ପଦ୍ମ ଧରିଲେ ଅପରାଜିତା, ଶାହଙ୍କ ଘରେ ହେଲା ସଂକ୍ଷିପ୍ତ ମିଶ୍ରଣ ପର୍ବ

ଧର୍ମେନ୍ଦ୍ର ଥିଲେ, ଜୁଏଲଙ୍କ ଦେଖା ମିଳିଲାନି

ନୂଆଦିଲ୍ଲୀ: ରାଜନୀତିରେ ପାଦ ଥାପିବା ଲାଗି ନିକଟରେ ଆଇଏଏସ୍ ଚାକିରି ଛାଡିଥିବା ଅପରାଜିତା ଷଡ଼ଙ୍ଗୀ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ୧୧ ଆକବର ରୋଡ ସରକାରୀ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଶାହଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଓଡ଼ିଶା ପ୍ରଭାରି ଅରୁଣ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଅତ୍ୟନ୍ତ ସଂକ୍ଷିପ୍ତ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହ ଅପରାଜିତାଙ୍କୁ ଦଳକୁ ସ୍ବାଗତ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ସେଠାରେ ଶ୍ରୀମତୀ ଷଡ଼ଙ୍ଗୀ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। କହିଥିଲେ, ତାଙ୍କର ବିଜେପିରେ ଯୋଗଦାନ ଆଦୌ ଆକସ୍ମିକ ନଥିଲା। ଦୀର୍ଘ ଅନୁଧ୍ୟାନ, ଅନୁସନ୍ଧାନ, ବିଚାର ବିମର୍ଶ ସହିତ ବିଜେପିର ଆଭିମୁଖ୍ୟ ଦେଖି ସେ ଏଥିରେ ଯୋଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ଏପରିକି ଦଳ ସଂପର୍କରେ ଅବଗତ ହେବା ପାଇଁ ସେ ତିନିଟି ବହି ମଧ୍ୟ ପଢିଥିଲେ।

ପ୍ରତିକଥାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁରି ଭୁରି ପ୍ରଶଂସା କରିଥିଲେ। ବିଜେପିରେ ଯୋଗଦାନ ପାଇଁ ସେ ମୋଦୀ, ଶାହ ଓ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ। କହିଥିଲେ, ସରକାରୀ ଚାକିରିରେ ଜନତାଙ୍କ ସେବା କରିବା ପାଇଁ ସୀମିତ ସୁଯୋଗ ଥାଏ। ରାଜନୀତିରେ କିନ୍ତୁ ଏହାର ପରିମାଣ ଅଧିକ। ଏଣୁ ୧୧ବର୍ଷ ଚାକିରି ଥାଇ ସେ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି। ଏତେ ଦଳ ଥାଉ ଥାଉ ବିଜେପି ପ୍ରତି କାହିଁକି ଆଗ୍ରହୀ ହେଲେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଅପରାଜିତା କହିଥିଲେ, ଅନ୍ୟ କୌଣସି ଦଳ ବିକାଶ କୈନ୍ଦ୍ରୀକ ନୁହେଁ। ପ୍ରଧାନମନ୍ତ୍ରୀ ହିଁ ତାଙ୍କର ରୋଲ୍‌ମଡେଲ୍ ବୋଲି ଅପରାଜିତା କହିଥିଲେ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟରେ ପାଞ୍ଚ ବର୍ଷର କାର୍ଯ୍ୟ ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଓଡ଼ିଶାରେ ବିକାଶ ହେଉଛି, କିନ୍ତୁ ତାର ଗତି ଧୀର। ବିଜେପି ହିଁ ଓଡ଼ିଶାକୁ ପରିବର୍ତନ କରିପାରିବ। ରାଜ୍ୟରେ ବିଜେପିକୁ ସଶକ୍ତ କରିବା ପାଇଁ ସେ ଜଣେ ସାଧାରଣ କର୍ମୀ ଭଳି କାମ କରିବେ ବୋଲି ସୂଚନା ଦେଇ ଅପରାଜିତା କହିଥିଲେ, ଦଳ ଯଦି ତାଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦିଏ, ତେବେ ସେ ଅବଶ୍ୟ ପ୍ରତିଦ୍ବନ୍ଦ୍ବିତା କରିବେ। ସେ ସବୁବେଳେ ଚ୍ୟାଲେଞ୍ଜକୁ ସ୍ବୀକାର କରିବାକୁ ଭଲ ପାଆନ୍ତି। ଶେଷଜୀବନ ପର୍ଯ୍ୟନ୍ତ ସେ ରାଜନୀତି କରିବେ। ଓଡ଼ିଶାର ଭବିଷ୍ୟତର ମୁଖ୍ୟମନ୍ତ୍ରୀ ବୋଲି ଚର୍ଚ୍ଚା ସଂପର୍କରେ ପ୍ରଶ୍ନ ହେବାରୁ ସେ କହିଥିଲେ, ମୁଁ ରାଜନୀତିରେ ଏବେ ପ୍ରଥମ ଶ୍ରେଣୀ ଛାତ୍ରୀ। ବର୍ତମାନ ପିଏଚଡି କରିବାକୁ କୁହନ୍ତୁ ନାହିଁ। ମିଶ୍ରଣ ପର୍ବକୁ ନେଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଥିଲେ, ଅପରାଜିତାଙ୍କ ଭଳି ଜଣେ ଦକ୍ଷ ପ୍ରଶାସକ ରାଜନୀତିରେ ଯୋଗଦେବା ଦଳ ଓ ଓଡ଼ିଶା ପାଇଁ ଖୁସିର କଥା। ଆଜିର ମିଶ୍ରଣ ପର୍ବରେ ଓଡ଼ିଶାର ଅନ୍ୟତମ ମନ୍ତ୍ରୀ ଜୁଏଲ ଓରାମ ଅନୁପସ୍ଥିତ ଥିଲେ। ଆଉ ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତିରେ ତାଙ୍କରି ଘରେ ଅପରାଜିତା ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିଥିଲେ।

ସମ୍ବନ୍ଧିତ ଖବର