ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଆଜି ଲୋକସଭାର ସଦାଚାର କମିଟି ନିକଟରେ ହାଜର ହୋଇଥିଲେ। ପଚରାଉଚରା ଚାଲିଥିବା ବେଳେ ମହୁଆ ଅଧାରୁ ଉଠି ଚାଲିଆସିଥିଲେ | ମହୁଆଙ୍କ ସହ ବିଏସପି ସାଂସଦ ଦାନିଶ ଅଲିଙ୍କ ସମେତ ବିରୋଧୀ ଦଳର ସାଂସଦମାନେ ବୁଧବାର ସଂସଦର ସଦାଚାର କମିଟିର ବୈଠକକୁ ବଏକଟ କରିଥିଲେ।

Advertisment

ବାହାରକୁ ଆସି ବିଏସପି ସାଂସଦ ଦାନିଶ ଅଲି କହିଥିଲେ ଯେ ସଦାଚାର କମିଟି ମହୁଆଙ୍କୁ ରାତିରେ କାହା ସହ କଥା ହେଉଛ ବୋଲି ପଚାରିଥିଲେ। ତେଣୁ ଆମେ ସମସ୍ତେ ଏହାର ବିରୋଧ କରି ବାହାରକୁ ଚାଲିଆସିଲୁ। ତେବେ ବିରୋଧୀଙ୍କ ଅଭିଯୋଗକୁ ନେଇ ସଦାଚାର କମିଟିର ସଦସ୍ୟା ଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ଯେତେବେଳେ ହିରାନନ୍ଦାନୀଙ୍କ ଆଫିଡେଭିଟ୍ ଉପରେ ପ୍ରଶ୍ନ ଉଠିଥିଲା, ସେତେବେଳେ ମହୁଆ ମୈତ୍ର ରାଗିଯାଇଥିଲେ | ସେ କମିଟି ଅଧ୍ୟକ୍ଷଙ୍କ ପ୍ରଶ୍ନର ଉତ୍ତର ଦେଇ ନଥିଲେ। ଫଳରେ ପ୍ରଶ୍ନ ଦୋହରା ଯାଇଥିଲା।

ଏହାପରେ ମହୁଆ କୈତ୍ର ଅତ୍ୟନ୍ତ ଆକ୍ରମଣାତ୍ମକ ଶୈଳୀରେ ଅଭଦ୍ରଙ୍କ ଭଳି ବ୍ୟବହାର କରିବା ସାଙ୍ଗକୁ ଅଣସଂସଦୀୟ ଭାଷା ବ୍ୟବହାର କରିଥିଲେ | ଅପରାଜିତା ଆହୁରି ମଧ୍ୟ କହିଛନ୍ତି ଯେ କମିଟିର ପ୍ରକ୍ରିୟା ଗୋପନୀୟ ହୋଇଥିବାବେଳେ ଏ ବାବଦରେ ବାହାରେ ଆଲୋଚନା କରାଯିବା ଉଚିତ ନୁହେଁ। "ସର୍ବପ୍ରଥମେ, ମୁଁ କହିବାକୁ ଚାହେଁ ଯେ ବିରୋଧୀ ଦଳର ସାଂସଦ ତଥା ମହୁଆ ମୈତ୍ର ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ । ଏହା ସାମ୍ବିଧାନିକ ପ୍ରକ୍ରିୟାର ଉଲ୍ଲଂଘନ। ସେହିପରି ଯଦି ଅଧ୍ୟକ୍ଷ ଆଫିଡେଭିଟ୍ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ ତେବେ ସେ (ମହୁଆ) କୌଣସି ପ୍ରତିକ୍ରିୟା ଦେଇନଥିଲେ। ଏହାପରେ ସେ ଅଣସଂସଦୀୟ ଭାଷା ବ୍ୟବହାର କରିଥିଲେ, ଯାହା ହେବାର ନଥିଲା | ନିୟମ ବିରୁଦ୍ଧରେ ଅଭଦ୍ର ଭାଷାର ବ୍ୟବହାର ଉଚିତ ନୁହେଁ । ଏହା ପରେ ଦୁଇ ବିରୋଧୀ ସାଂସଦ ଟେବୁଲକୁ ଜୋରରେ ବାଡେଇଥିଲେ, ଯାହାକି ଅଣସଂସଦୀୟ ଆଚରଣ।’’

ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ ଏହି ଘଟଣାରେ ସଦାଚାର କମିଟିର ସଦସ୍ୟାଥିବା ଭୁବନେଶ୍ବର ସାସଦ ଅପରାଜିତା ଷଢ଼ଙ୍ଗୀଙ୍କ ମତମନ୍ତବ୍ୟକୁ ପ୍ରାଞ୍ଜଳ ଭାବେ ଉପସ୍ଥାପନ କରିଛି।