Image Courtesy of India Today
ନୂଆଦିଲ୍ଲୀ: ଏଣ୍ଟିଲିଆ ବୋମା ଆତଙ୍କ ମାମଲାରେ ସମ୍ପୃକ୍ତ ଥିବା ମୁମ୍ବାଇର ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କୁ ଆଜି ସୁପ୍ରିମ୍ କୋର୍ଟ ଜାମିନ ମଞ୍ଜୁର କରିଛି।
ବିଚାରପତି ଏ. ଏସ୍. ବୋପନ୍ନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ପ୍ରଦୀପ ଶର୍ମାଙ୍କ ଜାମିନ ଆବେଦନ ମଞ୍ଜୁର କରିଛନ୍ତି। ଏଣ୍ଟିଲିଆ ବୋମା ଆତଙ୍କ ମାମଲା ଓ ବ୍ୟବସାୟୀ ମନସୁଖ ହିରନ୍ଙ୍କ ହତ୍ୟା ଘଟଣାରେ ପ୍ରଦୀପ ଶର୍ମାଙ୍କୁ ଗିରଫ କରାଯାଇଥିଲା।
ସୂଚନାଯୋଗ୍ୟ, ଅସୁସ୍ଥ ପତ୍ନୀଙ୍କର ଅସ୍ତ୍ରୋପଚାର ହେବାକୁ ଥିବାରୁ ଜୁନ୍ ୫ ତାରିଖ ଦିନ ସୁପ୍ରିମ୍ କୋର୍ଟ ପ୍ରଦୀପ ଶର୍ମାଙ୍କୁ ୩ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ।
ଜାମିନ ଆବେଦନରେ ପ୍ରଦୀପ ଶର୍ମା ଲେଖିଥିଲେ ଯେ, ଦିନକୁ ଦିନ ତାଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟୁଥିବାରୁ ତାଙ୍କର ଅସ୍ତ୍ରୋପଚାର କରାଯିବା ନିହାତି ଆବଶ୍ୟକ।
ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଇନ୍ସ୍ପେକ୍ଟର୍ ପ୍ରଦୀପ ଶର୍ମାଙ୍କୁ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ (ଏନ୍ଆଇଏ) ଗିରଫ କରିଥିଲା। କାରଣ, କୋଟିପତି ବ୍ୟବସାୟୀ ତଥା ଶିଳ୍ପପତି ମୁକେଶ ଅମ୍ବାନିଙ୍କ ଦକ୍ଷିଣ ମୁମ୍ବାଇ ବାସଭବନ ‘ଏଣ୍ଟିଲିଆ’ ନିକଟରେ ବିସ୍ଫୋରକ ଭର୍ତ୍ତି ‘ଏସ୍ୟୁଭି’ ପାର୍କିଙ୍ଗ୍ କରାଯିବାରେ ତାଙ୍କର ସମ୍ପୃକ୍ତି ଥିଲା। ପରେ ପରେ ଘଟିଥିବା ଥାନେସ୍ଥିତ କାର୍ ଯନ୍ତ୍ରାଂଶ ଦୋକାନର ମାଲିକ ମନସୁଖ ହିରାନିଙ୍କ ହତ୍ୟା ଘଟଣାରେ ବି ସେ ସମ୍ପୃକ୍ତ ଥିଲେ ବୋଲି ଅଭିଯୋଗ ହୋଇଥିଲା।
Follow Us