ୱାସିଂଟନ: ସମଗ୍ର ଆମେରିକାରେ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭର ଲହର ଚାଲିଛି। ‘ନୋ କିଙ୍ଗ୍ସ’ ନାମରେ ଚାଲିଥିବା ଏହି ବିକ୍ଷୋଭ ଦେଶର ସମସ୍ତ ପ୍ରମୁଖ ସହରରେ ଜାରି ରହିଛି ଏବଂ ଟ୍ରମ୍ପଙ୍କ ଏକଚାଟିଆ ନୀତିକୁ ବିରୋଧ କରି ପ୍ରାୟ ୭୦ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ ବିକ୍ଷୋଭକାରୀଙ୍କୁ ନିଶାଣ କରି ଟ୍ରମ୍ପ  ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍‌ ସୋସିଆଲ’ରେ ଏକ ଚାଞ୍ଚଲ୍ୟକର ଏଆଇ(କୃତ୍ରିମ ବୁଦ୍ଧିମତା) ଭିଡିଓ ସେୟାର କରି ରାଜନୈତିକ ବିତର୍କକୁ ଆହୁରି ତୀବ୍ର କରିଛନ୍ତି। ୧୯ ସେକେଣ୍ଡର ଏହି ଭିଡିଓରେ ଟ୍ରମ୍ପ ନିଜକୁ ‘କିଙ୍ଗ୍‌ ଟ୍ରମ୍ପ’ ଲେଖା ଥିବା ଏକ ଯୁଦ୍ଧ ବିମାନରେ ପାଇଲଟ ଭାବେ ଦେଖାଇ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ‘ନୋ କିଙ୍ଗ୍ସ’ ବିରୋଧୀଙ୍କ ଉପରେ ମଳ  ବର୍ଷା କରୁଥିବା ଦୃଶ୍ୟ ଦେଖାଯାଇଛି।  ଆମେରିକାରେ ଚାଲିଥିବା ବିରୋଧ ପ୍ରଦର୍ଶନ ଓ ରାଜନୈତିକ ବିଭାଜନ ମଧ୍ୟରେ ଏହି ଭିଡିଓ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି।

Advertisment

ଭିଡିଓରେ ଟ୍ରମ୍ପ ଏକ ସୁନେଲି ମୁକୁଟ ଓ ପାଇଲଟ ପୋଷାକରେ ‘କିଙ୍ଗ୍‌ ଟ୍ରମ୍ପ’ ଲେଖା ଥିବା ଏକ ଯୁଦ୍ଧ ବିମାନ ଚଳାଉଛନ୍ତି।  ବିମାନ ଟାଇମ୍ସ ସ୍କୋୟାର ଉପରେ ପହଞ୍ଚିବା ପରେ ଟ୍ରମ୍ପ ଏକ ବଟନ୍‌ ଦବାଇ ବିରୋଧୀଙ୍କ ଉପରେ କାଦୁଅ ପରି ଏକ ପଦାର୍ଥ ବର୍ଷା କରୁଛନ୍ତି, ଯାହାକୁ ଅନେକେ ମଳ ବୋଲି ବ୍ୟାଖ୍ୟା କରିଛନ୍ତି। ଭିଡିଓରେ ଡେମୋକ୍ରାଟିକ କାର୍ଯ୍ୟକର୍ତା ହ୍ୟାରି ସିସନ୍‌ଙ୍କୁ ବିଶେଷ ଭାବେ ଟାର୍ଗେଟ କରାଯାଇଛି। ଭିଡିଓର ପୃଷ୍ଠଭୂମିରେ ‘ଟପ୍ ଗନ୍‌’ ଚଳଚ୍ଚିତ୍ରର ଗୀତ ‘ଡେଞ୍ଜର ଜୋନ୍‌’ ବାଜୁଛି, ଯାହା ଭିଡିଓକୁ ଆହୁରି ଉତ୍ତେଜକ କରିଛି। ଟ୍ରମ୍ପ ଏହି ପୋଷ୍ଟକୁ “ନୋ କିଙ୍ଗ୍ସ? ଏହା ଦେଖ! ମାଗା ! କ୍ୟାପସନ ଦେଇ ସେୟାର କରିଛନ୍ତି। 
ଏହି ଭିଡିଓ ପ୍ରକାଶ ପାଇବା ପରେ  ଆମେରିକାରେ ‘ନୋ କିଙ୍ଗ୍ସ’ ବିରୋଧ ପ୍ରଦର୍ଶନ ତୀବ୍ର ହୋଇଛି। ଆୟୋଜକଙ୍କ ମତରେ, ୫୦ଟି ରାଜ୍ୟର ୨,୭୦୦ରୁ ଅଧିକ ସହରାଞ୍ଚରେ ପ୍ରାୟ ୭୦ ଲକ୍ଷ ଲୋକ ଏହି ଆନ୍ଦୋଳନରେ ଅଂଶଗ୍ରହଣ କରି ଟ୍ରମ୍ପ ପ୍ରଶାସନକୁ ଚ୍ୟାଲେଞ୍ଜ କରିଛନ୍ତି। ସାନ୍‌ ଫ୍ରାନ୍‌ସିସ୍କୋ ଓ ପୋର୍ଟଲ୍ୟାଣ୍ଡ ପରି ବଡ଼ ସହର ଠାରୁ ଆରମ୍ଭ କରି   ଆମେରିକାର ଛୋଟ ସହର ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜୋର୍‌ଦାର ହୋଇଛି। ଲୋକେ ଟ୍ରମ୍ପ ପ୍ରଶାସନର କ୍ଷମତାସର୍ବସ୍ବ ନୀତି, ଗଣମାଧ୍ୟମ ଉପରେ ଆକ୍ରମଣ, ପ୍ରବାସୀ ବିରୋଧୀ ପଦକ୍ଷେପ ଓ ସରକାରୀ କାର୍ଯ୍ୟରେ ବିଭ୍ରାଟ ନେଇ ବିରୋଧ ପ୍ରକାଶ କରିଛନ୍ତି।

ପ୍ରଦର୍ଶନକାରୀମାନେ ‘ନୋ କିଙ୍ଗ୍ସ, ନୋ କୁଇନ୍ସ, ନୋ ଫାସିଷ୍ଟ’ ସ୍ଲୋଗାନ ଦେଇଛନ୍ତି।  ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଏଆଇ ଭିଡିଓର ରାଜନୈତିକ ବ୍ୟବହାର ଓ ଏହାର ନୈତିକତା ଦିଗକୁ  ନେଇ ମଧ୍ୟ ଚର୍ଚ୍ଚା ଜୋରଦାର ହୋଇଛି। ଟ୍ରମ୍ପଙ୍କ ଏହି ପଦକ୍ଷେପ ତାଙ୍କର ଏକଛତ୍ରବାଦୀ ନୀତିକୁ ସ୍ପଷ୍ଟ କରୁଛି ବୋଲି ବଭିନ୍ନ ମହଲ ମନ୍ତବ୍ୟ ଦେଇଛନ୍ତି।