କରୋନାରୁ ସୁସ୍ଥ ରୋଗୀଙ୍କ ଶରୀରରୁ ଦ୍ରୁତ ହ୍ରାସ ପାଉଛି ଆଣ୍ଟିବଡି: ଗବେଷଣା

ଟରୋଣ୍ଟୋ: କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତରୁ ସପ୍ତାହକ ମଧ୍ୟରେ ଆଣ୍ଟିବଡ଼ି ଦ୍ରୁତ ଗତିରେ ହ୍ରାସ ପାଉଥିବା ଏକ ଗବେଷଣାରୁ ଜଣାପଡ଼ିଛି। କରୋନା ଭୂତାଣୁ ପାଇଁ ଆବଶ୍ୟକ ଚିକିତ୍ସା ନ ଥିବା ବେଳେ ସୁସ୍ଥ ରୋଗୀଙ୍କ ପ୍ଲାଜ୍‌ମା ଜରିଆରେ ଗୁରୁତରଙ୍କୁ ଚିକିତ୍ସା କରାଯାଉଛି। ଏପରି ସମୟରେ ଏହି ଗବେଷଣା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଛି। ପ୍ଲାଜମା ଚିକିତ୍ସା କରୋନା ରୋଗୀଙ୍କ ପାଇଁ ଫଳପ୍ରଦ ହେଉଛି। ରୋଗୀଟିଏ କରୋନାରୁ ସୁସ୍ଥ ହେବାର ନିର୍ଦ୍ଦିଷ୍ଟ ସମୟ ଭିତରେ ପ୍ଲାଜମା ସଂଗ୍ରହ କରାଗଲେ ତାହା ଅନ୍ୟ ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେଉଛି। ତେବେ ସୁସ୍ଥ ରୋଗୀ ଅତି କମ୍‌ରେ ୧୪ଦିନ ପର୍ଯ୍ୟନ୍ତ ପ୍ଲଜମା ଦେବା ଉଚିତ ନୁହେଁ। ଭୂତାଣୁ ଚାଲିଯିବା ପରେ ରକ୍ତ ଦେବା ଉଚିତ। ଯେଉଁ ଗୁରୁତର ରୋଗୀମାନଙ୍କୁ ପ୍ଲାଜମା ଦିଆଯାଉଛି, ତାହା ସେମାନଙ୍କ ଶରୀରରେ ଭାଇରସ୍‌ ପାର୍ଟିକିଲ୍‌କୁ ଦମନ କରିବାରେ ସହାୟକ ହେଉଛି ବୋଲି ମଣ୍ଟ୍ରିଲ ବିଶ୍ବବିଦ୍ୟାଳୟର ଆଣ୍ଡ୍ରେସ ଫିଞ୍ଜି କହିଛନ୍ତି। ସାର୍ସ କୋଭ୍‌-୨ର ସ୍ପାଇକ୍ ପ୍ରୋଟିନ୍‌ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଶରୀରରୁ ବାହାରୁଥିବା ଆଣ୍ଟିବଡି ପ୍ରୋଟିନ୍‌ର ଏକ ଅଂଶ ସହିତ ଯୋଡ଼ି ହୋଇ କୋଷିକାକୁ ଭୂତାଣୁ ସଂକ୍ରମଣରୁ ରକ୍ଷା କରୁଛି।

ପୂର୍ବରୁ ଫିଞ୍ଜିଙ୍କ ଗ୍ରୁପ୍ ପକ୍ଷରୁ ୧୦୦ଜଣ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ଦେଖାଯାଇଥିଲା ଯେ ମାତ୍ର ୩ରୁ ୬ ସପ୍ତାହ ମଧ୍ୟରେ ସେମାନଙ୍କ ମଧ୍ୟରେ ଦ୍ରୁତଗତିରେ ଆଣ୍ଟିବଡ଼ି ହ୍ରାସ ପାଉଛି। ତେବେ ନିକଟରେ ଫିଞ୍ଜି ଓ ତାଙ୍କ ସହକର୍ମୀଙ୍କ ଦ୍ବାରା ସୁସ୍ଥ ରୋଗୀଙ୍କ ୧ମାସ ଭିତରେ ‌ସଂଗୃହୀତ ରକ୍ତ ନମୁନା ସଂପର୍କରେ ଗବେଷଣା କରାଯାଇଥିଲା। ଏଥିରେ କୋଭିଡ୍‌ର ସ୍ପାଇକ୍ ପ୍ରୋଟିନ୍‌ ବିରୋଧରେ ଇମ୍ୟୁନୋଗ୍ଲୋବିନ୍ ସଂପର୍କରେ ଅନୁସନ୍ଧାନ ଓ ଭୂତାଣୁକୁ ନିୟନ୍ତ୍ରଣ କରିବାରେ ଆଣ୍ଟିବଡି କିଭଳି ସକ୍ଷମ ହେଉଛି, ତାହାର ଅନୁସନ୍ଧାନ କରାଯାଉଛି।

ସମ୍ବନ୍ଧିତ ଖବର