ନୂଆଦିଲ୍ଲୀ: ଟିକାକରଣ ନେଇ ଆଜି କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ୧୮ ବର୍ଷରୁ ଅଧିକ ବ୍ୟକ୍ତି ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ନିଜ ନାଁ ପଞ୍ଜିକରଣ କରିପାରିବେ । ଏହାପରେ ସେହି ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ବର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୂର୍ବପରି ଅନଲାଇନରେ ପଞ୍ଜିକରଣ କରିବା କିମ୍ବା ଟିକା ନେବା ପାଇଁ ପୂର୍ବରୁ ଆଉ ସମୟ ନେବାକୁ ପଡିବ ନାହିଁ |
ଗ୍ରାମାଂଚଳ ସମେତ ବିଭିନ୍ନ ସ୍ଥାନରେ ଟିକାକରଣର ଗତି ମନ୍ଥର ହୋଇଯାଇଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହାଛଡା ଟିକା ନେବାକୁ ଅନେକ ଅମଙ୍ଗ ହେଉଥିବାରୁ ମଧ୍ୟ ଟିକାକରଣ ପାଇଁ ଏଭଳି କୋହଳ ନୀତି ଅବଲମ୍ବନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅନଲାଇନ ପଞ୍ଜିକରଣ ଭଳି ସମସ୍ୟା ପାଇଁ ଅନେକ ଲୋକ ଟିକା ନେଇପାରୁନାହାନ୍ତି । ୧୮ରୁ ୪୪ ବର୍ଷ ଭିତରେ ରହିଥିବା ଏକ ବଡ ଜନସଂଖ୍ୟାକୁ କମ ସମୟ ଭିତରେ ଟିକାକରଣ କରାଯିବାର ଆବଶ୍ୟକତା ଅଛି ବୋଲି ବିଶେଷଜ୍ଞମାନେ ଜୋର ଦେଉଛନ୍ତି । କାରଣ ଟିକା ନେବା ପରେ ହିଁ କରୋନାକୁ ରୋକାଯାଇପାରିବ ଓ ଏଥିସହ ଅର୍ଥନୀତି ପୁଣି ଆଗକୁ ବଢିବ ।
ଆଜି ଉଭୟ ଦେଶରେ ଓ ରାଜ୍ୟରେ ଦୈନିକ ସଂକ୍ରମଣ କମିଛି । ଦେଶରେ ସଂକ୍ରମଣ ହାର ମଧ୍ୟ ଉତ୍ସାହଜନକ ଭାବେ କମିଛି । ମୁଖ୍ୟତଃ ଗତ ଦୁଇ ସପ୍ତାହ ଭିତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ ତୃତୀୟ ଲହରର ଆଶଙ୍କା ଭିତରେ ଏବେ ବ୍ୟାପକ ଆକାରରେ ଟିକାକରଣ ନିହାତି ଆବଶ୍ୟକ ହୋଇପଡିଛି ।