍ଭ କରିଦେଇଥିଲେ। ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ ଗିରଫ ଦାବି କରି ବିଭିନ୍ନ ମୁସ୍ଲିମ ସଂଗଠନ ପକ୍ଷରୁ ହୋଇଥିବା ଏହି ଆନ୍ଦୋଳନ ବଡ଼ ଧରଣର ସାଂପ୍ରଦାୟିକ ହିଂସାର ରୂପ ନେବା ଆଶଙ୍କା କରାଯାଉଛି। ଆଜି ବିଭିନ୍ନ ସହରରେ ନୂପୁରଙ୍କ କୂଶପୁତ୍ତଳିକା ଦାହ କରାଯାଇଥିଲା। ଶୁକ୍ରବାର ନମାଜ ପରବର୍ତ୍ତୀ ସ୍ଥିତିକୁ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶାବଳି ଜାରି କରି ରାଜ୍ୟମାନଙ୍କୁ କହିଥିଲେ। କିନ୍ତୁ ଏହା ସତ୍ତ୍ବେ ଦେଶବ୍ୟାପୀ ହିଂସାତ୍ମକ ଆନ୍ଦୋଳନ ଚିନ୍ତାର କାରଣ ହୋଇଛି।
ଝାଡ଼ଖଣ୍ଡର ରାଞ୍ଚିରେ ବଡ଼ ଧରଣର ହିଂସା ଦେଖିବାକୁ ମିଳିଛି। ସମସ୍ତ ମୁସଲିମ ବ୍ୟବସାୟୀମାନେ ସେମାନଙ୍କ ଦୋକାନ ବନ୍ଦ କରିଦେଇଥିବା ବେଳେ ପଥର ମାଡ଼, ଟାୟାର ଜାଳି ରାସ୍ତା ଅବରୋଧ ଏବଂ ବ୍ୟାପକ ଭଙ୍ଗାରୁଜା ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୁଲିସ ଲାଠିମାଡ଼ ଓ ଫାଙ୍କା ଗୁଳିଚାଳନା କରିଛି। ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ସଂଘର୍ଷ ମଧ୍ୟରେ ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ପଥର ମାଡ଼ କରିଛନ୍ତି। ଫଳରେ କିଛି ପୁଲିସ କର୍ମୀ ଆହତ ହୋଇଛନ୍ତି। ଅନେକ ଗାଡ଼ି ଭଙ୍ଗାରୁଜା ହୋଇଛି। ପୁଲିସ କହିଛି, ଆଜି ନମାଜ ପରେ ଯୋଜନାବଦ୍ଧ ଭାବେ ହିଂସା ହୋଇଥିଲା। ରାଞ୍ଚିରେ ହିଂସା ପ୍ରବଣ ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି।
ଦିଲ୍ଲୀରେ ଶୁକ୍ରବାର ପ୍ରାର୍ଥନା ପରେ ଜାମିଆ ମସ୍ଜିଦ ବାହାରେ ପ୍ରଥମେ ଆନ୍ଦୋଳନ ହୋଇଥିଲା। ପ୍ରଫେଟ୍ଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିବା ନୂପୁର ଶର୍ମାଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ଆଜି ପ୍ରାୟ ୧୫୦୦ ଲୋକ ଜାମା ମସଜିଦ ବାହାରେ ରୁଣ୍ଡ ହୋଇଥିଲେ। ଏହାପରେ ବିଭିନ୍ନ ସ୍ଥାନରେ ପଥର ମାଡ଼ ଏବଂ ଉତ୍ତେଜକ ସ୍ଲୋଗାନ ଆରମ୍ଭ ହୋଇଯାଇଥିଲା। ଜାମିଆ ମସଜିଦ୍ର ଶାହି ଇମାମ୍ କିନ୍ତୁ ଏହି ଆନ୍ଦୋଳନଠାରୁ ନିଜକୁ ଦୁରେଇ ରଖିଛନ୍ତି। ସେ କହିଛନ୍ତି, ମସଜିଦ ଦ୍ବାରା କୌଣସି ଆନ୍ଦୋଳନ ଡାକରା ଦିଆଯାଇନି। କେଉଁମାନେ ଆନ୍ଦୋଳନ କରିଛନ୍ତି ତାହା ମଧ୍ୟ ଆମେ ଜାଣୁନା। ଏହି ଅାନ୍ଦୋଳନକୁ ଆମେ ସହଯୋଗ କରିବୁନି ବୋଲି ସେ କହିଛନ୍ତି। ଜାମା ମସଜିଦ ଆନ୍ଦୋଳନ ପାଇଁ ଦାୟୀ କିଛି ଉପଦ୍ରବକାରୀଙ୍କୁ ଦିଲ୍ଲୀ ପୁଲିସ ଚିହ୍ନଟ କରିଛି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଦିଲ୍ଲୀ ହିଂସା ମାମଲାରେ ୩୦ ଜଣ ଏଆଇଏମ୍ଆଇଏମ୍ କାର୍ଯ୍ୟକର୍ତ୍ତାଙ୍କୁ ପୁଲିସ ଗିରଫ କରିଥିବା ବେଳେ କୋର୍ଟ ସେମାନଙ୍କୁ ୩ ଦିନ ପାଇଁ ଜେଲ୍କୁ ପଠାଇ ଦେଇଛି।
/sambad/media/post_attachments/wp-content/uploads/2022/06/Capture-13-750x409-1-300x164.png)
ସେହିପରି ଉତ୍ତରପ୍ରଦେଶର ଶାହରନପୁର, ମୋରାଦାବାଦ ଏବଂ ପ୍ରୟାଗରାଜରେ ଶୁକ୍ରବାର ନମାଜ ପରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଅନ୍ୟତମ ପ୍ରମୁଖ ସହର ପ୍ରୟାଗରାଜରେ ପଥର ମାଡ଼ ଓ ଭଙ୍ଗାରୁଜାକୁ ନେଇ ତୀବ୍ର ଉତ୍ତେଜନା ଲାଗି ରହିଛି। ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଏଠାରେ ଆନ୍ଦୋଳନକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଲକ୍ଷ୍ନୌ, କାନପୁର, ଫିରୋଜାବାଦ ଭଳି ସହରରେ ପୁଲିସ ସୁରକ୍ଷା କଡ଼ାକଡ଼ି କରିଛି। ୟୁପି ପୁଲିସ ପ୍ରାୟ ୧୩୦ ଜଣ ଉପଦ୍ରବକାରୀଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶର ବିଭିନ୍ନ ସହରରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଅଟଳା ଅଞ୍ଚଳରେ ଉପଦ୍ରବକାରୀମାନେ ପ୍ରୟାଗରାଜ ଏଡିଜିଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ପ୍ରୟାଗରାଜରେ ଆନ୍ଦୋଳନକାରୀମାନେ ବଡ଼ ହିଂସା ଘଟାଇବାକୁ ଯୋଜନା କରିଥିଲେ ମଧ୍ୟ ପୁଲିସ ବାହିନୀ ତାହାକୁ ପଣ୍ଡ କରିଦେଇଛି। ଇତି ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କରିଛନ୍ତି। ହିଂସା ସୃଷ୍ଟିକାରୀଙ୍କୁ କଡ଼ା ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କୌଣସି ଜଣେ ବି ଦଙ୍ଗାକାରୀ ନିସ୍ତାର ପାଇବେ ନାହିଁ। ସାଂପ୍ରଦାୟିକା ହିଂସାକୁ କଠୋର ହସ୍ତରେ ଦମନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।
ତେଲେଙ୍ଗାନାରେ ମଧ୍ୟ ବିଭିନ୍ନ ମୁସ୍ଲିମ ଗୋଷ୍ଠୀ ପକ୍ଷରୁ ଆନ୍ଦୋଳନ ହୋଇଛି। ହାଇଦ୍ରାବାଦର ମକ୍କା ମସଜିଦ ବାହାରେ ଆନ୍ଦୋଳନକାରୀମାନେ ଉତ୍ତେଜକ ସ୍ଲୋଗାନ ଦେଇଥିଲେ। ପଶ୍ଚିମବଂଗରେ ମଧ୍ୟ ଶୁକ୍ରବାର ପ୍ରାର୍ଥନା ପରେ ବ୍ୟାପକ ହିଂସା ହୋଇଛି। ହାଓଡ଼ାରେ ଆନ୍ଦୋଳନକାରୀମାନେ ଆଜି ବିଜେପି ଅଫିସ୍ ଜାଳି ଦେଇଛନ୍ତି ଏବଂ କେତେକ ଯାନବାହନରେ ନିଆଁ ଲଗାଇ ଦେଇଛନ୍ତି। ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି ପଥର ମାଡ଼ ଯୋଗୁଁ ଉତ୍ତେଜନା ଚରମରେ ପହଞ୍ଚିବା ପରେ ମୋବାଇଲ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଯାଇଛି। ପ୍ରଫେଟ୍ଙ୍କ ବିରୋଧରେ ଟିପ୍ପଣୀ ପାଇଁ ବିଜେପି ନୂପୁର ଶର୍ମାଙ୍କୁ ନିଲମ୍ବିତ କରିଛି ଏବଂ ନୂପୁର ଶର୍ମା କ୍ଷମା ମାଗିଥିଲେ ସୁଦ୍ଧା ଏହି ବିବାଦ ଥମିବାର ନାମ ନେଉନାହିଁ। ଜଣେ ବ୍ୟକ୍ତିଙ୍କ ବୟାନ ପାଇଁ ପୂରା ଦେଶକୁ ଶାସ୍ତି ଦେବା ଠିକ୍ ନୁହେଁ ବୋଲି ବିଜେପି ନେତା ମୁଖ୍ତାର ଅବ୍ବାସ ନକ୍ଭୀ କହିଛନ୍ତି।
ବେଙ୍ଗାଲୁରୁରେ ନୂପୁର ଶର୍ମାଙ୍କ କୁଶ ପୁତ୍ତଳିକା ଝୁଲାଇଲେ
ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଆଜି କିଛି ଉପଦ୍ରବକାରୀ ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ କୁଶପୁତ୍ତଳିକାକୁ ଏକ ଇଲେକ୍ଟ୍ରିକ୍ ତାରରେ ଝୁଲାଇ ଦେଇଛନ୍ତି। ଫୋର୍ଟ୍ ରୋଡ୍ସ୍ଥିତ ମସଜିଦ ନିକଟରେ ଏହା ସର୍ବସାଧାରଣରେ ଫାଶୀ ଦେବା ସଦୃଶ ଦେଖାଦେଇଥିବାରୁ ଏହାକୁ କଡ଼ା ନିନ୍ଦା କରାଯାଇଥିଲା। ଏହାର ବିରୋଧ କରାଯିବାରକୁ ପୁଲିସ ଏବଂ ପୌର ନିଗମ ପକ୍ଷରୁ ଏହି କୁଶପୁତ୍ତଳିକାକୁ କାଢ଼ି ନିଆଯାଇଛି। ସମାଜରେ ଶାନ୍ତି ନଷ୍ଟ ପାଇଁ ଏବଂ ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ାଇବା କାରଣରୁ ପୁଲିସ କିଛି ଉପଦ୍ରବକାରୀ ବିରୋଧରେ ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/danga.jpg)