ଭୁବନେଶ୍ୱର: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଓଲିଉଡ୍‌ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଭେଟିଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏ ନେଇ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ଅନୁଭବ। ଏହି ଫଟୋରେ ଫିଲ୍ମ ନିର୍ଦ୍ଦେଶକ ତାପସ ସରଘରିଆ ଓ ଅନୁଭବଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ଥିବା ଦେଖିବାକୁ ମିଳୁଛି। ସୁଟିଂ ଚାଲିଥିବା ଅନୁଭବଙ୍କ ଅପକମିଂ ଫିଲ୍ମ ‘ପ୍ରେମ କୁମାର’ ସଂପର୍କରେ ସେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ହେଲେ କ’ଣ ଆଲୋଚନା ହୋଇଛି, ସେ ସଂପର୍କରେ କିଛି ସ୍ପଷ୍ଟ ହୋଇପାରି ନାହିଁ।

Advertisment

ତେବେ ଜମ୍ମୁ-କାଶ୍ମୀରକୁ ଏକ ଓଡ଼ିଆ ଫିଲ୍ମର ସୁଟିଂ ପାଇଁ ଯାଇଥିବା ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଉଗ୍ରବାଦୀ ଆକ୍ରମଣ ଏବଂ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଖବର ମିଳିଥିଲା। ସୂଚନା ଅନୁଯାୟୀ ସାଂସଦ ଅନୁଭବ କାଶ୍ମୀରର ଦୁଢପଟନୀ ଅଞ୍ଚଳକୁ ‘ପ୍ରେମ କୁମାର’ ଫିଲ୍ମର ସୁଟିଂ ପାଇଁ ଯାଇଥିଲେ। ସେଠାରୁ ସୁଟିଂ ସାରି ଏକ ଗାଡ଼ିରେ ଫେରୁ ଥିବା ବେଳେ ବାରମୁଲ୍ଲା ଅଞ୍ଚଳରେ ଦୁଇ ଜଣ ଆତଙ୍କବାଦୀ ଜାତୀୟ ରାଜପଥରେ ଯାଉଥିବା ଗାଡ଼ିଗୁଡିକ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସେହି ସମୟରେ ଗାଡ଼ିରେ ଅନୁଭବଙ୍କ ସହିତ କ୍ୟାମେରା ମ୍ୟାନ୍‌ ରବିନ୍ଦ୍ର ବେହେରା, ମେକଅପ୍‌ ମ୍ୟାନ ରାଜକିଶୋର ବେହେରା, ସୁଜିତ ଦଳେଇ ଥିବା ବେଳେ ଅନ୍ୟ ଏକ ଗାଡ଼ିରେ ନିର୍ଦ୍ଦେଶକ ତାପସ ସରଘରିଆଙ୍କ ସହ ଅନ୍ୟ ୫ ଜଣ ଥିଲେ।

publive-image

ଆତଙ୍କବାଦୀଙ୍କୁ ପୁଲିସ ପାଲଟା ଜବାବ ଦେବା ବେଳେ ସେହି ରାସ୍ତାରେ କିଛି ସମୟ ଉଭୟପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଅନ୍ୟପଟେ ଅନୁଭବଙ୍କ ଗାଡ଼ିକୁ ଜୋରରେ ସେହି ଅଞ୍ଚଳରୁ ନେଇ ଯିବା ପାଇଁ ଡ୍ରାଇଭର ଉଦ୍ୟମ କଲା ବେଳେ ଗାଡ଼ିର ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଡ୍ରାଇଭର ଗାଡ଼ିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ। ସଂଧ୍ୟାରେ ଅନୁଭବ ଓ ତାଙ୍କର ସହଯୋଗୀ ସୁରକ୍ଷିତ ଭାବେ ଦିଲ୍ଲୀ ଫେରି ଆସିଥିବା ସୂଚନା ମିଳିଥିଲା।