ନୂଆଦିଲ୍ଲୀ: ଜଣେ ରୋଗୀ କରୋନାରୁ ସୁସ୍ଥ ହେବାପରେ ତାଙ୍କ ଶରୀରରେ ଆଣ୍ଟିବଡି ବିକାଶ ହୋଇଥାଏ। ତେବେ କିଛି ରୋଗୀ କରୋନାରୁ ସୁସ୍ଥ ହେଲେ ମଧ୍ୟ ତାଙ୍କ ଶରୀରରେ ଆଣ୍ଟିବଡିର ବିକାଶ ହୋଇନଥାଏ। ପ୍ରଶ୍ନ ଉଠୁଛି ଯେ ଜଣେ ରୋଗୀ କରୋନାରୁ ସୁସ୍ଥ ହେବାପରେ ତାଙ୍କ ଶରୀରରେ କେତେଦିନ ପର୍ଯ୍ୟନ୍ତ ଆଣ୍ଟିବଡି ରହୁଛି। ଏକ ଅଧ୍ୟୟନରୁ ଜଣାପଡ଼ିଛି, କରୋନା ଭାଇରସ୍‌ ବିରୋଧରେ ଆଣ୍ଟିବଡ଼ି ପାଖାପାଖି ୭ ମାସ ପର୍ଯ୍ୟନ୍ତ ରୋଗୀର ଶରୀରରେ ଚିହ୍ନଟ ହେଉଛି। କରୋନା ସଂକ୍ରମିତ ହୋଇଥିବା ୩୦୦ ରୋଗୀ ଏବଂ ସ୍ବେଚ୍ଛାସେବୀଙ୍କୁ ନେଇ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି।

Advertisment

‘ୟୁରୋପିଆନ୍‌ ଜର୍ନାଲ୍‌ ଅଫ୍‌ ଇମ୍ୟୁନୋଲୋଜି’ରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ କରୋନାରୁ ସୁସ୍ଥ ‌‌ହେବାପରେ ଜଣେ ରୋଗୀଙ୍କ ଶରୀରରେ ସ୍ପଷ୍ଟ ଭାବେ ୬ ମାସ ପର୍ଯ୍ୟନ୍ତ ଆଣ୍ଟିବଡି ଚିହ୍ନଟ ହୋଇପାରୁଛି। ବୈଜ୍ଞାନିକମାନଙ୍କ ଦ୍ବାରା ହସ୍ପିଟାଲ୍‌ରେ ଥିବା ୩୦୦ ରୋଗୀ, ସ୍ବାସ୍ଥ୍ୟ କର୍ମୀ, ୨୫୦୦ ବିଶ୍ବବିଦ୍ୟାଳୟ କର୍ମୀ ଏବଂ ୧୯୮ କୋଭିଡ୍‌ ସ୍ବେଚ୍ଛାସେବୀଙ୍କ ଶରୀରରେ ଥିବା ଆଣ୍ଟିବଡି ସ୍ତର ଯାଞ୍ଚରୁ ଏହା ଜଣାପଡ଼ିଛି। ୯୦ % କ୍ଷେତ୍ରରେ କରୋନା ଆଣ୍ଟିବଡି ୭ ମାସ ପର୍ଯ୍ୟନ୍ତ ରରୁଛି। ବୈଜ୍ଞାନିକମାନେ କହିଛନ୍ତି, ମହିଳାଙ୍କ ତୁଳନାରେ ପୁରୁଷଙ୍କ ଶରୀରରେ ଅଧିକ ଆଣ୍ଟିବଡି ଉତ୍ପନ୍ନ ହେଉଛି। ତେବେ ଯେଉଁମାନଙ୍କୁ କରୋନା ଅଧିକ ପ୍ରଭାବିତ କରୁଛି ସେମାନଙ୍କ ଶରୀରରେ ଆଣ୍ଟିବଡି ସ୍ତର ଅଧିକ ରହୁଥିବା ଜଣାପଡ଼ିଛି।