ଅମରାବତୀ: ଆନ୍ଧ୍ରପ୍ରଦେଶର ଜଗନ ଶୁକ୍ରବାର ରାଜ୍ୟରେ ଚାଲିଥିବା ସବୁ ବାର ଲାଇସେନ୍ସକୁ ରଦ୍ଦ କରିଦେଇଛନ୍ତି | ଆନ୍ଧ୍ରପ୍ରଦେଶକୁ ମଦ ମୁକ୍ତ ରାଜ୍ୟ କରିବା ପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏଭଳି ଘୋଷଣା କରିଛନ୍ତି | କେବଳ ଏତିକି ନୁହେଁ, ରାଜ୍ୟ ସରକାର ଦୁଇ ବର୍ଷ ପାଇଁ ନୂଆ ବାର ନୀତି ମଧ୍ୟ ସ୍ଥିର କରିଛନ୍ତି, ଯାହାକି ଜାନୁୟାରୀ ୧ ତାରିଖ ୨୦୨୦ରୁ ଲାଗୁ ହେବ | ଏହି ନୀତି ମାଧ୍ୟମରେ ସରକାର ବାର ଖୋଲିବା ପାଇଁ ୧୦ ଲକ୍ଷ ଟଙ୍କା ଦେୟ ଧାର୍ଯ୍ୟ କରିଛନ୍ତି | ଏହାପରେ ଲଟେରି ମାଧ୍ୟମରେ ଲାଇସେନ୍ସ ଦିଆଯିବ | ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟରେ ଥିବା ୭୯୮ଟି ବାରରୁ ୪୦ ପ୍ରତିଶତ ବାରକୁ ବନ୍ଦ କରିଦିଆଯିବ |

Advertisment

publive-image

ସେହିଭଳି ମଦ ବ୍ୟବହାର କିଭଳି କମିବ ସେଥିପାଇଁ ମଦର ଦାମ ବୃଦ୍ଧି ପାଇଁ ମଧ୍ୟ ଆନ୍ଧ୍ର ସରକାର ବିଚାର କରୁଛନ୍ତି | ତେବେ ପଡୋଶୀ ଆନ୍ଧ୍ରରେ ସିନା ଏଭଳି ଘୋଷଣା ହୋଇଛି ଓଡ଼ିଶାରେ କିନ୍ତୁ ସମ୍ପୂର୍ଣ୍ଣ ବିପରୀତ ରହିଛି | କାରଣ କିଛି ଦିନ ତଳେ ଯେଉଁ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀମାନେ ଧାର୍ଯ୍ୟ ଲକ୍ଷ୍ୟ ପରିମାଣ କିମ୍ବା ତା’ଠାରୁ ଅଧିକ ମଦ ବିକ୍ରି କରୁଛନ୍ତି, ସେମାନଙ୍କୁ ପୁରସ୍କୃତ କରିବା ଓ ରାଜସ୍ୱ ପାଇଁ ଅଧିକ ସଂଖ୍ୟକ ଭାରତ ତିଆରି ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଓଡ଼ିଶା ବିଧାନସଭାର ବିଭାଗୀୟ ଗୃହ କମିଟି ସୁପାରିସ୍‌ କରିଥିଲେ। କେଉଁ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ସର୍ବନିମ୍ନ କେତେ ମଦ ଉଠାଇବେ, ସେଥିପାଇଁ ‘ମିନିମମ୍ ଗ୍ୟାରେଣ୍ଟି କୋଟା’ (ଏମ୍‌ଜିକ୍ୟୁ) ସରକାର ଧାର୍ଯ୍ୟ କରିଥାନ୍ତି। ଯେଉଁ ମଦ ଦୋକାନୀମାନେ ଏମ୍‌ଜିକ୍ୟୁ ଲକ୍ଷ୍ୟ ପୂରଣ କରୁଛନ୍ତି କିମ୍ବା ଏହାଠାରୁ ଅଧିକ ମଦ ଉଠାଉଛନ୍ତି, ସେମାନଙ୍କ ଲାଗି ପୁରସ୍କାର ବ୍ୟବସ୍ଥା କରିବାକୁ ବିଧାନସଭା‌ର ଏହି ଗୃହ କମିଟି ସୁପାରିସ୍‌ କରିଥିଲେ ।

ସେହିପରି ବେଆଇନ ଚୋରା ମଦ ରୋକିବା ସହ ଆହୁରି ବେଶି ଅବକାରୀ ରାଜସ୍ୱ ସଂଗ୍ରହ ଲାଗି ରାଜ୍ୟରେ ଆହୁରି ଅଧିକ ଭାରତ ତିଆରି ବିଦେଶୀ ମଦର ଠିପି ବନ୍ଦ ଦୋକାନ ଖୋଲିବାକୁ ଏହି କମିଟି ସୁପାରିସ୍‌ କରିଥିଲା । ଅନ୍ୟପଟେ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଅବକାରୀ ରାଜସ୍ୱ ବାବଦକୁ ୩୯୨୫ କୋଟି ଟଙ୍କା ପାଇଥିଲେ | ଚଳିତ ବର୍ଷ ୨୦୧୯-୨୦ ଆର୍ଥିକ ବର୍ଷରେ ୪୬୦୦ କୋଟି ଟଙ୍କା ଅବକାରୀ ରାଜସ୍ୱ ଆଦାୟ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ବିଧାନସଭାରେ ଅବକାରୀ ମନ୍ତ୍ରୀ ଉତ୍ତର ରଖିଥିଲେ |