ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଜିଭିଏଲ୍ ନରସିଂହ ରାଓଙ୍କ ପ୍ରସ୍ତାବ ଉପରେ ସୋମବାର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି। ରାଜ୍ୟସଭାରେ ବିଜେପି ସାଂସଦ କହିଥିଲେ ଯେ, ଆପ୍ ସାଂସଦଙ୍କ ନିଲମ୍ବନକୁ ଯଥେଷ୍ଟ ଦଣ୍ଡ ଭାବରେ ନିଆଯାଉ ଏବଂ ଆଜିଠାରୁ ତାଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ଗୃହ ବିଚାର କରିପାରେ। ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ରାଘବ ଚଢ଼ା ଖୁସି ବ୍ୟକ୍ତ କରିବା ସହ ସୁପ୍ରିମ୍କୋର୍ଟ ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜାତୀୟ ରାଜଧାନୀ ଅଞ୍ଚଳ (ସଂଶୋଧନ) ବିଲ୍, ୨୦୨୩ର ଯାଞ୍ଚ ପାଇଁ ପ୍ରସ୍ତାବିତ କମିଟିରେ ସାମିଲ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ କିଛି ସାଂସଦଙ୍କଠାରୁ ଅନୁମତି ନ ନେବା ଅଭିଯୋଗରେ ଆପ୍ ନେତାଙ୍କୁ ଅଗଷ୍ଟ ୧୧ ତାରିଖରେ ସଂସଦରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରାଯାଇଥିଲା। ନିୟମ ଉଲ୍ଲଂଘନ, ଅସଦାଚରଣ, ଅମାନିଆ ମନୋଭାବ ଓ ଅପମାନଜନକ ଆଚରଣ ଅଭିଯୋଗରେ ମୌସୁମୀ ଅଧିବେଶନର ଶେଷ ଦିନରେ ଚଢ଼ାଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ କୋର୍ଟ ତାଙ୍କ ନିଲମ୍ବନକୁ ମନମୁଖି ଓ ବେଆଇନ ବୋଲି କହିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp