ଲକ୍ଷ୍ନୌ: ଲୋକସଭାରେ ଜାତିଗତ ଜନଗଣନା ପ୍ରସଙ୍ଗରେ କଂଗ୍ରେସର ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ସହ ଯୁକ୍ତିତର୍କ କରିଥିବା ବେଳେ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଂସଦରେ ଏହି ନେତାଙ୍କ ମଧ୍ୟରେ ହୋଇଥିବା ବିବାଦକୁ ସେ ନାଟକ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ସଂରକ୍ଷଣ ସମ୍ପର୍କରେ ସେମାନଙ୍କ ଦଳର ଇତିହାସ କଠୋର ଓବିସି ବିରୋଧୀ ହୋଇ ରହିଆସିଛି। ସେମାନଙ୍କ ଉପରେ ବିଶ୍ୱାସ କରିବା ଠିକ୍ ନୁହେଁ ।

Advertisment

ମାୟାବତୀ ସୋସିଆଲ ମିଡ଼ିଆ ପ୍ଳାଟଫର୍ମ ଏକ୍ସରେ ଲେଖିଛନ୍ତି ଗତକାଲି ସଂସଦରେ ଶାସକ ବିଜେପି ତଥା ବିରୋଧୀ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଚାଲିଥିବା ବିବାଦ କେବଳ ନାଟକ। ଏହାଦ୍ବାରା ଜାତି ଓ ଜନଗଣନା ସମ୍ବନ୍ଧରେ ଓବିସି ସମ୍ପ୍ରଦାୟକୁ ପ୍ରତାରଣା କରିବାର ଏକ ପ୍ରୟାସ କରାଯାଉଛି। କାରଣ ସେସବୁ ରରାଜନୈତିକ ଦଳର ଇତିହାସ ଓବିସି ବିରୋଧୀ ହୋଇ ରହି ଆସିଛି। ଏଭଳି ପରିସ୍ଥିତିରେ ସେମାନଙ୍କୁ ବିଶ୍ୱାସ କରିବା ଠିକ୍ ହେବ ନାହିଁ।

ମାୟାବତୀ କହିଛନ୍ତି ବହୁଜନ ସମାଜ ପାର୍ଟିର ଉଦ୍ୟମ ଯୋଗୁ ଏଠାରେ କାର୍ଯ୍ୟକାରୀ ହୋଇଥିବା ଓବିସି ସଂରକ୍ଷଣ ପରି ଜାତୀୟ ଜାତି ଜନଗଣନା ହେଉଛି ଏକ ସ୍ବତନ୍ତ୍ର ଜାତୀୟ ପ୍ରସଙ୍ଗ, ଯାହା ପାଇଁ କେନ୍ଦ୍ର ସରକାର ଗୁରୁତ୍ବ ପ୍ରଦାନ କରିବା ଆବଶ୍ୟକ। ଦେଶର ବିକାଶରେ କୋଟି କୋଟି ଗରିବ, ପଛୁଆ ଏବଂ ବହୁଜନଙ୍କର ମଧ୍ୟ ଅଧିକାର ରହିଛି, ଯାହା ପୂରଣରେ ଜାତି ଜନଗଣନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ବାସ୍ତବରେ ସଂସଦରେ ବିରୋଧୀମାନେ ଜାତିଗତ ଜନଗଣନା ପାଇଁ ନିରନ୍ତର ଦାବି କରୁଛନ୍ତି। ଏ ସମ୍ପର୍କରେ ଭାରତୀୟ ଜନତା ପାର୍ଟିର ହମିରପୁର ସାଂସଦ ଅନୁରାଗ ଠାକୁର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ରାହୁଲ ଦେଶରେ ଜାତିଗତ ଜନଗଣନା ଦାବି କରୁଛନ୍ତି, କିନ୍ତୁ ତାଙ୍କର ଜାତି ଜଣା ନାହିଁ। ଅନୁରାଗ ଠାକୁରଙ୍କ ଏହି ମନ୍ତବ୍ୟକୁ ବିରୋଧୀ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। କ୍ଷମା ମାଗିବାକୁ ମଧ୍ୟ ଦାବି କରାଯାଇଥିଲା।

ତେବେ ରାହୁଲ ଗାନ୍ଧୀ କହିଥିଲେ ଅନୁରାଗ ଠାକୁର କ୍ଷମା ମାଗନ୍ତୁ ତାହା ସେ ଚାହୁଁନାହାନ୍ତି, କିନ୍ତୁ ଜାତିଗତ ଜନଗଣନା କରାଯିବ। ଅପରପକ୍ଷରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଅନୁରାଗ ଠାକୁରଙ୍କ ମନ୍ତବ୍ୟକୁ ନେଇ ସ୍ୱର ଉତ୍ତୋଳନ କରିଥିଲେ। ସେ କ୍ରୋଧରେ ସଂସଦରେ କହିଥିଲେ ଅନୁରାଗ ଠାକୁର କାହାର ଜାତି ପଚାରି ପାରିବେ ନାହିଁ। ଏହା ପରେ ଗୃହରେ ଏକ ବଡ଼ ଧରଣର ହଙ୍ଗାମା ହୋଇଥିଲା।