ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍‌ କରିବେ ଅନୁପମ ଖେର

ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କଲେ ଘୋଷଣା

ଭୁବନେଶ୍ବର: ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ରେ ପ୍ରଦର୍ଶିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ଚଳଚ୍ଚିତ୍ରକୁ ହିନ୍ଦୀ ଭାଷାରେ ରିମେକ୍‌ କରିବା ଲାଗି ଘୋଷଣା କରିଛନ୍ତି ବିଶିଷ୍ଟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅନୁପମ ଖେର୍‌। ଏଥିପାଇଁ ସେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ଏକ ଟୋକନ ଅର୍ଥରାଶି ମଧ୍ୟ ପ୍ରଦାନ କରିଛନ୍ତି। ପିତା-ପୁତ୍ରଙ୍କ ଆବେଗପୂର୍ଣ୍ଣ ସମ୍ପର୍କକୁ ନେଇ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏ ଚଳଚ୍ଚିତ୍ର ନିର୍ମାଣ ପଛରେ ରହିଥିବା ଘଟଣାବଳୀ ମଧ୍ୟ ବେଶ ନାଟକୀୟ ଥିଲା। ପିତା-ପୁତ୍ରଙ୍କ ସମ୍ପର୍କକୁ ନେଇ କାହାଣୀ ଲେଖିବା ସମୟରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଚଳଚ୍ଚିତ୍ରର ପ୍ରାରମ୍ଭିକ ପର୍ଯ୍ୟାୟରେ ନିଜ ପିତାଙ୍କୁ ହରାଇଥିଲେ। ଏହାପରେ ସେ ଚଳଚ୍ଚିତ୍ର ନିର୍ମାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଶେଷରେ ପରିବାର ଲୋକମାନେ ତାଙ୍କୁ ତାହା ସମ୍ପୂର୍ଣ୍ଣ କରିବା ଲାଗି ରାଜି କରାଇଥିଲେ। ଏବେ ଆଇଏଫ୍‌ଏଫ୍‌ଆଇ ୨୦୨୨ରେ ଅନୁପମଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି। ଲେଖକ ଗୌରହରି ଦାସଙ୍କ ଏକ କ୍ଷୁଦ୍ର ଗଳ୍ପକୁ ଆଧାର କରି ଚଳଚ୍ଚିତ୍ରର କାହାଣୀ ପ୍ରସ୍ତୁତ କରାଯାଇଛି।

ଏ ଚଳଚ୍ଚିତ୍ରର କେନ୍ଦ୍ରରେ ରହିଛନ୍ତି ସଞ୍ଜୟ ନାମକ ଜଣେ ମଧ୍ୟବିତ୍ତ ପରିବାରର ଯୁବକ ଯିଏକି ନିଜ ପିତାଙ୍କ ଅବସର ପୂର୍ବରୁ ସରକାରୀ ଚାକିରିଟିଏ ଖୋଜୁଛନ୍ତି। ତାଙ୍କ ପିତା ବିପିନ ଶୀଘ୍ର ଚାକିରିଟିଏ ଖୋଜିବା ଲାଗି ତାଙ୍କୁ ବାଧ୍ୟ କରୁଛନ୍ତି। କାରଣ ସେ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଓ ପରିବାର ଉପରେ ଋଣବୋଝ ବଢ଼ିଚାଲିଛି। ଏହି ସମୟରେ ସଞ୍ଜୟ ଏକ ସରକାରୀ ଯୋଜନା ସମ୍ପର୍କରେ ଜାଣିବାକୁ ପାଉଛନ୍ତି। ଏଥିରେ ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବାର ବ୍ୟବସ୍ଥା ରହିଛି। ହତାଶ ସଞ୍ଜୟ ନିଜ ଅସ୍ଥିର ମାନସିକ ସ୍ଥିତିକୁ ପ୍ରଶମିତ କରିବା ଲାଗି ପିତାଙ୍କ ମୃତ୍ୟୁକୁ ଅପେକ୍ଷା କରି ରହୁଛନ୍ତି। ପାରିବାରିକ କାହାଣୀ, ବିଶେଷ କରି ପିତାପୁତ୍ରଙ୍କ ଜଟିଳ ସମ୍ପର୍କକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି। ଦୀପନ୍ବିତ ଦାସମହାପାତ୍ର ଚଳଚ୍ଚିତ୍ରରେ ସଞ୍ଜୟ ଭୂମିକାରେ ଅଭିନୟ କରୁଛନ୍ତି। ସେ ଆଇଏଫ୍‌ଏଫ୍‌ଆଇରେ ଚଳଚ୍ଚିତ୍ରର ସ୍କ୍ରିନିଂକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏହା ମୋ ପାଇଁ ଏକ ବଡ଼ ମୁହୂର୍ତ୍ତ, କାରଣ ମୁଖ୍ୟ ଅଭିନେତା ଭାବେ ଏହା ମୋ ପାଇଁ ପ୍ରଥମ ଚଳଚ୍ଚିତ୍ର। କିନ୍ତୁ ଓଡ଼ିଶାବାସୀ, ବିଶେଷ କରି ବିଭିନ୍ନ ସମସ୍ୟାକୁ ନେଇ ସଂଘର୍ଷ କରୁଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏହା ଆହୁରି ବଡ଼ ମୁହୂର୍ତ୍ତ। ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ କହିଛନ୍ତି ଯେ, ୧୯୯୯ ମସିହାର ମହାବାତ୍ୟା ପୂର୍ବରୁ ଓଡ଼ିଶାରେ ୧୬୦ଟି ସିନେମା ପ୍ରେକ୍ଷାଳୟ ଥିଲା।

ବାତ୍ୟା ପରେ ଏହା ୧୦୦କୁ ଖସି ଆସିଲା ଏବଂ ଏବେ କୋଭିଡ୍ ମହାମାରୀ ପରେ ରାଜ୍ୟରେ ମାତ୍ର ୬୦ଟି ପ୍ରେକ୍ଷାଳୟ ରହିଛି। ମାତ୍ର ୬୦ଟି ପ୍ରେକ୍ଷାଳୟକୁ ନେଇ ଗୋଟିଏ ଚଳଚ୍ଚିତ୍ର ଉଦ୍ୟୋଗ କିପରି ଚାଲି ପାରିବ ବୋଲି ସେ ପ୍ରଶ୍ନ କରିଥିଲେ।ଅନୁପମ ପଟ୍ଟନାୟକ ମଧ୍ୟ ନିଜ ପିତାଙ୍କ ପ୍ରଥମ ଚଳଚ୍ଚିତ୍ର ବିଷୟରେ କହିଥିଲେ, ଯାହାକି ଏକ ଜାତୀୟ ପୁରସ୍କାର ଜିତିଥିଲା। ଏବେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଆଇଏଫ୍‌ଏଫ୍‌ଆଇରେ ପ୍ରଦର୍ଶିତ ହେଉଛି। ଏହା ତାଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ଏବଂ ତାଙ୍କ ପିତାଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ। ଅନୁପମ ଖେର ଏହି ଅବସରରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ରର ରିମେକ୍‌ ପାଇଁ ଘୋଷଣା କରିବା ସହିତ ଏଥିରେ ପିତା ଭୂମିକାରେ ଅଭିନୟ କରିବା ଲାଗି ଘୋଷଣା କରିଥିଲେ। ଆଇଏଫ୍‌ଏଫ୍‌ଆଇ ଚଳଚ୍ଚିତ୍ରର ଆନନ୍ଦକୁ ଉପଭୋଗ କରିବା ଲାଗି ଏକ ମଞ୍ଚ ଯୋଗାଇ ଦେଇଛି।

ସମ୍ବନ୍ଧିତ ଖବର