କରୋନା ଟିକା ନେବାକୁ ଯାଇଥିବା ତିନି ଜଣଙ୍କୁ ଦିଆଗଲା କୁକୁର କାମୁଡ଼ା ଇଞ୍ଜେକ୍ସନ!

ଲଖନଉ: କରୋନା ଭ୍ୟାକସିନ ନେବାକୁ ଯାଇଥିବା ତିନି ଜଣଙ୍କୁ ଦିଆଗଲା କୁକୁର କାମୁଡ଼ା ଇଞ୍ଜେକ୍ସନ | ଆଉ ଏହି ଅଭିଯୋଗ ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶ ଶ୍ୟାମଲିର କାନ୍ଦଲାସ୍ଥିତ କମ୍ୟୁନିଟି ହେଲଥ ସେଣ୍ଟରରେ ତିନିଜଣଙ୍କୁ ଆଣ୍ଟି ରାବିଜ ଟିକା ଦିଆଯାଇଥିବାର ଅଭିଯୋଗ ହୋଇଛି | ଏହି ଅଭିଯୋଗ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସଞ୍ଜୟ ଅଗ୍ରୱାଲ କହିଛନ୍ତି ଯେ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

କାନ୍ଦଲାରେ ରହୁଥିବା ସରୋଜ (୭୦ ବର୍ଷ) ଙ୍କ ସହ ମ୍ୟୁନିସିପାଲିଟି ରେଳ ମଣ୍ଡିରେ ରହୁଥିବା ଅନାରକଲି (୭୨ ବର୍ଷ) ଏବଂ ସତ୍ୟବତୀ (୬୨ ବର୍ଷ) କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ କରୋନା ଟିକା ନେବାକୁ ଯାଇଥିଲେ। ତେବେ ଘରକୁ ଆସିବା ପରେ ତିନି ଜଣଙ୍କର ମୁଣ୍ଡ ବୁଲାଇବାରୁ ସମ୍ପର୍କୀୟମାନେ ସେମାନଙ୍କୁ ଘରୋଇ ଡାକ୍ତରଙ୍କ ନିକଟକୁ ନେଇଥିଲେ।

ଯେତେବେଳେ ଡାକ୍ତର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଦିଆଯାଇଥିବା ପ୍ରେସକ୍ରିପସନ୍ ଦେଖିଲେ, ସେତେବେଳେ ଆଣ୍ଟି ରାବିଜ ଟିକା ଦିଆଯାଇଥିବାର ଲେଖାହୋଇଥିଲା | ତେବେ ଏହାକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଥିବା ଡାକ୍ତର ବିଜେନ୍ଦ୍ର ସିଂ କହିଛନ୍ତି ଯେ ତିନିଜଣ ମହିଳାଙ୍କ ଉପରେ ରାବିଜ ଟିକା ଦିଆଯାଇଥିବାର ମାମଲା ସାମ୍ନାକୁ ଆସିଛି ଓ ଘଟଣାର ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର