ନୂଆଦିଲ୍ଲୀ : ଓଡ଼ିଶାର ବାଲିପଥର କାରୁକାର୍ଯ୍ୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ଓଡ଼ିଆ ସମାଜ, ନୂଆଦିଲ୍ଲୀ ଦ୍ବାରା ଆୟୋଜିତ ଓଡ଼ିଶା ପର୍ବର ଦ୍ବିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହି ପ୍ରଶଂସା କରିଛନ୍ତି। ଏହି ଅବସରରେ ଶ୍ରୀ ଠାକୁର ଓଡ଼ିଶାର କଳା ଓ ସଂସ୍କୃତିକୁ ଦେଶର କୋଣଅନୁ‌କୋଣରେ ପହଞ୍ଚାଇବାରେ ଓଡ଼ିଆ ସମାଜର ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି।

Advertisment

publive-image

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ସୋନାଲ ମାନସିଂହ ଓଡ଼ିଶା କଳା, ସଂସ୍କୃତି, ସାହିତ୍ୟ ଓ ଶିଳ୍ପର ଜନନୀ ବୋଲି କହିଥିଲେ। ଏଭଳି କାର୍ଯ୍ୟକ୍ରମକୁ ଦେଶର ସମସ୍ତ ମହାନଗରମାନଙ୍କରେ ଆୟୋଜନ କରିବା ପାଇଁ ସେ ମତ ପ୍ରକାଶ କରିଥିଲେ। ପର୍ବର ଦ୍ବିତୀୟ ସନ୍ଧ୍ୟାରେ ଲୋକପ୍ରିୟ ଗାୟକ ମଣ୍ଟୁ ଛୁରିଆଙ୍କ ସମ୍ବଲପୁରୀ ଗୀତ ଏବଂ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀଙ୍କ ସମ୍ବଲପୁରୀ ନୃତ୍ୟ ମୁଖ୍ୟ ଆକର୍ଷଣ ଥିଲା। ଏହା ସହିତ ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର ଏବଂ ତାଙ୍କ ଶିଷ୍ୟମାନଙ୍କ ଦ୍ବାରା ଚିତ୍ର-ଭିତନାମ୍‌ ଦର୍ଶକଙ୍କୁ ଆକ‌ର୍ଷିତ କରିଥିଲା। ପର୍ବର ଦ୍ବିତୀୟ ଦିନରେ ‘ଓଡ଼ିଆ ସ୍ବାଭିମାନ’ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଓଡ଼ିଶା ପର୍ବରେ ସ୍ଥାନ ପାଇଥିବା ‌ଷ୍ଟଲମାନଙ୍କରେ ଆଗନ୍ତୁକମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କନ୍ୟା ଇତିଶ୍ରୀ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ଷ୍ଟଲ୍‌ ବୁଲି ଦେଖିବା ସହ ରୁପା ତାରକସି ଓ ହସ୍ତତନ୍ତ ଶାଢ଼ୀ କିଣିଥିଲେ ଓ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜାନେଇଥିଲେ।