ଆଣ୍ଟିଲିଆ-ଏସୟୁଭି ମାମଲା: ପୁଲିସକର୍ମୀ ସଚିନ ବଜେଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କଲେ ଅଦାଲତ

ମୁମ୍ବାଇ:  ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବା‌ସଭବନ ଆଣ୍ଟିଲିଆ ବାହାରେ ରଖାଯାଇଥିବା ବିସ୍ଫୋରକ ଭର୍ତ୍ତି ସ୍କର୍ପିଓର ମାଲିକ ମନସୁଖ ହିରେନ୍‌ଙ୍କର ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ହେବା ପରେ ମାମଲା ଆହୁରି ଗମ୍ଭୀର ହେବାରେ ଲାଗିଛି। ସ୍ବାମୀଙ୍କୁ ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବଜେ ହତ୍ୟା କରିଥିବା ନେଇ ମନସୁଖଙ୍କ ପତ୍ନୀ ଅଭିଯୋଗ କରିବା ପରେ ଏବେ ଅଡୁଆରେ ପଡ଼ିଛନ୍ତି ପୁଲିସକର୍ମୀ ସଚିନ ବଜେ। ହତ୍ୟା ଅଭିଯୋଗ ହେବା ପରେ ସଚିନ ବଜେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିବା ବେଳେ ଆଜି ଥାଣେ କୋର୍ଟ ଏହାକୁ ଖାରଜ କରିଛନ୍ତି।

ମନସୁଖଙ୍କ ପତ୍ନୀ ନିଜ ଏତଲାରେ ଲେଖିଛନ୍ତି ଯେ, ସଚିନଙ୍କ ସହ ନିଜର ଶେଷ ସମୟ ପର୍ଯ୍ୟନ୍ତ ଯୋଗାଯୋଗରେ ଥିଲେ ମନସୁଖ। ତେଣୁ ଏହି ମାମଲାରେ ସଚିନଙ୍କୁ ହେପାଜତକୁ ନେଇ ପଚରାଉଚରା କରିବା ଜରୁରୀ ବୋଲି କହି ଥାଣେ କୋର୍ଟ ସଚିନଙ୍କର ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଥିବା ଜଣାପଡ଼ିଛି। ଏହା ସହ ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ମିଳିବା ଘଟଣାର ତଦନ୍ତ ଏବେ ଏନଆଇଏ କରୁଥିବା ବେଳେ ପଚରାଉଚରା ପାଇଁ ସଚିନଙ୍କୁ ସମନ ପଠାଇଛି।

NewsBytes

ତେବେ ଏହା ପୂର୍ବରୁ ନିଜର ହ୍ବାଟସଆପ ଷ୍ଟାଟସକୁ ନେଇ ଚର୍ଚ୍ଚାକୁ ଆସିଥିଲେ ସଚିନ ବଜେ। ସଚିନ ବଜେ ନିଜ ହ୍ବାଟସଆପ ଷ୍ଟାଟସରେ ଲେଖିଥିଲେ ଯେ, ମାର୍ଚ୍ଚ ୩, ୨୦୦୪, ସିଆଇଡିର ସହକର୍ମୀମାନେ ମୋତେ ଏକ ମିଥ୍ୟା ମାମଲାରେ ଗିରଫ କରିଥିଲେ। ସେହି ଗିରଫର କାରଣ ଆଜି ପର୍ଯ୍ୟନ୍ତ ଅସ୍ପଷ୍ଟ। ଏବେ ପୁଣି ଇତିହାସର ପୁନରାବୃତ୍ତି ହେବାକୁ ଯାଉଛି। ମୋର ସହକର୍ମୀମାନେ ମୋତେ ମିଥ୍ୟା ଜାଲରେ ପକାଇବାକୁ ଯାଉଛନ୍ତି। ପରିସ୍ଥିତିରେ ସାମାନ୍ୟ ପାର୍ଥକ୍ୟ ଅଛି। ସେତେବେ‌ଳେ ବୋଧହୁଏ ମୋ ପାଖରେ ୧୭ବର୍ଷର ଆଶା, ‌ଧୈର୍ଯ୍ୟ, ଜୀବନ ଏବଂ ଚାକିରି ମଧ୍ୟ ଥିଲା। ବର୍ତ୍ତମାନ ମୋର ଆଉ ୧୭ବର୍ଷର ଜୀବନ ନାହିଁ କିମ୍ବା ସେବା କିମ୍ବା ବଞ୍ଚିବା ପାଇଁ ଧୈର୍ଯ୍ୟ ନାହିଁ। ମୁଁ ଭାବୁଛି ଦୁନିଆରୁ ବିଦାୟ ନେବାର ସମୟ ପାଖେଇ ଆସୁଛି।

ସମ୍ବନ୍ଧିତ ଖବର