ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ୁଥିବା ଦେଖି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ସିବିଏସଇ ଦ୍ବାଦଶ ପରୀକ୍ଷା ସ୍ଥଗିତ ରଖାଯାଇଥିବା ବେଳେ ସିବିଏସଇ ଦଶମ ପରୀକ୍ଷାକୁ ବାତିଲ କରାଯାଇଛି।
ମେ ୪ରୁ ୧୪ ଜୁନ୍ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯିବା ସହ ସିବିଏସଇ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ନିର୍ଦ୍ଧାରଣ କରାଯାଇ ଏହା ଆଧାରରେ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ କରାଯିବ। ଫଳ ପ୍ରକାଶ ପରେ ଯଦି କୌଣସି ଛାତ୍ରଛାତ୍ରୀ ନିଜ ଫଳାଫଳକୁ ନେଇ ସନ୍ତୁଷ୍ଟ ନଥିବେ, ତେବେ ସେମାନଙ୍କୁ ପରିସ୍ଥିତିରେ ସୁଧାର ଆସିବା ପରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ ବୋଲି ଟୁଇଟ କରି ଜଣାଇଛନ୍ତି ରମେଶ ପୋଖରିଆଲ ନିଶଙ୍କ ।
Any candidate who is not satisfied with the marks allocated to him/her on this basis will be given an opportunity to sit in an exam as and when the conditions are conducive to hold the exams.
— Dr. Ramesh Pokhriyal Nishank (@DrRPNishank) April 14, 2021
ସୂଚନା ଥାଉ କି ସମଗ୍ର ଦେଶରେ କୋଭିଡ୍-୧୯ ସଂକ୍ରମଣ ମାମଲା ବଢ଼ି ଚାଲିଥିବାରୁ ‘ସିବିଏସ୍ଇ’ ବୋର୍ଡ ପରୀକ୍ଷା ସ୍ଥଗିତ ଓ ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ । ଆଉ ଏ ବାବଦରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ବର୍ଷର ‘ସିବିଏସ୍ଇ’ ପରୀକ୍ଷା ସଂକ୍ରାନ୍ତରେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ଏବଂ ଅନ୍ୟ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦିଲ୍ଲୀରେ ସିବିଏସଇ ବୋର୍ଡ ପରୀକ୍ଷା କରା ନ ଯିବାକୁ କେନ୍ଦ୍ର ସରକାରଙ୍କଠାରେ ପ୍ରସ୍ତାବ ରଖିଥିଲେ।
ଏଭଳି ଏକ ସ୍ୱାସ୍ଥ୍ୟ ସଙ୍କଟ ମଧ୍ୟରେ ବୋର୍ଡ ପରୀକ୍ଷା କରାଇବା ବିପକ୍ଷରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସ୍ୱର ଉତ୍ତୋଳନ କରିବା ପରେ ‘କ୍ୟାନ୍ସଲ୍ ବୋର୍ଡ ଏକ୍ଜାମ୍ସ୍ ୨୦୨୧’ ହାସ୍ଟ୍ୟାଗ୍ ମଧ୍ୟ ଟୁଇଟର୍ରେ ଟ୍ରେଣ୍ଡିଙ୍ଗ୍ ହୋଇଥିଲା | ଶେଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପରୀକ୍ଷା ବାତିଲ କରିବାକୁ ଘୋଷଣା କରିଛନ୍ତି |