ଶ୍ରୀନଗର: ଚଳିତ ବର୍ଷର ସବୁଠାରୁ ବଡ଼ ଆତଙ୍କବାଦ ବିରୋଧୀ ଅଭିଯାନ ଦକ୍ଷିଣ କଶ୍ମୀରର ଆଖଲ ଜଙ୍ଗଲ ଅଞ୍ଚଳରେ  ଜାରି ରହିଛି।    ଜମ୍ମୁ-କଶ୍ମୀର ପୁଲିସ, ସେନା ଏବଂ ସିଆର୍‌ପିଏଫର ଏହି ମିଳିତ ଅପରେସନ ଆଜି ତୃତୀୟ ଦିନରେ ପହଞ୍ଚିଥିବା ବେଳେ ଗତ ୪୮ ଘଣ୍ଟା ମଧ୍ୟରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ମିଳିତ ଟିମ୍ ଅଖଲ ଜଙ୍ଗଲର ବିଭିନ୍ନ ଅଂଚଳରେ ଘେରାବନ୍ଦୀ କରି ବ୍ୟପକ ସର୍ଚ୍ଚ ଅପରେସନ ଚଳାଇଛନ୍ତି।  ଗତରାତି ସୁଦ୍ଧା ୪ ଜଣ ଆତଙ୍କୀ ନିପାତ ହୋଇଥିବା ବେଳେ ଆଜି ଆଉ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି।  ଏହି ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିବା ସୁରକ୍ଷା ବାହିନୀ ସୂତ୍ରରୁ ପ୍ରକାଶ। ଅଖଲରେ କେତେକ ପାକିସ୍ତାନୀ ଓ ସ୍ଥାନୀୟ ଆତଙ୍କୀ ଲୁଚିଥିବା ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ଏହି ସ୍ବତନ୍ତ୍ର ଅପରେସନ ଆରମ୍ଭ ହୋଇଥିଲା ଏବଂ ଆଜି ଏହା ବ୍ୟାପକ ହୋଇଛି। ଦକ୍ଷିଣ କାଶ୍ମୀରର ଏହି ଜଙ୍ଗଲରେ ଗତ ରାତିସାରା ତୁହାକୁ ବିସ୍ଫୋରଣ ଓ ଗୁଳିଚାଳନା ହୋଇଥିଲା। ୪ଟି ସ୍ଥାନରେ ସୁରକ୍ଷାବାହିନୀ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଏବଂ ଦୁଇଟି ସ୍ଥାନରେ ଗୁଳି ବିନିମୟ ଜାରି ରହିଛି। ନିହତ ହୋଇଥିବା ୬ ଜଣ ଆତଙ୍କବାଦୀ  ନିଷିଦ୍ଧ ଲସ୍କର-ଏ-ତୋଏବା (ଏଲଇଟି)ର ଏକ ଶାଖା ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ୍‌)ର ବୋଲି ସେନା ଅଧିକାରୀମାନେ କହିଛନ୍ତି।

‘ଅପରେସନ୍ ଅଖଲ’ ଜାରି

Advertisment

ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କୁ ବର୍ବର ହତ୍ୟା ପାଇଁ ଟିଆର୍‌ଏଫ୍‌ ସଂଗଠନ ନିଜକୁ ଦାୟୀ କରିଥିଲା। ଏବେ  ଟିଆର୍‌ଏଫ୍‌କୁ  ମୂଳପୋଛ କରିବା ପାଇଁ ଚାଲିଥିବା  ଅପରେସନରେ ହାଇଟେକ୍ ସର୍ଭେଲାନ୍ସ ସିଷ୍ଟମ ସାମିଲ କରାଯାଇଛି। ଗୋଟିଏ ପଟେ ଅନୁପ୍ରବେଶ ରୋକିବାକୁ ସୁରକ୍ଷା କଡ଼ାକଡ଼ି କରାଯାଇଥିବା ବେଳେ ଅନ୍ୟପଟେ ଆଭ୍ୟନ୍ତରୀଣ ଅଂଚଳର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ନିକଟରେ ‘ଅପରେସନ ମହାଦେବ’ ଅଧୀନରେ ଶ୍ରୀନଗରର ଦଚିଗାମ ଅଞ୍ଚଳ ନିକଟରେ ପହଲଗାମ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୩ ଜଣ ଲସ୍କର ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ନିପାତ କରିଥିଲା।   ଏହାର ପରଦିନ  ଜୁଲାଇ ୨୯ତାରିଖରେ ‘ଶିବଶକ୍ତି’ ନାମକ ଆଉ ଏକ ଅପରେସନ୍ କରାଯାଇଥିଲା, ଯେଉଁଥିରେ ସେନା ଆଉ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା।  ପହଲଗାମ ଆକ୍ରମଣ ପରେ  ୬ଟି ପୃଥକ ଏନ୍‌କାଉଣ୍ଟରରେ ଆଜି ସୁଦ୍ଧା ୨୧ ଆତଙ୍କବାଦୀ ନିହତ ହେଲେଣି। ଏହି ଆତଙ୍କବାଦୀଙ୍କ ମଧ୍ୟରୁ ୧୨ ଜଣ ପାକିସ୍ତାନୀ ନାଗରିକ ଥିବା ବେଳେ ୯ ଜଣ ସ୍ଥାନୀୟ ନାଗରିକ ବୋଲି ଜଣାପଡ଼ିଛି। ଏହି ଅପରେସନ୍ ପରେ ଜମ୍ମୁ-କଶ୍ମୀରରେ ସକ୍ରିୟ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ହ୍ରାସ ପାଇଛି ଏବଂ ଅଖଲ ଅପରେସନ ଶେଷ ହେବାପରେ ସୁରକ୍ଷା ସ୍ଥିତି ଅଧିକ ସୁଦୃଢ଼ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ମେ ୬ରୁ ୭ ମଧ୍ୟରେ ପାକିସ୍ତାନରେ ‘ଅପରେସନ ସିନ୍ଦୂର’ ସମୟରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।