କୋଭିଡ୍‌-୧୯ ପାଇଁ ଚାକିରି ହରାଇବା ପରେ କଦଳୀ ବିକୁଥିଲେ ଶିକ୍ଷକ; ସାହାଯ୍ୟର ହାତ ବଢ଼ାଇଲେ ପୂର୍ବତନ ଛାତ୍ରଗୋଷ୍ଠୀ

ନେଲୁର: ଆନ୍ଧ୍ରପ୍ରଦେଶର ନାରାୟଣ ସ୍କୁଲରେ ବିଗତ ୧୫ ବର୍ଷ ଧରି ଶିକ୍ଷକତା କରି ଆସୁଥିବା ଭେଙ୍କଟସୁବ୍ଦାୟା ନାମକ ଜନୈକ ଶିକ୍ଷକଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବିନା ନୋଟିସ୍‌ରେ ଛଟେଇ କରିଦେବା ପରେ ସେ ଅନୋନ୍ୟପାୟ ହୋଇ ରାସ୍ତାକଡ଼ରେ କଦଳୀ ବିକୁଥିଲେ। ଶିକ୍ଷକ ଭେଙ୍କଟସୁବ୍ଦାୟାଙ୍କ ଅପରାଧ ଥିଲା ନୂତନ ଶିକ୍ଷାବର୍ଷ ନିମନ୍ତେ ଯେତେଜଣ ନୂତନ ଛାତ୍ରଙ୍କୁ ସ୍କୁଲରେ ଆଡମିଶନ ପାଇଁ କର୍ତ୍ତୃପକ୍ଷ ତାଙ୍କୁ ଯେଉଁ ଟାର୍ଗେଟ ବା ଲକ୍ଷ୍ୟ ଦେଇଥିଲେ, କୋଭିଡ୍‌-୧୯ ମହାମାରୀ କାରଣରୁ ତାହାକୁ ପୂରଣ କରିବାରେ ସେ ଅସଫଳ ହୋଇଥିଲେ। ଫଳରେ ନାରାୟଣ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲେ।

ଭେଙ୍କଟସୁବ୍ଦାୟା ପ୍ରାୟ ୧୫ ବର୍ଷ ଧରି ସଂପୃକ୍ତ ନାରାୟଣ ସ୍କୁଲରେ ଛାତ୍ରମାନଙ୍କୁ ତେଲୁଗୁ ଶିକ୍ଷା ଦେଉଥିଲେ। ତାଲା ବନ୍ଦ ହେବା ପରେ ମଧ୍ୟ ସେ ଛାତ୍ରମାନଙ୍କୁ ଅନଲାଇନ୍‌ କ୍ଲାସ୍‌ ମାଧ୍ୟମରେ ଶିକ୍ଷାଦାନ ଜାରି ରଖିଥିଲେ। ହେଲେ, ସ୍କୁଲକୁ ନୂତନ ଆଡମିଶନ ଆଣିବାରେ ବ୍ୟର୍ଥ ହୋଇଥିବାରୁ ତାଙ୍କ ସମେତ ଅନ୍ୟ ୪ ଜଣ ଶିକ୍ଷକଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବିନା ନୋଟିସ୍‌ରେ ତତ୍‌କ୍ଷଣାତ୍‌ ସ୍କୁଲରୁ ବହିଷ୍କାର କରି ଦେଇଥିଲେ।

ତେଲୁଗୁ ଏବଂ ପବ୍ଲିକ୍‌ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ବ୍ୟତୀତ ଦୁଇଟି ମାଷ୍ଟର ଡିଗ୍ରି ହାସଲ କରିଥିବା ଭେଙ୍କଟସୁବ୍ଦାୟା ଏପରି ଅଚାନକ ଭାବେ ନିଜର ଚାକିରି ହରାଇବା ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଘରେ ତାଙ୍କର ଏକ ରୋଗିଣା ପୁତ୍ର ଥିଲା। ଯାହାର ଚିକିତ୍ସା ପାଇଁ ସେ ଅର୍ଥ ଆବଶ୍ୟକ କରୁଥିଲେ। ଏପରିସ୍ଥିତିରେ ସେ ଅନୋନ୍ୟପାୟ ନିଜ ପରିବାରର ପ୍ରତିପୋଷଣ ପାଇଁ ଏକ ଠେଲା ଗାଡ଼ିରେ ରାସ୍ତାକଡ଼ରେ କଦଳୀ ବିକୁଥିଲେ।

ହେଲେ, ଏଘଟଣା ଜାଣିବା ପରେ ତାଙ୍କର ବହୁ ଛାତ୍ର ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା ସହ ଏକ ଅଭିଯାନ ଆରମ୍ଭ କରିଥିଲେ। ପ୍ରାୟ ୧୫୦ ସରିକି ଛାତ୍ର, ଯେଉଁମାନଙ୍କୁ ଭେଙ୍କଟସୁବ୍ଦାୟା ପାଞ୍ଚରୁ ଛଅ ବର୍ଷ ପୂର୍ବେ ଶିକ୍ଷାଦାନ କରିଥିଲେ ସେମାନେ ସେମାନଙ୍କ ଶିକ୍ଷକଙ୍କ ପାଇଁ ୮୬,୩୦୦ ଟଙ୍କାର ଅର୍ଥ ସଂଗ୍ରହ କରି ତାଙ୍କୁ ସାହାଯ୍ୟ କରିଥିଲେ। ଏଘଟଣା ଗଣମାଧ୍ୟମମାନଙ୍କରେ ପ୍ରସାରିତ ହେବା ପରେ ଏହାକୁ କେନ୍ଦ୍ର କରି ଆନ୍ଧ୍ରପ୍ରଦେଶ ସମେତ ପୂରା ଦେଶରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର