ଏଫଟିଆଇଆଇର ଅଧ୍ୟକ୍ଷ ପଦ ଛାଡିଲେ ଅନୁପମ ଖେର

ପୁନେ : ପୁରୁଖା ବଲିଉଡ ଅଭିନେତା ଅନୁପମ ଖେର ଦେଶର ମର୍ଯ୍ୟାଦାଜନକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏଫଟିଆଇଆଇ)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏକ ଅନ୍ତର୍ଜାତୀୟ ଟିଭି କାର୍ଯ୍ୟକ୍ରମ ନିମନ୍ତେ ସେ ଚୁକ୍ତିବଦ୍ଧ ହୋଇଥିବାରୁ ସେ ଇସ୍ତଫା ଦେଇଥିବା ଜଣାଯାଇଛି । ନିଜର ଇସ୍ତଫାପତ୍ର ସେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ନିକଟକୁ ପଠାଇଦେଇଛନ୍ତି । ଏ ସଂପର୍କରେ ଟ୍ଵିଟ କରି ଅନୁପମ ଜଣାଇଛନ୍ତି ଯେ ଏକ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଯୋଗୁଁ ସେ ଏହି ମହାନ ପ୍ରତିଷ୍ଠାନକୁ ଅଧିକ ସମୟ ଦେଇପାରିବେ ନାହିଁ । ଏକ ଆମେରିକୀୟ ଟିଭି କାର୍ଯ୍ୟକ୍ରମ ପାଇଁ ଚୁକ୍ତିବଦ୍ଧ ହୋଇଥିବାରୁ ୨୦୧୮ରୁ ୨୦୧୯ ମଧ୍ୟରେ ତାଙ୍କୁ ଏକ ଲମ୍ବା ସମୟ ଆମେରିକାରେ ରହିବାକୁ ପଡିବ । ଏଣୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

 

ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ମାସରେ ତାଙ୍କୁ ଏଫଟିଆଇଆଇର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା । ଅଭିନେତା ଗଜେନ୍ଦ୍ର ଚୌହାନଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ୫୦୦ରୁ ଅଧିକ ଫିଲ୍ମରେ କାମ କରିସାରିଥିବା ଅନୁପମ ଖେର୍ ଅନେକ ବିଦେଶୀ ଫିଲ୍ମରେ ମଧ୍ୟ ନିଜର ଦମଦାର ଅଭିନୟ ଦେଖାଇ ଅନେକ ପ୍ରଶଂସା ସାଉଁଟିଛନ୍ତି । ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ଅଭିନୟ ପ୍ରଶିକ୍ଷଣ ନେଇଥିବା ଅନୁପମଙ୍କର ଥିଏଟରରେ ବି ଅଭିଜ୍ଞତା ରହିଛି ।

ସମ୍ବନ୍ଧିତ ଖବର