ନୂଆଦିଲ୍ଲୀ : ଦିଲ୍ଲୀର ପଟିଆଲା ହାଉସ ପାରିବାରିକ ଅଦାଲତରେ ସାଂସଦ ଅନୁଭବ ମହାନ୍ତି ଦାଖଲ କରିଥିବା ଛାଡପତ୍ର ମାମଲା ଉପରେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ ଜାରି କରିବା ସହିତ ସହମତି ଭିତ୍ତିକ ଆଲୋଚନା ଓ ସମାଧାନ ପାଇଁ ମାମଲାକୁ ସର୍ବୋଚ୍ଚ ନ୍ୟାୟ୍ୟାଳୟର ମଧ୍ୟସ୍ଥତା କେନ୍ଦ୍ରକୁ ପଠାଇ ଦେଇଛନ୍ତି।
ବହୁଚର୍ଚ୍ଚିତ ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ଅନୁଭବଙ୍କ ଦ୍ବାରା ଦିଲ୍ଲୀର ପାଟିଆଲା ହାଉସ ପାରିବାରିକ ଅଦାଲତରେ ଦାଖଲ କରାଯାଇଥିବା ଛାଡପତ୍ର ମାମଲାକୁ କଟକ ପାରିବାରିକ ଅଦାଲତକୁ ସ୍ଥାନାନ୍ତର କରିବା ନେଇ ବର୍ଷା ପ୍ରିୟଦର୍ଶନୀ କରିଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ହୃଷିକେଶ ରାୟଙ୍କ ଜଣିକିଆ ଖଣ୍ଡପୀଠରେ ଭିଡିଓ କନ୍ଫରେନ୍ସିଂ ହୋଇଥିଲା। ଶୁଣାଣିରେ ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ ଓକିଲ ଗୌତମ ଭୋଳ ଓ କ୍ରିଷ୍ଣା କୁମାର ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସ୍ଥାନାନ୍ତରିତ ପିଟିସନ୍କୁ ନେଇ ଯୁକ୍ତି ଉପସ୍ଥାପନ କରିଥିଲେ। ଦିଲ୍ଲୀର ପଟିଆଲା ହାଉସ ପାରିବାରିକ ଅଦାଲତକୁ କଟକରୁ ଆସି ମାମଲାକୁ ପରିଚାଳନା କରିବା ବିଭିନ୍ନ କାରଣରୁ ବର୍ଷାଙ୍କ ପାଇଁ ସହଜ ହେବ ନାହିଁ ତଥା ବ୍ୟୟ ବହୁଳ ହେବ ବୋଲି ବର୍ଷାଙ୍କର ଓକିଲ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଅପରପକ୍ଷେ ଅନୁଭବଙ୍କର ଓକିଲ ଅଶ୍ବିନୀ ଦୁବେ କହିଥିଲେ ବର୍ଷାଙ୍କର ଆର୍ଥିକ ସ୍ଥିତି ଭଲ ରହିଛି ଏବଂ ସେ ବିଜନେସ କ୍ଳାସରେ ବିମାନ ଯାତ୍ରା ପାଇଁ ହକଦାର ଅଛନ୍ତି। ଅନୁଭବଙ୍କ ମାତାପିତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି ଏମିତିରେ ଯଦି ଦିଲ୍ଲୀର ପଟିଆଲା ହାଉସ ପାରିବାରିକ ଅଦାଲତରୁ ତାଙ୍କର ପିଟିସନକୁ କଟକ ସ୍ଥାନାନ୍ତରିତ କରାଯାଏ ତାହାହେଲେ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପକାଇବ। ଅପରପକ୍ଷେ ବର୍ଷା ପ୍ରିୟଦର୍ଶିନୀ ଜଣେ ସଫଳ ଅଭିନେତ୍ରୀ, ପ୍ରଯୋଜକ, ସମାଜ ସେବିକା ତଥା ସେ ନିୟମିତ ଗମନା ଗମନ କରୁଛନ୍ତି ବୋଲି ଅନୁଭବଙ୍କର ଓକିଲ କୋର୍ଟଙ୍କୁ ଅବଗତ କରାଇଥିଲେ।
ଦୁଇ ପକ୍ଷଙ୍କର ଯୁକ୍ତି ଶୁଣିବା ପରେ, ଖଣ୍ଡପୀଠ ଏଭଳି ଏକ ହାଇପ୍ରୋଫାଇଲ ମାମଲାରେ ଆପୋଷ ଆଲୋଚନା ଓ ବୁଝାମଣା ଭିତ୍ତିରେ ସମାଧାନ କରାଯିବାକୁ ନେଇ ଉଭୟ ପକ୍ଷର ଓକିଲମାନଙ୍କୁ ପରାମର୍ଶ ଦେବା ସହିତ ମାମଲାକୁ ସର୍ବୋଚ୍ଚ ନ୍ୟାୟ୍ୟାଳୟର ମଧ୍ୟସ୍ଥତା କେନ୍ଦ୍ରକୁ ପଠାଇ ଦେଇଥିଲେ। ସର୍ବୋଚ୍ଚ ନ୍ୟାୟ୍ୟାଳୟର ମଧ୍ୟସ୍ଥତା କେନ୍ଦ୍ର ଜରିଆରେ ଏହି ବିବାଦର ସମାଧାନ କରିବାକୁ କୁହାଯାଇଥିଲା। ଉଭୟ ପକ୍ଷଙ୍କୁ ଖଣ୍ଡପୀଠ ନୋଟିସ ଜାରିକରିଥିଲେ। ସହମତି ଭିତ୍ତିକ ଆଲୋଚନାର ଫଳାଫଳ ଆସିବାପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/anubhav-barsha.jpg)