ଆଣ୍ଟିବଡି ପରୀକ୍ଷଣ: ଭାରତରେ ୨୦ରୁ ୩୦ ପ୍ରତିଶତଙ୍କ ଶରୀରରେ କରୋନାଭୂତାଣୁ ବିରୋଧୀ ରୋଗପ୍ରତିରୋଧକ ରହିଛି

ନୂଆଦିଲ୍ଲୀ : ଦେଶରେ କରୋନାଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା କ୍ଷିପ୍ର ବେଗରେ ବଢ଼ିବା ହିଁ ଚିନ୍ତାର କାରଣ ହୋଇଛି। ଏଥିରୁ ଦେଶରେ ନୂଆ ନୂଆ ସ୍ଥାନରେ ସଂକ୍ରମଣ ବ୍ୟାପୁଥିବା ସ୍ପଷ୍ଟ ହୋଇଛି। ତେବେ ଘରୋଇ ପୀକ୍ଷାଗାରଗୁଡ଼ିକରୁ ମିଳିଥିବା ତଥ୍ୟରୁ ଏହି ଭୂତାଣୁ ସେତେ ଘାତକ ନୁହେଁ ବୋଲି ଜଣାଯାଇଛି। ବିଭିନ୍ନ ଘରୋଇ ପରୀକ୍ଷାଗାରମାନଙ୍କରେ କରାଯାଇଥିବା ଆଣ୍ଟିବଡି ପରୀକ୍ଷଣରୁ ମିଳିଥିବା ତଥ୍ୟ ମୁତାବକ ଅଧିକାଂଶ କୋଭିଡ୍‌ ପୀଡ଼ିତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ଏପରିକି ସେମାନଙ୍କଠାରେ ସେପରି କିଛି ଉଲ୍ଲେଖନୀୟ ଲକ୍ଷଣ ମଧ୍ୟ ଦେଖାଯାଇନଥିବା ଜଣାଯାଇଛି।

ଇକୋନୋମିକ୍ସ ଟାଇମ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଘରୋଇ ପରୀକ୍ଷାଗାରରେ ଆଣ୍ଟିବଡି ପରୀକ୍ଷଣ କରାଇଥିବା କୋଭିଡ୍‌ ରୋଗୀଙ୍କ ମଧ୍ୟରୁ ୨୦ରୁ ୩୦ ପ୍ରତିଶତଙ୍କ ଶରୀରରେ କରୋନାଭୂତାଣୁ ବିରୋଧୀ ରୋଗପ୍ରତିରୋଧକ ରହିଥିବା ଜଣାଯାଇଛି। ସୂଚନାଥାଉ କି, ପୂର୍ବରୁ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଛି କି ନା ତାହା ଜାଣିବା ପାଇଁ ଏଭଳି ଆଣ୍ଟିବଡି ପରୀକ୍ଷଣ କରାଯାଇଥାଏ। ଏହାଦ୍ବାରା ଏକ ନିର୍ଦ୍ଦିଷ୍ଟ ଇଲାକାରେ ସଂକ୍ରମଣର କ୍ଷିପ୍ରତା ସମ୍ପର୍କରେ ଜାଣିହୋଇଥାଏ। ମୁମ୍ବାଇ ସ୍ଥିତ ଥାଇରୋକେୟାର ପରୀକ୍ଷାଗାର ଗ୍ରୁପ୍‌ର ପ୍ରତିଷ୍ଠାତା ଏ. ଭେଲୁମଣିଙ୍କ କହିବା ଅନୁସାରେ ଭାରତରେ ନିୟୁତ ପିଛା କୋଭିଡ୍‌ ମୃତକ ହାର ଅତି ନଗଣ୍ୟ। କରୋନାଭୂତାଣୁ ସାର୍ସ-କୋଭ୍‌-୨ ବିରୋଧରେ ଅଧିକାଂଶ ଭାରତୀୟଙ୍କର ରୋଗପ୍ରତିରୋଧକ ବିକଶିତ ହୋଇପାରିଥିବାରୁ ଏପରି ଫଳ ଜଣାଯାଇଛି।

ବର୍ତ୍ତମାନ ସୁଦ୍ଧା ଥାଇରୋକେୟାର ୬୫,୦୦୦ ଆଣ୍ଟିବଡି ପରୀକ୍ଷା କରିଥିବା ବେଳେ ସେଥିରୁ ମାତ୍ର ୧୫ ପ୍ରତିଶତ କରୋନାଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେହିପରି ଦିଲ୍ଲୀ ସ୍ଥିତ ମାକ୍ସ ହେଲ୍ଥକେୟାର ପକ୍ଷରୁ କରାଯାଇଥିବା ମୋଟ ଆଣ୍ଟିବଡି ପରୀକ୍ଷଣରୁ ୩୫ ପ୍ରତିଶତ କୋଭିଡ୍‌ରୁ ସୁସ୍ଥ ହୋଇଥିବା ଜଣାଯାଇଛି। ଦେଶରେ ୭ଲକ୍ଷ ୨୦ ହଜାରରୁ ଅଧିକ ଆରୋଗ୍ୟ ଲାଭ କରିବା ଆଶ୍ବସ୍ତିର ବିଷୟ ବୋଲି ଭେଲୁମଣି କହିଛନ୍ତି।

ସମ୍ବନ୍ଧିତ ଖବର