ସିଦ୍ଧୁ ମୁଜ୍ ୱାଲାଙ୍କ ହତ୍ୟା ପରେ ଗ୍ୟାଙ୍ଗ୍‌ଷ୍ଟାର୍‌ ଧମକ ସଂପର୍କରେ ମୁହଁ ଖୋଲିଲେ ରାପର୍‌ ଏପି ଢିଲୋଁ

ନୂଆଦିଲ୍ଳୀ:  ମାନସା ଜିଲ୍ଲାରେ କଂଗ୍ରେସ ନେତା ତଥା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁଜ୍ ୱାଲାଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ପଞ୍ଜାବୀ-କାନାଡିୟାନ୍‌ ରାପର୍‌ ଏପି ଢିଲୋଁ କହିଛନ୍ତି ଯେ ପଞ୍ଜାବୀ କଳାକାରମାନଙ୍କୁ ପ୍ରତିଦିନ ‘ହତ୍ୟା ଧମକ’ର ସାମ୍ନା କରିବାକୁ ପଡ଼େ।

ସେ ତାଙ୍କର ପ୍ରଥମ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ସିଦ୍ଧୁ ମୁଜ୍ ୱାଲାଙ୍କ ହତ୍ୟାକୁ ନେଇ ନିଜର ଦୁଃଖ ପ୍ରକାଶ କରିଥିବା ବେଳେ ଦ୍ବିତୀୟ ପୋଷ୍ଟ୍‌ରେ କିଭଳି ଭାବେ ପଞ୍ଜାବୀ କଳାକାର ମାନେ ଗ୍ୟାଙ୍ଗ୍‌ଷ୍ଟାର୍‌ଙ୍କଠାରୁ ଧମକ ପାଆନ୍ତି ସେ ସଂପର୍କରେ ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି, ‘ଅଧିକାଂଶ ଲୋକ ଏକଥା ଜାଣନ୍ତି ନାହିଁ ଯେ ଜଣେ ପଞ୍ଜାବୀ କଳାକାର ଭାବେ‌ କେଉଁ କେଉଁ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ। ଘୃଣା ମନ୍ତବ୍ୟ, ଧମକ ଏବଂ ନକାରାତ୍ମକ ମନ୍ତବ୍ୟକୁ ପ୍ରତିଦିନ ସାମ୍ନା କରିବାକୁ ପଡ଼େ। ତାହା ପୁଣି ଆମେ ଭଲ ପାଉଥିବା କାମ କରୁଥିବା କାରଣରୁ ଏପରି ସହିବାକୁ ପଡ଼େ।’

ଉଲ୍ଲେଖଯୋଗ୍ୟ, ସିଦ୍ଧୁ ମୁଜ୍ ୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଗୁଳିକାଣ୍ଡରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ। ଆହତ ତିନି ଜଣଙ୍କୁ ମାନସା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁଜ୍ ୱାଲା ଏବଂ ତାଙ୍କର ଦୁଇ ବନ୍ଧୁ ପଞ୍ଜାବର ନିଜ ଗ୍ରାମ ମାନସା ଅଭିମୁଖେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା। ଶୁଭଦୀପ ସିଂ ସିଦ୍ଧୁ ପଞ୍ଜାବୀ କଣ୍ଠଶିଳ୍ପୀ ଭାବରେ ସିଦ୍ଧୁ ମୁଜ୍ ୱାଲା ନାଁରେ ଲୋକପ୍ରିୟ ହୋଇଥିଲେ। ପଞ୍ଜାବ ସରକାର ମୁଜ୍ ୱାଲା ସମେତ ୪୨୪ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର