ଭୋପାଳ: ପହଲଗାମ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପାକିସ୍ତାନର ଆତଙ୍କବାଦୀମାନେ ଭାରତର ନାରୀଶକ୍ତିକୁ ଚ୍ୟାଲେଞ୍ଜ କରି ନିଜର ବିପର୍ଯ୍ୟୟ ଆଣିଛନ୍ତି। ଆତଙ୍କବାଦ ବିରୋଧରେ ‘ ଅପରେସନ ସିନ୍ଦୂର’ ଭାରତୀୟ ଇତିହାସର ସବୁଠାରୁ ବଡ଼ ଓ ସଫଳ ଅପରେସନ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ପହଲଗାମରେ ଆତଙ୍କବାଦୀମାନେ କେବଳ ରକ୍ତ ବୁହାଇ ନ ଥିଲେ, ସେମାନେ ଆମ ସଂସ୍କୃତି ଉପରେ ଆକ୍ରମଣ କରିଥିଲେ। ସେମାନେ ଆମ ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରିଥିଲେ। ଆତଙ୍କବାଦୀମାନେ ଭାରତର ନାରୀଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଏବଂ ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଓ ସେମାନଙ୍କ ପ୍ରାୟୋଜକଙ୍କ ପାଇଁ ବିପର୍ଯ୍ୟୟରେ ପରିଣତ ହୋଇଥିଲା ବୋଲି ରାଣୀ ଅହଲ୍ୟାବାଈ ହୋଲକରଙ୍କ ୩୦୦ତମ ଜୟନ୍ତୀ ଅବସରରେ ଭୋପାଳରେ ଆୟୋଜିତ ‘ମହିଳା ସଶକ୍ତୀକରଣ ମହାସମ୍ମିଳନୀ’ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
‘ନାରୀଶକ୍ତିକୁ ଚ୍ୟାଲେଞ୍ଜ କରି ଆତଙ୍କବାଦୀମାନେ ନିଜର ବିପର୍ଯ୍ୟୟ ଆଣିଛନ୍ତି’
ଏପ୍ରିଲ ୨୨ ତାରିଖରେ ଲସ୍କର ଆତଙ୍କବାଦୀମାନେ ଧର୍ମ ପଚାରି ଅଣମୁସଲମାନ ଲୋକଙ୍କୁ ହତ୍ୟା କରିଥିଲେ। ଏହାର ଜବାବରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା- ଯାହା ଆକ୍ରମଣରେ ବିଧବା ହୋଇଥିବା ମହିଳାମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହି ଶତ୍ରୁତା ସମୟରେ ଭାରତ କେବଳ ପାକିସ୍ତାନ ଭିତରେ ଥିବା ପ୍ରମୁଖ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ନ ଥିଲା, ବରଂ ଅସ୍ତ୍ରବିରତି ପୂର୍ବରୁ ପାକିସ୍ତାନର ଅନେକ ସାମରିକ ଘାଟିକୁ ମଧ୍ୟ ଟାର୍ଗେଟ କରିଥିଲା। ଯଦି ଭାରତ ଉପରେ ପୁଣି ଥରେ ଆକ୍ରମଣ ହୁଏ ତେବେ ଉଭୟ ଆତଙ୍କବାଦୀ ଓ ସେମାନଙ୍କ ପ୍ରାୟୋଜକଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ଆତଙ୍କବାଦ ଜରିଆରେ ଛଦ୍ମଯୁଦ୍ଧକୁ ଆଉ ବରଦାସ୍ତ କରାଯିବ ନାହିଁ। ଏବେ ଆମେ ସେମାନଙ୍କ ଘର ଭିତରେ ପଶି ଆକ୍ରମଣ କରିବୁ। ଯିଏ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବ, ତାକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ମୋଦୀ ଘୋଷଣା କରିଛନ୍ତି।