ତାଲିବାନ ବିରୋଧୀ ବିଦ୍ରୋହ ତେଜୁଛି, ଆତଙ୍କବାଦୀଙ୍କ ସରକାରକୁ ନାଗରିକ ଗ୍ରହଣ କରୁନାହାନ୍ତି

କାବୁଲ : ଆଫଗାନିସ୍ତାନରେ କାମଚଳା ସରକାର ଘୋଷଣା କରିଥିବା ତାଲିବାନ ଏବେ ନାଗରିକଙ୍କ ଆଡ଼ୁ ବଡ଼ ବିରୋଧର ସମ୍ମୁଖୀନ ହୋଇଛି। କାମଚଳା ସରକାରର କୌଣସି ଗୋଟିଏ ନୀତି ବି ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ନଥିବାରୁ କେବଳ ହିଂସା ମାଧ୍ୟମରେ ଏକ ଦେଶକୁ ନିୟନ୍ତ୍ରଣ କରିବା ପାଇଁ ତାଲିବାନର ଉଦ୍ଦେଶ୍ୟ ସଫଳ ହେବନାହିଁ ବୋଲି ମତପ୍ରକାଶ ପାଇଥିବା ବେଳେ ପ୍ରାୟ ସବୁ ଅଂଚଳରେ ବିରୋଧର ସ୍ବର ତେଜୁଛି। ପୂର୍ବରୁ ରହିଥିବା ଲୋକାଭିମୁଖୀ ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ସହ ଗୁରୁତ୍ବପୂର୍ଣ୍ଣ ସରକାରୀ ଅନୁଷ୍ଠାନ ଅନିଶ୍ଚିତତା ଭିତରକୁ ଚାଲିଯାଇଛି।

ଆଫଗାନିସ୍ତାନରେ ଅଗଷ୍ଟ ୧୫ ପରଠାରୁ ମାନବୀୟ ସଙ୍କଟ ଘନେଇଛି। ତାଲିବାନ ସରକାରକୁ ଆଫଗାନ ନାଗରିକମାନେ ପ୍ରବଳ ବିରୋଧ ଜାରି ରଖିବା ସହ ଯଥାସମ୍ଭବ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଉଥିବାରୁ ତାଲିବାନର ଚିନ୍ତା ବଢ଼ିଛି। ସାମ୍ବାଦିକ, ମହିଳା, ସାମାଜିକ କର୍ମୀ ଏବଂ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନେ ତାଲିବାନ ସରକାରକୁ ବିରୋଧ ଜାରି ରଖିବା ସହ ତାଲିବାନୀ ହିଂସାର ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି। ନୂଆ ସରକାର ଆନ୍ଦୋଳନ ଉପରେ ବି ରୋକ ଲଗାଇଛନ୍ତି ଏବଂ କେହି ବିନା ଅନୁମତିରେ ଆନ୍ଦୋଳନ କରିପାରିବେ ନାହିଁ ବୋଲି କଡ଼ା ଚେତାବନୀ ‌ଦିଆଯାଇଛି। ତେବେ ଲୋକେ ଜୀବନକୁ ଖାତିର୍‌ ନକରି ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଖବର ସଂଗ୍ରହ କରିଥିବା ସାମ୍ବାଦିକଙ୍କ ଉପରେ ମଧ୍ୟ ତାଲିବାନ ନିଷ୍ଠୁର ଆକ୍ରମଣ କରୁଛି । ତାଲିବାନ ନୂଆ ସରକାରରେ ଜଣେ ହେଲେ ମହିଳାଙ୍କୁ ସ୍ଥାନ ଦେଇନଥିବା ବେଳେ ମହିଳାଙ୍କ ସ୍ବାଧୀନ ଚଳପ୍ରଚଳ ଉପରେ ମଧ୍ୟ କଟକଣା ଲଗାଉଥିବାରୁ ଦେଶବ୍ୟାପୀ ମହିଳାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ତାଲିବାନ ଆମେରିକା ସମେତ ଅନ୍ୟ ପ୍ରମୁଖ ରାଷ୍ଟ୍ରମାନଙ୍କ ସହ ଉତ୍ତମ ସମ୍ପର୍କ ଚାହିଛି। କିନ୍ତୁ ସବୁଠୁ ବଡ଼ ଚ୍ୟା‌ଲେଂଜ ହେଉଛି ତାଲିବାନକୁ ବିଶ୍ବ ନେତାମାନେ ବିଶ୍ବାସ କରୁନାହାନ୍ତି। ଆମେରିକା ନିକଟରେ କହିଥିଲା, ଏହା ତାଲିବାନର କଥାରେ ନୁହେଁ, କାମରେ ବିଶ୍ବାସ ରଖିବ। ଆଫଗାନିସ୍ତାନରେ ମାନବୀୟ ସଙ୍କଟ ବଢ଼ୁଥିବାରୁ ଅନ୍ତର୍ଜାତୀୟ ସମୁଦାୟ ଚିନ୍ତା‌ ପ୍ରକଟ କରିଛନ୍ତି। ତାଲିବାନ ଜାତିସଂଘ ଦ୍ବାରା ଘୋଷିତ ଆତଙ୍କବାଦୀମାନଙ୍କୁ ସରକାରରେ ସ୍ଥାନ ଦେଇଥିବାରୁ ବିଭିନ୍ନ ରାଷ୍ଟ୍ର କ୍ଷୁବ୍ଧ ହୋଇଛନ୍ତି। ଆଫଗାନ-ପାକିସ୍ତାନ ସୀମରେ ବହୁ ଦିନ ଧରି ଲାଗି ରହିଥିବା ବିବାଦକୁ ବି ତାଲିବାନ ମୁକାବିଲା କରୁଛି। ଆଫଗାନିସ୍ତାନର ଭୟଙ୍କର ଆର୍ଥିକ ସଙ୍କଟକୁ ତାଲିବାନ ସରକାର କିଭଳି ମୁକାବିଲା କରିବ ତା’ ଉପରେ ବିଶ୍ବର ନଜର ରହିଛି। ମୋଟ୍‌ ଉପରେ ନୂଆ ତାଲିବାନ ସରକାରକୁ ସାଧାରଣ ନାଗରିକ କିମ୍ବା ବିଶ୍ବ ସମୁଦାୟ ବିଶ୍ବାସ କରିପାରୁନାହାନ୍ତି।

ସମ୍ବନ୍ଧିତ ଖବର