ବାୟୁସେନା ପାଇଲା ଆପାଚି ହେଲିକପ୍ଟର୍‌

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆମେରିକା ନିର୍ମିତ ଆପାଚି ଗାର୍ଡିଏନ୍‌ ହେଲିକପ୍ଟର୍‌ ଏ.ଏଚ୍‌-୬୪ଇ (୧) ହାସଲ କରିଛି। ବୋଇଂ ବିମାନ ନିର୍ମାଣ ହେଉଥିବା ଆମେରିକାର ମେସାଠାରେ ଭାରତୀୟ ବାୟୁସେନାକୁ ଶୁକ୍ରବାର ଏହି ଅତ୍ୟାଧୁନିକ ହେଲିକପ୍ଟର୍‌ ହସ୍ତାନ୍ତର କରାଯାଇଛି। ବାୟୁସେନା ତରଫରୁ ଏୟାର ମାର୍ସଲ ଏ.ଏସ୍‌ ବୁତ୍‌ଲା ପ୍ରଥମ ଆପାଚୀ ହେଲିକପ୍ଟର୍‌ ଗ୍ରହଣ କରିଛନ୍ତି। ମାର୍ଚ୍ଚ ୨୦୨୦ ସୁଦ୍ଧା ବାୟୁସେନା ୨୨ଟି ଆପାଚି ହେଲିକପ୍ଟର୍‌କୁ ସାମିଲ କରି ନିଜ କ୍ଷମତା ବଢାଇବା ଯୋଜନା କରିଛି। ଏଥିପାଇଁ ୨୦୧୫ ସେପ୍ଟେମ୍ବରରେ ଆମେରିକା ସହ ୧୩,୯୫୨ କୋଟିର ଏକ ଚୁକ୍ତି ହୋଇଥିଲା। ଜୁଲାଇ ସୁଦ୍ଧା ଏହି ଅତ୍ୟାଧୁନିକ ଆପାଚି ଆକ୍ରମଣକାରୀ ହେଲିକପ୍ଟର୍‌ର ପ୍ରଥମ ବ୍ୟାଚ୍‌ ଭାରତୀୟ ବାୟୁସେନାରେ ସାମିଲ ହେବ। ଏଥିପାଇଁ ଆମେରିକାର ରୁକେର୍‌ ବାୟୁସେନା ଘାଟିରେ ଭାରତୀୟ ବାୟୁସେନାକୁ ପ୍ରଶିକ୍ଷଣ ଦିଆଯାଇଛି।

ଏହି ଆପାଚି ହେଲିକପ୍ଟର୍‌ ସାମିଲ ଦ୍ୱାରା ବାୟୁସେନା ଆଧୁନିକୀକରଣଦିଗରେ ଆଉ ଏକ ପାଦ ଆଗେଇଥିବା କୁହାଯାଉଛି। ଆପାଚି ହେଲିକପ୍ଟର୍‌ର ଲକ୍ଷଭେଦ କରିବା କ୍ଷମତା ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଶତ୍ରୁପକ୍ଷର ଆକାଶରେ ସୁରକ୍ଷିତ ଉଡାଣ ଭରିବାର କ୍ଷମତା ମଧ୍ୟ ଅଧିକ। ଏହା ସ୍ଥଳଭାଗରୁ ହେଉଥିବା ଆକ୍ରମଣକୁ ମଧ୍ୟ ପ୍ରତିହତ କରିବାର କ୍ଷମତା ରଖୁଛି। ଆପାଚୀ ଲଢୁଆ ହେଲିକପ୍ଟର୍‌ର ଅନ୍ୟ ଏକ ବି‌େଶଷତା ହେଲା ଏହା ଯୁଦ୍ଧ କ୍ଷେତ୍ରର ଚିତ୍ରକୁ ସଂଗ୍ରହ କରି ଡାଟା ଆଦାନ ପ୍ରଦାନ କରିପାରିବ। ଏଥିରେ ଆକାଶରୁ ଆକାଶକୁ ଲକ୍ଷଭେଦ କରୁଥିବା କ୍ଷେପଣାସ୍ତ୍ର, ଆକାଶରୁ ସ୍ଥଳଭାଗକୁ ନିକ୍ଷେପ କରୁଥିବା ‌େକ୍ଷପଣାସ୍ତ୍ର, ବନ୍ଧୁକ ଏବଂ ରକେଟ୍‌ ମଧ୍ୟ ଖଞ୍ଜାଯାଇଛି। ଏହାକୁ ବିଶ୍ୱର ଅନ୍ୟତମ ବହୁମୁଖୀ ଅକ୍ରମଣକାରୀ ହେଲିକପ୍ଟର୍‌ ଭାବେ ବିବେଚନା କରାଯାଉଥିବା ବେଳେ ଆମେରିକା ବାୟୁସେନା ଏହାକୁ ସଫଳତାର ସହ ଉପଯୋଗ କରିଆସୁଛି।

ସମ୍ବନ୍ଧିତ ଖବର